ପାଟଣା: ମୃତ୍ୟୁ ପରେ ଶବ ଛୁଇଁଲେନି ସାହିଭାଇ। ୩୦ ଘଣ୍ଟା ଧରି ଘରେ ଶବ ପଡ଼ିରହିବା ପରେ ଶେଷରେ ସ୍ବେଚ୍ଛାସେବୀମାନେ ସତ୍କାର କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବଡ଼ପାଟଣା ପଞ୍ଚାୟତ ମାଧପୁର ଗ୍ରାମରେ।
କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାରିଆ ଗ୍ରାମର ଶୁକ ମୁଣ୍ଡା ବହୁବର୍ଷ ହେଲା ମାଧପୁର ଗ୍ରାମରେ ନିଜ ମାଉସୀ ଘରେ ପରିବାର ସହ ରହୁଥିଲେ। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଗତକାଲି ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଘରକୁ ଶବ ଆଣିଥିଲେ। କିନ୍ତୁ ଶବକୁ ମଶାଣିକୁ ନେବା ପାଇଁ ସାହିଭାଇ ଆସିନଥିଲେ। ଓଲଟା ସେ ଗ୍ରାମର ବାସିନ୍ଦା ହୋଇ ନଥିବାରୁ ଗ୍ରାମ ଶ୍ମଶାନରେ ଶୁକଙ୍କ ଶବ ସତ୍କାର ହୋଇପାରିବ ନାହିଁ ବୋଲି କହିଥିଲେ। ଫଳରେ ଘରେ ଶବ ପଡ଼ି ରହିଥିଲା।
ଆଜି ଅପରାହ୍ଣରେ ଖବର ପାଇ ଭରସା ପରିବାରର ଲିପୁନ ମହାନ୍ତ, ଗିରିଜା ଶଙ୍କର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ବାପୁନ କୁମାର ମହାନ୍ତ, ବିଜୟ କୁମାର ମହାନ୍ତ ପ୍ରମୁଖ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ସ୍ବେଚ୍ଛାସେବୀମାନେ ଶବ ନେଇ ଗାଁ ଶ୍ମଶାନରେ ସତ୍କାର କରିଥିଲେ। ଶୁକଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଓ ତିନିଛୁଆ ଅସହାୟ ହୋଇଯାଇଛନ୍ତି। ଗ୍ରାମରେ ବହୁବର୍ଷ ଧରି ରହିବା ସତ୍ତ୍ବେ ଏହି ପରିବାର ସଦସ୍ୟଙ୍କ ଭୋଟର କାର୍ଡ କିମ୍ବା ଆଧାରକାର୍ଡ ନଥିବା ଜଣାପଡ଼ିଛି। ସରକାରୀ ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବଡ଼ପାଟଣା ସରପଞ୍ଚ ବିନତି ବାନରା, ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ ମୃତକଙ୍କ ପରିବାରକୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।