ହାତୀ ପାଇଁ ମଞ୍ଚାରେ କଟୁଛି ରାତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି। ଗାଁରେ ପଶି ଫସଲ ନଷ୍ଟ ସହ ଘର ଭାଙ୍ଗୁଥିବା ହାତୀ ଏବେ ସହର ମୁହାଁ ହେଲାଣି। ଫସଲ ସୁରକ୍ଷା ସହ ଜୀବନରକ୍ଷା ପାଇଁ ଅନେକ ଲୋକ ଏବେ ମଞ୍ଚାରେ ରାତି କାଟୁଥିବା ଦେଖିବାକୁ ମିଳୁଛି।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୋଟ ୧୪୧ଟି ହାତୀ ବୁଲୁଥିବା ଜଣାପଡ଼ିଛି। ସେ ମଧ୍ୟରୁ (ଭୂ୍ୟାଁ ଜୁଆଙ୍ଗ ପିଢ଼) ବିଜେପି ରେଞ୍ଜରେ ସବୁଠୁ ଅଧିକ ହାତୀ ରହିଛନ୍ତି। କେନ୍ଦୁଝର ରେଞ୍ଜରେ ୧୨ଟି ହାତୀ ବୁଲୁଥିବା ବେଳେ ଘଟଗାଁ ରେଞ୍ଜରେ ୮ଟି ହାତୀ, ଚମ୍ପୁଆ ରେଞ୍ଜରେ ୩୧ଟି ହାତୀ , ବିଜେପି ରେଞ୍ଜରେ ୪୫ଟି ହାତୀ, ତେଲକୋଇ ରେଞ୍ଜରେ ୪୪ଟି ହାତୀ, ପାଟଣା ରେଞ୍ଜରେ ଗୋଟିଏ ହାତୀ ବୁଲୁଛି। ବର୍ତ୍ତମାନ ଏହିସବୁ ଅଞ୍ଚଳରେ ଧାନ ରୁଆ ବେଉଷଣ ସରିଛି। କେଉଁଠି ଧାନଗଛରେ ଫୁଲ ଧରୁଥିବା ବେଳେ କେଉଁଠି ଧାନ ବୁଦା ବାନ୍ଧି ଛନଛନିଆ ହୋଇଛି। ତେବେ ଏହି ଛନ୍‌ଛନିଆ ଧାନ ଫସଲ ଖାଇବାକୁ ଜଙ୍ଗଲରୁ ହାତୀପଲ ଗାଁ ମୁହାଁ ଏବଂ ଫସଲ କିଆରି ମୁହାଁ ହେଉଛନ୍ତି। ଗତ କିଛିଦିନ ପୂର୍ବରୁ ସାହାରପଡା ଓ ପାଟଣା ଅଞ୍ଚଳରେ ଝାଡଖଣ୍ଡୀ ହାତୀପଲ ଉତ୍ପାତ କରିବା ସହିତ ବ୍ୟାପକ ଫସଲ ନଷ୍ଟ କରିଥିଲେ। ପାଟଣା ରେଞ୍ଜ ଅନ୍ତର୍ଗତ ସାହାରପଡା ସେକ୍ସନର ପୁରୁଣାପାଣି ନୂଆଗାଁ ନିକଟରେ ୨୨ଟିକିଆ ହାତୀପଲ ସପ୍ତାହ ଧରି ଫସଲ ନଷ୍ଟ କରିଥିଲେ। ଫଳରେ ବିଜେପି ରେଞ୍ଜ ଅନ୍ତର୍ଗତ ତଥା ବାଂଶପାଳ ବ୍ଲକର ଏକାଧିକ ଗାଁରେ ଲୋକେ ଫସଲ ସୁରକ୍ଷା ସହ ଜୀବନ ରକ୍ଷା ପାଇଁ ମଞ୍ଚାରେ ରାତି କାଟୁଛନ୍ତି। ବାଂଶପାଳ ବ୍ଲକର କାଦକଳା, କୁଶକଳା, ନୟାକୋଟ, ନରସିଂହପୁର, ତିରବୋ, ତରମାକାନତ୍, ବଡ଼ରଡୁଆଁ, ସାର କୁଦର, ଜାମୁଡ଼ିଆ, ରୁଗୁଡି, କୋଡିପଶା, ଦଅଁଳା, ପଡାସୁଆଁ, ‌ରବୋ, ଅଡାଳ, ସିରିଷଖୁଣ୍ଟା ଆଦି ଗ୍ରାମରେ ହାତୀ ଭୟରେ ଲୋକେ ମଞ୍ଚାରେ ରହି ଫସଲକୁ ସୁରକ୍ଷା ଦେଉଛନ୍ତି।

ଚାଷୀଙ୍କର କହିବା କଥା ଏହି ପାହାଡ଼ିଆ ଅଞ୍ଚଳରେ ବର୍ଷକୁ ମାତ୍ର ଥରୁଟିଏ ଧାନ ଚାଷ ହୋଇଥାଏ। ଏଠାରେ ଜଳସେଚନର ସୁବିଧା ନ ଥିବାରୁ ଆଉ କୌଣସି ଚାଷ ହେବାର ସୁଯୋଗ ନାହିଁ। ସୁନାର ଫସଲକୁ ହାତୀ ମୁହଁକୁ ଠେଲି ନଦେଇ ମଞ୍ଚା ବାନ୍ଧି ଲୋକେ ଜଗୁଛନ୍ତି। ରାତିରେ ହାତୀ ଆସିଲେ ନିଆଁହୁଳା, ଟର୍ଚ୍ଚ ଏବଂ ବାଣ ଫୁଟାଇ ଘଉଡ଼ାଉଛୁ ବୋଲି କହନ୍ତି। କୁସୁମିତା ଗ୍ରାମର ରତ୍ମାକର ଦେହୁରୀ କହନ୍ତି ହାତୀପଲ ପାଇଁ ସବୁବେଳେ ହନ୍ତସନ୍ତ ହେଉଛୁ। ହାତୀ ଘଉଡ଼ାଇବା ପାଇଁ ବନବିଭାଗ ଠୋସ୍‌ ପଦକ୍ଷେପ ନେଉନଥିବାରୁ ଧନଜୀବନ ନ‌ଷ୍ଟ ହେଉଛି।

ସମ୍ବନ୍ଧିତ ଖବର