ଆସିଲେନି ପରିବାର, କାନ୍ଧ ଦେଲେ ସରପଞ୍ଚ ଓ ଯୁବଗୋଷ୍ଠୀ

ଜଗନ୍ନାଥପ୍ରସାଦ: ୧୦ ବର୍ଷ ତଳେ ହାତୀ ଆକ୍ରମଣରେ ପତ୍ନୀର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବାବଦରେ ମିଳିଥିବା ଅନୁକମ୍ପାମୂଳକ ରାଶି ଟଙ୍କା ଭାଗବଣ୍ଟା ବିବାଦରୁ ଝିଅ ଘର ଛାଡ଼ି କୁଆଡ଼େ ପଳାଇଲା ଯେ, ତା’ର ପତ୍ତା ମିଳୁନି। ଏଭଳି ପରିସ୍ଥିତିରେ ପାଖାପାଖି ୧୧ ବର୍ଷ ହେଲା ଏକୁଟିଆ ଦୁର୍ବିଷହ ଜୀବନ ବିତୁଥିବା ବେଳେ ଆତ୍ମୀୟସ୍ବଜନ କେହିବି ପଚାରୁ ନଥିଲେ। ଆଉ ଶେଷ ସମୟରେ ବି ପାଖତଡ଼ ମାଡ଼ିଲେନି। ଗତକାଲି ରାତିରୁ ଡାକ୍ତରଖାନାରେ ଶବ ସେମିତି ପଡ଼ିରହିଥିବା ବେଳେ ସରପଞ୍ଚ ଓ ଯୁବଗୋଷ୍ଠୀ ମାନବିକତା ଦେଖାଇଥିଲେ। ଶବକୁ ଆଣି କାନ୍ଧ ଦେବା ସହ ଅନ୍ତିମ ସଂସ୍କାର ମଧ୍ୟ କଲେ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଜିରାବାଡ଼ି ଗ୍ରାମରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ଗେରେଡ଼ା ଗ୍ରାମର ମୂଳବାସିନ୍ଦା ସୂର୍ଯ୍ୟ ମୁଳି (୫୬) ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରି ଜିରାବଡ଼ି ଗ୍ରାମରେ ପତ୍ନୀ ଓ ଏକମାତ୍ର ଝିଅ ସହ ରହୁଥିଲେ। ୧୦ ବର୍ଷ ତଳେ ତାଙ୍କ ପତ୍ନୀ ଜଙ୍ଗଲକୁ କୋଇଲା ସଂଗ୍ରହ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଫଳରେ ବନ ବିଭାଗ ପକ୍ଷରୁ ସୂର୍ଯ୍ୟଙ୍କୁ ଦୁଇଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତାରାଶି ମିଳିଥିଲା। କିନ୍ତୁ ଏହି ଟଙ୍କା ଭାଗବଣ୍ଟାକୁ ନେଇ ସୂର୍ଯ୍ୟ ଓ ତାଙ୍କ ଝିଅ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା। ଏହାମଧ୍ୟରେ ଝିଅ ଅନ୍ୟତ୍ର ପଳାଇଲେ। ଏହାପରଠୁ‌ ସେ ଆଉ ଫେରିନାହାନ୍ତି।

ଫଳରେ ଗ୍ରାମରେ ସୂର୍ଯ୍ୟ ଏକୁଟିଆ ରହୁଥିବା ବେଳେ ଗତକାଲି ହଠାତ୍ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସାହିବାସିନ୍ଦା ତାଙ୍କୁ ଜଗନ୍ନାଥପ୍ରସାଦ ଡାକ୍ତରଖାନ‌ାକୁ ଆଣିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ସୂର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘସମୟ ଧରି ଶବ ମେଡିକାଲ‌ରେ ପଡ଼ିଥିବା ବେଳ‌େ କେହିବି ଦାବିଦାର ଓ ଆତ୍ମୀୟସ୍ବଜନ ଆସି ନଥିଲେ।

ଏହାଜାଣିବା ପରେ ଆଜି ସକାଳେ ଜିରାବାଡ଼ିର ସରପଞ୍ଚ ସରୋଜ ନାୟକ ଡାକ୍ତରଖାନାରେ ପହଞ୍ଚି ଗେରେଡ଼ାରେ ରହୁଥିବା ସୂର୍ଯ୍ୟଙ୍କ ସଂପର୍କୀୟମାନଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ କେହି ବି ଆସିବାକୁ ଓ ଶବ ସତ୍କାରରେ ସହଯୋଗ କରିବାକୁ ରାଜି ହୋଇ ନଥିଲେ। ଏହାପରେ ସରପଞ୍ଚ ସ୍ଥାନୀୟ ଚଢ଼ିଆପଲ୍ଲୀ ଗ୍ରାମର ‘‌ଗୋପବନ୍ଧୁ ଚାରିଟେବୁଲ୍’ଟ୍ରଷ୍ଟ୍ ସଦସ୍ୟଙ୍କ ସହ ଯୋଗାଯୋଗ କରିଥି‌ଲେ। ସରପଞ୍ଚ ଶ୍ରୀ ନାୟକ ଓ ସଦସ୍ୟମାନେ ପହଞ୍ଚି ଶବକୁ କାନ୍ଧ ଦେବା ସହ ଶ୍ମଶାନରେ ଦାହ କରିଥିଲେ। ନିଜେ  ସରପଞ୍ଚ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଗ୍ରାମର ଭାସ୍କର ପାଣି, ବାନାମ୍ବର ଡାକୁଆ, ପ୍ରଫୁଲ୍ଲ ଡାକୁଆ, ମିଟୁ ସାଥୁଆ, ଟ୍ରଷ୍ଟ୍ ସଦସ୍ୟ ସଞ୍ଜୟ କୁମାର ପ୍ରଧାନ, ସନ୍ତୋଷ ଦଳବେହେରା, ସିଦ୍ଧେଶ୍ବର ଦଳବେହେରା, ସୁଶାନ୍ତ ପ୍ରଧାନ, ମନୁ ପ୍ରଧାନ ଓ ରାମଚନ୍ଦ୍ର ସେନାପତି ପ୍ରମୁଖ ସହଯୋଗ କରିଥିଲେ। ସରପଞ୍ଚଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର