ଏକତା, ଭାଇଚାରା ଓ ସଂହତିର ଅପୂର୍ବ ନିଦର୍ଶନ ପ୍ରସିଦ୍ଧ ଅନନ୍ତ ବ୍ରତ ମହୋତ୍ସବ ଆରମ୍ଭ

ବିଜେପୁର, (ସୁନିଲ କୁମାର ମିଶ୍ର): ଏକତା, ଭାଇଚାରା ଓ ସଂହତିର ଅପୂର୍ବ ନିଦର୍ଶନ ପ୍ରସିଦ୍ଧ ଅନନ୍ତ ବ୍ରତ ମହୋତ୍ସବ। ଗୁରୁବାରଠାରୁ ଆରମ୍ଭ ହୋଇଛି ଅନନ୍ତ ଶୟନରୂପୀ ଭଗବାନ ବିଷ୍ଣୁଙ୍କ ଏହି ପୂଜା ଓ ପାର୍ବଣ ବରଗଡ଼ ଜିଲ୍ଲାର ବିଜେପୁର ଅଂଚଳରେ। ଚଳିତ ବର୍ଷ ୫୯ ବର୍ଷରେ ପଦାର୍ପଣ କରିଛି ଏହି ମହୋତ୍ସବ। ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀଠାରୁ ବିଜେପୁର ଅଂଚଳର ବିଭିନ୍ନ ମେଢ଼ରେ ପ୍ରଭୁ ଅନନ୍ତ ନାରାୟଣଙ୍କ ମୂର୍ତ୍ତି ପୂଜା ଆରମ୍ଭ ହୋଇଛି। ତେଣୁ ଲୋକାରଣ୍ୟରେ ବିଜେପୁର ତଥା ଏମ୍.ଶ୍ରୀଗିଡ଼ା, ପଡ଼ା, ଜାଲପାଲି, ଲାଉମୁଣ୍ତା ପ୍ରମୁଖ ଭୁଲିଆ ସଂପ୍ରଦାୟ ଥିବା ଗ୍ରାମମାନ ଉତ୍ସବମୁଖର ହୋଇଉଠିଛି।

ଏହି ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ଅନନ୍ତନାଗ। କ୍ଷୀର ସାଗର ଭିତରେ ମହାପ୍ରଭୁ ବିଷ୍ଣୁଙ୍କ ସୁଖ ନିଦ୍ରା ଆଣିବା ପାଇଁ ନିଜ ଶରୀରକୁ ଅନନ୍ତନାଗ ବିଛାଇ ଦେଇଥାନ୍ତି ଏବଂ ଫେଣା ମାଧ୍ୟମରେ ପ୍ରଭୁଙ୍କ ମସ୍ତକକୁ ଛତ୍ର ରୂପେ ଢାଙ୍କି ରଖିଥାନ୍ତି। ଏହି ବ୍ରତରେ ପଞ୍ଚବର୍ଣ୍ଣ ମୂରୁଜରେ ମଣ୍ତଳ କାଟି ଅନନ୍ତ ନାରାୟଣଙ୍କୁ ଆବାହନ କରାଯାଇଥାଏ। ଧୂପ, ଦୀପ, ଚନ୍ଦନ ସହିତ ଘଣ୍ଟ, ଶଂଖରେ ପୂଜାର୍ଚ୍ଚନା କରାଯାଏ। ଅନନ୍ତ ସ୍ବାମୀଙ୍କୁ ସ୍ମରଣ ପୂର୍ବକ ଦୁଇପୋଷ ଅରୁଆ ଚାଉଳକୁ ଢିଙ୍କିରେ କୁଟି ଦୁଇଗୋଟି ପିଠା କରାଯାଇଥାଏ। ଏହି ପିଠାରୁ କିଛି ବ୍ରାହ୍ମଣଙ୍କୁ ଅର୍ପଣ କରାଯାଏ ଓ ଆଉ କିଛି ବ୍ରତଧାରୀମାନେ ପ୍ରସାଦ ଭାବରେ ପାଇଥାନ୍ତି। ଅନନ୍ତ ବ୍ରତର ଚତୁର୍ଦ୍ଦଶ ଶପ୍ସ(୧୪)ର ଏକ ସ୍ବତନ୍ତ୍ର ମହତ୍ବ ରହିଛି। କାରଣ ଏହି ବ୍ରତରେ ୧୪ ପ୍ରକାର ଲେଖାଏଁ ଫୁଲ, ଫଳ ଓ ପିଠାପଣା ଦେଇ ଅନନ୍ତ ପ୍ରଭୁଙ୍କୁ ଆରାଧନା କରାଯାଇଥାଏ। ପୁଣି କ୍ରମାଗତ ଭାବେ ବ୍ରତ କରୁଥିବା ବ୍ୟକ୍ତି ୧୪ ବର୍ଷ ଧରି ଏହି ପୂଜା କରିଥାନ୍ତି। ବ୍ରତ ପାଇଁ ଭୁଲିଆ ସଂପ୍ରଦାୟ ତିଆରି କରୁଥିବା ସୂତାର ବ୍ରତ ଯାହାକି ୧୪ ଗଣ୍ଠିରେ ତିଆରି ହୋଇଥାଏ। ବସ୍ତ୍ର ବୟନ ହେଉଛି ମେହେରମାନଙ୍କର କୌଳିକ ବୃତ୍ତି। ଏହି ବ୍ରତ ମଧ୍ୟରେ ୧୪ ଗଣ୍ଠି ବିଶିଷ୍ଟ ଏକ ସୂତାର ଡୋର (ବ୍ରତ) ଦରକାର ହୋଇଥାଏ ଏବଂ ତାହାହିଁ ପ୍ରଭୁଙ୍କ ଆଶୀର୍ବାଦର ଏକ ସାଂକେତକ ଚିହ୍ନ। କାରଣ ଭୁଲିଆ ସଂପ୍ରଦାୟର ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଡୋର (ବ୍ରତ)କୁ ଉକ୍ତ ବ୍ରତର ପ୍ରଧାନ ସ୍ମାରକୀ ବହନ କରୁଥିବାରୁ ଭୁଲିଆ ସଂପ୍ରଦାୟ ଏହି ବ୍ରତ ନିଷ୍ଠାର ସହ ପାଳନ କରିଥାନ୍ତି।

ସ୍ମରଣଯୋଗ୍ୟ ଯେ ସମୁଦ୍ର ମନ୍ଥନ ସମୟରେ ଏହି ଅନନ୍ତ ନାଗ ପୁଣି ମନ୍ଦର ପର୍ବତ ରୂପି ଖୁଆଦଣ୍ତର ଦଉଡ଼ି ସାଜିଥିଲେ। ତେଣୁ ବୁଣାକାରମାନେ ଅଧିକ ଆଗ୍ରହ ଓ ଆନ୍ତରିକତାର ସହ ଅନନ୍ତ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ଅବସରରେ ବିଜେପୁର ତଥା ଅଂଚଳର ଘରେ ଘରେ ଅତିଥି ଅଭ୍ୟାଗତଙ୍କ ଆଗମନ ଓ ଦୋକାନ ବଜାର ଲାଗିବା ଆରମ୍ଭ ହୋଇଛି। ବିଜେପୁର ସଦର ଅଂଚଳର ବଜରଙ୍ଗ ଛକ, ମାଲପଡ଼ା, ମହାବୀର ଛକ, ମଧ୍ୟପଡ଼ା, ଭୁଏପଡ଼ା, ଗାନ୍ଧୀପଡ଼ା, ତଲପଡ଼ା ସମେତ ପ୍ରାୟ ସାତୋଟି ମେଢ଼ରେ ଆଜି ପୂଜା ଆରମ୍ଭ ହେଉଛି। ଦର୍ଶକଙ୍କ ପାଇଁ ମିନାବଜାର, ରାମଝୁଲା, ବ୍ରେକଡ୍ୟାନ୍ସ ଇତ୍ୟାଦି ଲାଗିଲାଣି। ଦରବାର କାର୍ଯ୍ୟକ୍ରମ, ରେକଡ ଡ୍ୟାନ୍ସ, ଅପେରା, ଲୋକନୃତ୍ୟ, କବି ସମ୍ମିଳନୀ, ପାରାୟଣ ସମେତ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର