ପାଣିକୋଇଲି : ଯାଜପୁରରୋଡ ଥାନା ତଥା ଦାନଗଦୀ ଫାଣ୍ତି ଅନ୍ତର୍ଗତ ଖପୁରିଆପଦା ଗ୍ରାମରେ ଜମିବାଡ଼ି ବିବାଦରୁ ଗଣ୍ଡଗୋଳ ହୋଇଥିଲା। ନ୍ୟାୟ ପାଇଁ ପୀଡ଼ିତ ପରିବାର ଆଜି ପାଣିକୋଇଲିସ୍ଥିତ ପୁଲିସ ମୁଖ୍ୟାଳୟରେ ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ଖପୁରିଆପଦା ଗ୍ରାମର ବିକାଶ ଧଳଙ୍କ ବ୍ୟକ୍ତିଗତ ଜମିକୁ ତାଙ୍କ ପଡ଼ୋଶୀ ସନାତନ ଧଳ, ବ୍ରଜକିଶୋର ଧଳ ଜୋରଜବରଦସ୍ତ ଅକ୍ତିଆର କରିବା ସହ ଲଗାଯାଇଥିବା ଫସଲକୁ ନଷ୍ଟ କରିଦେଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ବିକାଶ ଦାନଗଦୀ ଫାଣ୍ତିରେ ଅଭିଯୋଗ କରିଥିଲେ। ପରେ ଯାଜପୁରରୋଡ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ନଧରି ତାର କିଛି ସହଯୋଗୀଙ୍କୁ ଆଣି ଥାନାରେ ଅଟକ ରଖିବା ପରେ ଛାଡ଼ିଦେଇଥିଲେ। ଫଳରେ ଅଭିଯୁକ୍ତମାନେ ପୁଣି ଧମକ ଦେଉଛନ୍ତି ବୋଲି ବିକାଶ ଅଭିଯୋଗ କରିଛନ୍ତି। ଯାଜପୁରରୋଡ ଥାନାକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ନିରାଶ ହୋଇ ବିକାଶଙ୍କ ପରିବାର ଆଜି ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି କରିଛନ୍ତି।