ନାବାଳିକାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ଘଟଣା; ମୃତକଙ୍କ ପରିବାର ପାଇଲେ କ୍ଷତିପୂରଣ

କେନ୍ଦୁଝର :  କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧାଙ୍ଗରପଡ଼ା‌ରେ ଜଣେ ନାବାଳିକାକୁ ୨୦୨୦ ମସିହା ଅକ୍ଟୋବର ୨୬ ତାରିଖରେ ହତ୍ୟାକରି ଫିଙ୍ଗି ଦେବା ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ସଂପୃକ୍ତ ନାବାଳିକାର ପରିବାରକୁ ୪ ଲକ୍ଷର କ୍ଷତିପୂରଣ ଦେଇଛି। ଅବଶିଷ୍ଟ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ୮ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୨୦ ମସିହା ଅକ୍ଟୋବର ୨୬ ତାରିଖରେ ଟାଉନ ଥାନା ଅନ୍ତର୍ଗତ ଧାଙ୍ଗରପଡା ନିକଟରୁ ଏକ ଅଖା ମଧ୍ୟରୁ ଆନନ୍ଦପୁର ଅଂଚଳର ଜଣେ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଥିଲା। ଏହି ନାବାଳିକାର ମୃତ ଦେହ ଉଦ୍ଧାର ହେବାର ୧୦ ଦିନ ପୂର୍ବରୁ ନାବାଳିକାର ବାପା ଆନନ୍ଦପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅବହେଳା କରି କେବଳ ମାମଲା ରୁଜୁ କରି ବସି ଯାଇଥିଲା। ଏହାପରେ ନାବାଳିକାର ମୃତ ଦେହ ଉଦ୍ଧାର ହେବା ପରେ ଏଥିନେଇ ଆଇନଜୀବୀ ହିଂମାଶୁ ‌ଶେଖର ନାୟକ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରି ଅବହେଳା କରିଥିବାରୁ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ନାବାଳିକା ପରବାରକୁ କ୍ଷତିପୂରଣ ଦେବାକୁ ନିବେଦନ କରିଥିଲେ।  ଏହି ହତ୍ୟାକାଣ୍ଡ ଘଟଣାରେ ମନରୋମା ପଟ୍ଟନାୟକଙ୍କ ସମତେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଏହାପରେ ଉକ୍ତ ଘଟଣାରେ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ସହିତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ପ୍ରଶାସନକୁ କମିସନ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ପାଇବା ପରେ ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ଅନୁସୂଜିତ ଜାତି ଓ ଜନଜାତି ବିଭାଗ ଅନୁମୋଦନ କ୍ରମେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଉକ୍ତ ନାବାଳିକାଙ୍କ ପରିବାରକୁ ଦେଇ ସାରିଥିବା ବେଳେ ଅବଶିଷ୍ଟ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରି ଏହାର ପ୍ରମାଣ କମିସନଙ୍କ ନିକଟରେ ଦାଖଲ କରିବାକୁ କମିସନ ପ୍ରଶ‌ାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୮ ସପ୍ତାହ ମଧ୍ୟ‌ରେ ଏହି ରିପୋର୍ଟ ଦେବାକୁ କମିସନ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର