ଦେବଗଡ଼: ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା ବୁଧବାରଠାରୁ ଆରମ୍ଭ ହୋଇଛି। ୨ବର୍ଷ ହେଲା କରୋନା କଟକଣା ଯୋଗଁୁ ଫିକା ପଡ଼ିଥିଲା। ଚଳିତ ବର୍ଷ ପୂଜାର ଭରପୁର ମଜା ଉଠାଉଛନ୍ତି ଜିଲ୍ଲାବାସୀ। ସହରରେ ବୈଦ୍ୟୁତିକ ଗେଟ ସହ ମୁଖ୍ୟ ତୋରଣ ଓ ପୂଜାକୁ ଆକର୍ଷଣୀୟ କରାଯାଇଛି। ସହରର ମୁଖ୍ୟ ମାର୍କେଟର ପୂଜାସ୍ଥଳରେ ମଙ୍ଗଳବାର ମହାପ୍ରଭୁ ଗଣେଶଙ୍କୁ ଆସ୍ଥାନରେ ବସାଯିବା ସହିତ ଫୁଲରେ ସୁସଜ୍ଜିତ କରାଯାଇଥିଲା। ବୁଧବାର ସକାଳେ ରୀତିନୀତି ସହିତ ପୂଜା ଆରମ୍ଭ ହୋଇଥିଲା। ପୂଜାରେ ସଭାପତି ଶମ୍ଭୁନାଥ ଗୋଏଲ ସପତ୍ନିକ କର୍ତ୍ତ ଦାୟିତ୍ବ ତୁଲାଇଥିଲେ। ପୂଜକ ଭାବେ ମନୋରଞ୍ଜନ ଶତପଥୀ, ଫକିର ଆଚାର୍ଯ୍ୟ କାର୍ଯ୍ୟ ସଂପାଦନା କରିଥିଲେ।
ପୂଜାମଣ୍ଡପ ଚତୁଃପାର୍ଶ୍ବରେ କରୋନା ସଚେତନତା ଏବଂ ସହରରେ ମାଙ୍କଡ ଉପଦ୍ରବ ଏବଂ ଏହାକୁ କିପରି ରୋକା ଯାଇପାରିବ ସେ ନେଇ କଳାକୁଞ୍ଜ ମାଧ୍ୟମରେ ଜନସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ବିଭିନ୍ନ ପୌରାଣିକ, ସାମାଜିକ ଚେତନା ଭରା କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା। ସଂଧ୍ୟାରେ ଗଣେଶ ପୂଜା ପାଇଁ ପୁଲିସ ପକ୍ଷରୁ ଅସ୍ଥାୟୀ ପୁଲିସ ଫାଣ୍ଡିକୁ ଏସ୍ପି ପ୍ରମୋଦ ରଥ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଏଥିରେ ଦେବଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଅତିରିକ୍ତ ଏସ୍ପି ଅଙ୍କୁର ମଲ୍ଲିକ, ଏସ୍ଡିପିଓ ପ୍ରତ୍ୟୁଷ ମହାପାତ୍ର, ଡିଏସ୍ପି ଅମ୍ରିତା ମହାନ୍ତି, ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର ନାୟକ, ସୁରେନ୍ଦ୍ର ସେଠୀ ,ସଭାପତି ଶମ୍ଭୁନାଥ ଗୋଏଲ, ଉପସଭାପତି ଅରୁଣ ଗୋଏଲ, ସୁଶୀଲ ଭୋଇ,ସଂପାଦକ ଶୁକଦେବ ଭଂଜଙ୍କ ସମତେ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଏହାପରେ ଅତିଥିମାନେ ଗୋପବନ୍ଧୁ ଛକଠାରେ ସାଂସ୍କୃତିକ ମଣ୍ଡପକୁ ଉଦ୍ଘାଟନ କରିଥିଲେ। ପ୍ରଥମ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜା ଅବସରରେ ମୀନାବଜାର, ଦୋଳି ଏବଂ ପ୍ରଧାନପାଟସ୍ଥିତ ବଡ଼ବଗିଚାଠାରେ ଚକଲେଟ ରଙ୍ଗମଞ୍ଚ ଟିକେଟ ସୋ’ ଅପେରା ଅନୁଷ୍ଠିତ ହେଉଛି। ପ୍ରଥମ ଦିନ ‘ବଞ୍ଚି ପାରିବିନି ତୋ ବିନା’ ନାଟକ ମଂଚସ୍ଥ ହୋଇଥିଲା। ଗୁରୁବାର ବି ଏହି ନାଟକ ମଂଚସ୍ଥ ହେବ। ଏହା ସହିତ ଫ୍ରି ସୋ’ ଅପେରାର ଦର୍ଶକମାନେ ମଧ୍ୟ ମଜା ଉଠାଇପାରିବେ। ପୂଜା କମିଟି ପକ୍ଷରୁ ଅନ୍ନଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଲଟେରି ମାଧ୍ୟମରେ ଲଡୁ ଉଠାଣ କରାଯାଇ ୧୧ ତାରିଖ ଦିନ ତାଙ୍କର ନାମ ଘୋଷଣା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ପ୍ରଧାନପାଟସ୍ଥିତ ବଡ ବଗିଚାଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ବିଭିନ୍ନ ସାହି ତଥା ସମସ୍ତ ପୁରପଲ୍ଲୀରେ ଆନନ୍ଦ ଉତ୍ସାହର ସହ ବିଘ୍ନବିନାଶକ ଗଣେଶଙ୍କ ପୂଜା ଧୁମ୍ଧାମରେ ଅନୁଷ୍ଠିତ ହୋଇଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଜଣେ ଅତିରିକ୍ତ ଏସ୍ପି, ୩ଜଣ ଡିଏସ୍ପି, ୩୦ଜଣ ପୁଲିସ ଅଧିକାରୀ, ୪ ପ୍ଲାଟୁନ ପୁଲିସଙ୍କୁ ନିୟୋଜିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/31.jpg)