ପୁଅ ପେଟରେ ମାଂସ ପିଣ୍ଡୁଳା: ପରିବାର ଅସହାୟ

ବନ୍ତଳା: ବଅଁରପାଳ ବ୍ଲକ୍‌ ତୁବେ ଗାଁରେ ସରକାରୀ ଜାଗାରେ ଝୁମ୍ପୁଡ଼ି ଘରେ ରହୁଥିବା ଝୁନୁ ଜେନା ଓ ତାଙ୍କ ସ୍ବାମୀ ପିଣ୍ଟୁ ଜେନାଙ୍କ ଉପରକୁ ଘନେଇ ଆସିଛି ଦୁଃଖର କଳାବାଦଲ। ମୂଲ ମଜୁରିକରି ଗୁଜୁରାଣ ମେଣ୍ଟାଉଥିବା ଏହି ନିଃସ୍ବ ଦମ୍ପତି ସେଦିନଠାରୁ ଦୁଃଶ୍ଚିନ୍ତାରେ ଘାରିହେଉଛନ୍ତି, ଯେବେଠାରୁ ଡାକ୍ତର କହିଲେଣି ପୁଅର ଯକୃତ ପ୍ରତିରୋପଣ କରାଯିବ। ସେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କ ପୁଅର ଜୀବନ ରକ୍ଷା କରିବା ପାଇଁ ଜନସାଧାରଣ, ସ୍ବେଚ୍ଛାସେବୀ ସଂସ୍ଥା ଓ ସରକାରଙ୍କୁ ଝୁନୁ ଆକୁଳ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ଝୁନୁଙ୍କ ବାପଘର ତୁବେ ଓ ଶାଶୂଘର ହୁଲୁରୁସିଂହା ଗାଁରେ। କୌଣସି କାରଣରୁ ସେ ସ୍ବାମୀ, ପିଲାଙ୍କୁ ଧରି ତୁବେରେ ସରକାରୀ ଜାଗାରେ ଏକ ଝୁମ୍ପୁଡ଼ିଘରେ ୪ ବର୍ଷ ହେଲା ରହୁଛନ୍ତି। ବାପଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଝୁନୁ ତାଙ୍କ ପାଖରେ ରହୁନାହାନ୍ତି। ଝୁନୁଙ୍କର ୩ଟି ସନ୍ତାନ- ଗୋଟିଏ ଝିଅ, ଦୁଇଟି ପୁଅ। ଝିଅ ପ୍ରଥମ ସନ୍ତାନ ‌ହୋଇଥିବାବେଳେ ସେ ଭିନ୍ନକ୍ଷମ। ତା’ ତଳେ ଜନ୍ମହୋଇଥିବା ପୁଅକୁ ଏବେ ୧୩ ବର୍ଷ ଓ ଦ୍ବିତୀୟ ପୁଅର ବୟସ ୪ ବର୍ଷ। ସ୍ବାମୀ, ସ୍ତ୍ରୀ ମୂଲଲାଗି ପିଲା ୩ଟିଙ୍କୁଧରି କୌଣସିମତେ ଚଳୁଥିଲେ। ବଡ଼ପୁଅର ପେଟରେ ଯନ୍ତ୍ରଣା ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଯକୃତ ସମସ୍ୟା ଥିବାରୁ ପୁଅକୁ କଟକ ଶିଶୁ ଭବନକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେଠାରେ କିଛିଦିନ ଚିକିତ୍ସା କରାଯିବା ସତ୍ତ୍ବେ ପୁଅ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା।

ଏହାପରେ ପୁଅକୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତିକରିଥିଲେ। ସେଠାରେ ଯେଉଁ ଡାକ୍ତରୀ ରିପୋର୍ଟ ଆସିଲା, ଝୁନୁଙ୍କ ମୁଣ୍ଡରେ ସତେ ଯେମିତି ବଜ୍ର ପଡ଼ିଗଲା। ପୁଅର ଯକୃତ ପ୍ରତିରୋପଣ ଆବଶ୍ୟ। ତାକୁ ଦିଲ୍ଲୀ ଏମ୍ସକୁ ନେବା ପାଇଁ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଏହି ଦମ୍ପତି ଜିଲ୍ଲାପାଳଙ୍କୁ ବର୍ଷେ ତଳେ ଦୁଃଖ ଜଣାଇଥିଲେ। ରେଡ଼କ୍ରସ୍‌ ପାଣ୍ଠିରୁ ତାଙ୍କୁ ମାତ୍ର ୫ ହଜାର ଟଙ୍କା ସହାୟତା ମିଳିଛି। ଏତିକି ଟଙ୍କାରେ କ’ଣ ଚିକିତ୍ସା ସମ୍ଭବ! ଏହା ମଧ୍ୟରେ ପୁଅ ଅବସ୍ଥା ସାଂଘାତିକ ହେଲାଣି। ନାଭି ପାଖରେ ମାଂସ ପିଣ୍ଡୁଳା ବଢ଼ିଚାଲିଛି। ପୁଅର ଏହି ଅବସ୍ଥା ଦେଖି ପିଣ୍ଟୁ ଧୈର୍ଯ୍ୟହରା ହୋଇ କିଛି କାମ କରୁନାହାନ୍ତି। ଝୁନୁ କେବଳ ମୂଲଲାଗି ପୁଅର ‌ଔଷଧ ଖର୍ଚ୍ଚ ତୁଲାଇବାକୁ ଚେଷ୍ଟା କରୁଛନ୍ତି। ପୁଅର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ, ସ୍ବେଚ୍ଛାସେବୀ ସଂସ୍ଥା ସହାୟତା ଯୋଗାଇ ଦେବାକୁ ଝୁନୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର