ଜାତି ଚାଲିଯିବ ବୋଲି ହସ୍ପିଟାଲରୁ  ବୋହୂର ମୃତଦେହ ଆଣିବାକୁ ରାଜି ନଥିଲେ ପରିବାର !

ଏବେ ବି ଗାଁରେ ଅଶିକ୍ଷାର ଅନ୍ଧାର

ସୁନ୍ଦରଗଡ଼: ଗୋଟିଏ ପଟେ ବିଜ୍ଞାନ ବଳରେ ମଣିଷ ଅକଳ୍ପନୀୟ ସ୍ଥାନ ଚନ୍ଦ୍ରପୃଷ୍ଠରେ ଘର ତିଆରି କରିବାକୁ ପାଦ ବଢ଼ାଇଲାଣି। ଅନ୍ୟପଟେ ଏବେ ମଧ୍ୟ ଗାଁ ଅଞ୍ଚଳରେ  ଅନେକ ଲୋକେ  ଅଶିକ୍ଷା, କୁସଂସ୍କାରରୁ ମୁକୁଳି ପାରି ନାହାନ୍ତି। ସେହି କାରଣରୁ ବହୁ  ସମୟରେ ସମାଜରେ ଅନେକ ଅମାବନୀୟ ଘଟଣା ସବୁ ଘଟି ଚାଲିଛି। ଏପରିକି କୁସଂସ୍କାରରେ ବୁଡ଼ିଥିବା ଲୋକେ ଅନେକ ସମୟରେ  ଆପଣାର ଲୋକଟିକୁ ବି ଅଲୋଡ଼ା, ପର କରିଦେବାକୁ ପଛାଉ ନାହାନ୍ତି।

ଏମିତି ଏକ ଅଭାବନୀୟ  ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଜରଙ୍ଗଲୋଇ ଅଞ୍ଚଳରେ। ଜାତି ଚାଲିଯିବ ବୋଲି ସୁନ୍ଦରଗଡ଼ ଡାକ୍ତରଖାନା ବ୍ୟବଚ୍ଛେଦ ଗୃହରୁ ବୋହୂର ମୃତଦେହକୁ ନେବାକୁ ନାମଙ୍ଗ ହୋଇଥିଲେ ପରିବାର। ଏପରିକି ଡାକ୍ତରଖାନା କର୍ତ୍ତୃପକ୍ଷ କାଳେ ବାଧ୍ୟ କରିବେ ଭାବି ଶବକୁ ଛାଡ଼ି ଚାଲି ଯାଇଥିଲେ। ଆପଣାର ଲୋକଙ୍କ ଦ୍ବାରା ଅଲୋଡ଼ା ହୋଇ ଶବଟି ୭ ଦିନ ଧରି ଡାକ୍ତରଖାନାରେ ପଡ଼ି ରହିଥିଲା। ପରେ  ପୁଲିସର ହସ୍ତକ୍ଷେପ ଯୋଗୁଁ ଶବ ସତ୍କାର ହୋଇପାରିଥିଲା।  ଘଟଣାଟି ଥିଲା ଏମିତି, ଜରଙ୍ଗଲୋଇ ଅଞ୍ଚଳରେ ରହୁଥିଲେ ଏକ ଯାଯାବର ପରିବାର। ଡିହ କି ଘର ନଥିବାରୁ ଅନୁରୋଧକ୍ରମେ ପରିବାରର ମୁଖ୍ୟ ଲଳିତ ସବାଖାଇଙ୍କୁ ବଡ଼ଗାଁ ରାଜସ୍ବ ବିଭାଗ ୪ ଡିସିମିଲ ଜମି ଯୋଗାଇ ଦେଇଥିଲା।

କିନ୍ତୁ ଆବାସ ଯୋଜନାରେ ତାଙ୍କୁ  ଘର ମିଳି ନଥିବାରୁ ପରିବାର ସହ ଲଳିତ ତମ୍ବୁ ପକାଇ ରହିଥିଲେ।  ଜୁଲାଇ ୨୨ ତାରିଖ ରାତି ପ୍ରାୟ ୩ଟାରେ ଶୋଇଥିବା ଅବସ୍ଥାରେ ଲଳିତଙ୍କ ଭାଇବୋହୂ ବବଲି ସବାଖାଇ (୩୦)ଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଚିତ୍କାର କରିଥିଲେ ବବଲି। ପରିବାର ଲୋକେ ସାପ କାମୁଡ଼ିଥିବା ଜାଣିବା ପରେ ତାଙ୍କୁ ତୁରନ୍ତ ଜରଙ୍ଗଲୋଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ବବଲିଙ୍କ ଅବସ୍ଥା ଜଟିଳ ହେବାରୁ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ସେଠାରୁ ଶବ ନେବାକୁ ଚାହିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ବିନା ବ୍ୟବଚ୍ଛେଦରେ ଛାଡ଼ିବାକୁ ମନା କରି ଦେଇଥିଲେ। ଏଥିରେ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା।

ବ୍ୟବଚ୍ଛେଦ ହୋଇଥିବା  ଶବକୁ  ଘରକୁ ନେଲେ ସେମାନଙ୍କ ଜାତି ଚାଲିଯିବ ଭାବି ଡାକ୍ତରଖାନରେ ବୋହୂର ମୃତଦେହକୁ ଛାଡ଼ି ଚାଲି ଯାଇଥିଲେ। ଏପରିକି ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ରିପୋର୍ଟ ବି କରି ନଥିଲେ। ଶବ ୭ ଦିନ ଧରି ବିନା ବ୍ୟବଚ୍ଛେଦରେ ଶବ ଗୃହରେ ସେମିତି ପଡ଼ି ରହିଲା। ଏହା ପରେ ଟାଉନଥାନା ପୁଲିସ ବଡ଼ଗାଁ ଥାନାକୁ ଖବର ଦେଇଥିଲା। ବଡ଼ଗାଁ ପୁଲିସ ମୃତାଙ୍କ ପରିବାରକୁ ଖୋଜି ଶବ ସତ୍କାର ପାଇଁ ବହୁ ବୁଝାସୁଝା କରିଥିଲେ। ଏହା ପରେ ଲଳିତ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ଏକ ଅମମୃତ୍ୟୁ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଥିଲା। ତେବେ ବ୍ୟବଚ୍ଛେଦ ପରେ ପୁଣି ପରିବାର ଲୋକେ ଶବ ନେବାକୁ ରାଜି ହେଉ ନଥିଲେ। ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଲୋକଙ୍କ  ପରିବାରକୁ ସରକାରୀ ସହାୟତା ମିଳିବା ବ୍ୟବସ୍ଥା ରହିଛି, ଶବ ସତ୍କାର କଲେ ତାହା ମିଳିବ ବୋଲି ପୁଲିସ  କହିବା ପରେ  ଶବକୁ ମଶାଣିକୁ ନେଇଥିଲେ ପରିବାର।

ସମ୍ବନ୍ଧିତ ଖବର