ପୁରୀ: ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପଟିଦିଅଁ ସେ ମନ୍ଦିରକୁ ଯୋଗାଇଲେ ପୂଜା ବିଧି ଆରମ୍ଭ ହୁଏ। ତାଙ୍କ ତୂଳୀର ସ୍ପର୍ଶରେ ପଟିଦିଅଁ ପୂର୍ଣ୍ଣାବୟବ ରୂପ ନିଅନ୍ତି। ଅଥଚ ଚିତ୍ରକରଙ୍କ ହାକିମ ବୋଲାଉଥିବା ରବିଶଙ୍କର ମହାରଣାଙ୍କର ପଟିଦିଅଁ ପ୍ରସ୍ତୁତ କରିବା ପାଇଁ ଭଲ ଘରଟିଏ ନାହିଁ। ହାକିମ ସିନା ବୋଲାଉଛନ୍ତି, କିନ୍ତୁ ଆଜିଯାଏ ନିଜ କଚ୍ଚା ଘରକୁ ପକ୍କା କରିବାର ସାମର୍ଥ୍ୟ ତାଙ୍କ ପାଖରେ ନାହିଁ। ବାପାଙ୍କ ଅନ୍ତେ ୨୦୧୬ ମସିହାରୁ ଶାଢ଼ି ବନ୍ଧେଇ ସେ ଚିତ୍ରକର ହାକିମ ହୋଇଛନ୍ତି। କିନ୍ତୁ, ଭଲ ଘର ଖଣ୍ଡେ ତାଙ୍କ ପାଇଁ ସ୍ବପ୍ନ ହୋଇଯାଇଛି।

Advertisment

ରବିଶଙ୍କରଙ୍କର ସ୍ଥିତି ମୂଳରୁ ଏଭଳି ନଥିଲା। ରବିଙ୍କ ଜେଜେ ହାତୀ ମହାରଣା ଥିଲେ ଚିତ୍ରକର ପରିବାରର ଜଣାଶୁଣା ନାଁ। ତାଙ୍କ ଅନ୍ତେ ହାତୀଙ୍କ ପୁଅ ବୁଢ଼ା ମହାରଣା ଶାଢ଼ି ବାନ୍ଧୀ ଚିତ୍ରକରଙ୍କ ହାକିମ ହେଲେ। କିନ୍ତୁ, ବୁଢ଼ା ମହାରଣା କେବଳ ମହାପ୍ରଭୁଙ୍କ ସେବକ ଭାବେ ନିଜକୁ ସୀମିତ ରଖିନଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ କଳା ନିର୍ଦେଶକ ଭାବେ ସେ ଥିଲେ ଜଣେ ପରିଚିତ ନାଁ। ସେ ପ୍ରାୟ ୩ଶହ ଓଡ଼ିଆ, ବଙ୍ଗଳା ଓ ତାମିଲ ଚଳଚ୍ଚିତ୍ରରେ କଳା ନିର୍ଦେଶନା ଦେଇ ଭୁବନେଶ୍ବରରେ ଜମି କିଣି ଘର କରିଥିଲେ। ଚିତ୍ରକର ସାହିରେ ଘର ଥିବା ସତ୍ତ୍ବେ ସେ ରାଜଧାନୀରେ ଘର କରି ନିଜ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ ପ୍ରୟାସ କରିଥିଲେ। ମାତ୍ର, ଯେବେ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବାର ସମୟ ଆସିଲା ସେତେବେଳେ ସେ ବ୍ରେନ୍‌ ଷ୍ଟ୍ରୋକର ଶିକାର ହେଲେ। ତାଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରରେ ଘର ଓ ଜମି ବିକ୍ରି ହୋଇଗଲା। ରବି ବାପାଙ୍କୁ ଭଲ କରିବା ପାଇଁ ଭାରତବର୍ଷର ବଡ଼ବଡ଼ ହସ୍ପିଟାଲ ଗଲେ। ଘର ଜମି ବିକି ୫୦ ଲକ୍ଷରୁ ଅଧିକ ଟଙ୍କା ବାପାଙ୍କ ଦେହ ଭଲ କରିବାରେ ସାରିଦେଲେ। କିନ୍ତୁ ଦଇବ ଶେଷରେ ତାଙ୍କ ବାପାଙ୍କୁ ଆର ପାରିକୁ ନେଇଗଲା।

publive-image

ବାପା ଶଯ୍ୟାଶାୟୀ ହୋଇଥିବା ବେଳେ ୨୦୧୬ରେ ରବିଶଙ୍କର ଶାଢ଼ି ବନ୍ଧେଇ ଚିତ୍ରକରଙ୍କ ହାକିମ ହେଲେ। ସେବା ଦେଲେ, କିନ୍ତୁ ଆର୍ଥିକ ଦୁର୍ଗତି ତାଙ୍କ ପିଛା ଛାଡ଼ିଲା ନାହିଁ। ସେ ନିଜ ପରିବାର ଚଳାଇବାକୁ ଜଣେ ବ୍ୟକ୍ତିଙ୍କଠାରୁ ଭଡ଼ାସୂତ୍ରରେ କାର୍‌ ଆଣି ଚଳାଇ ଯାହା ଆୟ କରୁଛନ୍ତି ସେଥିରେ ତାଙ୍କ ପରିବାର ଚଳୁଛି। ମାସିକ ୭୫୦୦ ଟଙ୍କା ରୋଜଗାରରେ ସେ ପରିବାର ଚଳାଉଛନ୍ତି। କିନ୍ତୁ, ଆଜି ପର୍ଯ୍ୟନ୍ତ ନିଜର ପୁରୁଣା ମାଟି ଛପର ଘରକୁ ସଜାଡ଼ି ପାରିନାହାନ୍ତି। ଯାହା ଆୟ କରୁଛନ୍ତି ଦେହ ମୁଣ୍ଡକୁ ବି ନିଅଣ୍ଟ। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ସେ ହାକିମ ଭାବେ ୭ ବର୍ଷ ହେଲା ରଥ ଓ ପଟିଦିଅଁ ସେବା ଦେଇ ଆସୁଛନ୍ତି। ଅଥଚ ତାଙ୍କ ହସହସ ମୁହଁ ତଳେ ଲୁଚିଥିବା କୋହକୁ ବୁଝିବାକୁ ନା ବାବୁମାନେ କେବେ ଚେଷ୍ଟା କରିଛନ୍ତି ନା ରବିଶଙ୍କରଙ୍କ ସ୍ବାଭିମାନୀ କଳାକାର ମନ କେବେ ମନ ଖୋଲି ଦୁଃଖ କହିବାକୁ ଚେଷ୍ଟା କରିଛି।