ପୁରୀ: ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହେଉଛି ମାରା ଫୁଲ। ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନକୁ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। କେବଳ ସେତିକି ନୁହେଁ, ତାଜା ଫୁଲ ବଦଳରେ ଫ୍ରିଜ୍ରେ ଗଚ୍ଛିତ ଫୁଲକୁ ଲାଗି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଉଛି। ଯାହା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ବିପଦ। ଏଭଳି ସାଂଘାତିକ ଅଭିଯୋଗ ଆଣିଛି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ। ଏ ଦିଗରେ ବିହିତ ପଦକ୍ଷେପ ନିଆନଗଲେ ଛାମୁ ଖୁଣ୍ଟିଆ ନିଯୋଗ ପରବର୍ତ୍ତୀ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି।
ମହାପ୍ରଭୁଙ୍କୁ ଲାଗି ହେଉଥିବା ଫୁଲମାଳ ଗୁନ୍ଥିବା ପାଇଁ ବହୁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏମାନେ ଶ୍ରୀମନ୍ଦିର ପରିସର କୋଇଲି ବୈକୁଣ୍ଠ ଓ ଶ୍ରୀମନ୍ଦିର ଉପବନ ପରିସରରେ ବସି ଫୁଲ ଗୁନ୍ଥୁଛନ୍ତି। ଫୁଲରେ ମାଳ ସହ ନାକଚଣା, ହୃଦପଲ୍ଲବ, କରପଲ୍ଲବ ଆଦି ପ୍ରସ୍ତୁତ କରୁଛନ୍ତି। ଯାହା ପ୍ରତିଦିନ ମହାପ୍ରଭୁଙ୍କୁ ଲାଗି ହେଉଛି। କିନ୍ତୁ ଏହି ଫୁଲ୍ ଫ୍ରିଜରେ ରଖି ମହାପ୍ରଭୁଙ୍କୁ ଲାଗି କରିବାକୁ ଦିଆଯାଉଛି ବୋଲି ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଅଭିଯୋଗ କରିଛନ୍ତି।
ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶ୍ରୀମନ୍ଦିର ଭିତର କାଠରେ ବେହେରଣ ଦ୍ବାର ପାର୍ଶ୍ବକୁ ରହିଛି, ମହାପ୍ରଭୁଙ୍କ ଫୁଲ ରଖିବା ସ୍ଥାନ। ଫୁଲମାଳ ସହ ଫୁଲର ଅନ୍ୟାନ୍ୟ ଶ୍ରୀଅଙ୍ଗ ଲାଗି ଜିନିଷ ପହଞ୍ଚିବା ପରେ ଏହିଠାରେ ରଖାଯାଉଛି। ଏଠାରୁ ପାଳିଆ ସେବକମାନେ ଫୁଲମାଳ ଆଦି ନେଇ ମହାପ୍ରଭୁଙ୍କୁ ଲାଗି କରୁଛନ୍ତି। କିନ୍ତୁ ବର୍ଷାଧିକ ହେଲାଣି, ଫୁଲ ରଖିବାର ଏହି ସ୍ଥାନରେ ଏସି ପାଣି ଗଳୁଛି। ଦିନତମାମ ଏଠାରେ ପାଣି ଗଳି ଫୁଲରେ ପଡ଼ୁଛି। ଫଳରେ ଫୁଲ ମାରା ହେଉଛି। ଶ୍ରୀମନ୍ଦିର ପ୍ରଶାସନକୁ ଛାମୁ ଖୁଣ୍ଟିଆ ନିଯୋଗ ବାରମ୍ବାର ଲିଖିତ ଆକାରରେ ଓ ଭେଟି କରି ଜଣାଇ ସାରିଲାଣି। କେବଳ ଛାମୁ ଖୁଣ୍ଟିଆ ନିଯୋଗ ନୁହେଁ, ଅନ୍ୟ ପାଳିଆ ନିଯୋଗମାନେ ଅଭିଯୋଗ କଲେଣି। ମାତ୍ର ପ୍ରଶାସନ ତିଳେମାତ୍ର କର୍ଣ୍ଣପାତ କରୁନାହିଁ। ବାଧ୍ୟବାଧକତାରେ ଏହି ଫୁଲକୁ ମହାପ୍ରଭୁଙ୍କୁ ଲାଗି ହେଉଛି। ଥଣ୍ଡା ଓ ପାଣି ଲାଗିଥିବା ଫୁଲ ଓ ମାଳ ଶ୍ରୀଅଙ୍ଗ ପାଇଁ ବିପଦ।
ଅପରପକ୍ଷେ ଶ୍ରୀମନ୍ଦିର ପ୍ରଶାସନ ଫୁଲମାଳ ଓ ଫୁଲର ଲାଗି ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ କରିବା ପାଇଁ ୫୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଯେଉଁମାନେ ଫୁଲମାଳ କରୁଛନ୍ତି, ସେମାନେ ଫ୍ରିଜ୍ରେ ରହୁଥିବା ଫୁଲକୁ ମାଳ କରି ଦେଉଛନ୍ତି। ଏହା ଶ୍ରୀଅଙ୍ଗ ଲାଗି ବିପଦ ବୋଲି ଶ୍ରୀ ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ଶ୍ରୀ ଖୁଣ୍ଟିଆ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ନିଯୋଗ ତରଫରୁ ଏକାଧିକ ଥର ଲିଖିତ ଆକାରରେ ଶ୍ରୀମନ୍ଦିର ପ୍ରଶାସନକୁ ଅଭିଯୋଗ ହେଲାଣି। ନିକଟରେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ବି ଏହି ଅଭିଯୋଗ କରିଥିଲି। ଇତିମଧ୍ୟରେ ଅନେକ ପ୍ରଶାସକ ବଦଳିଲେଣି, କିନ୍ତୁ କେହି ଶୁଣିବାକୁ ନାରାଜ। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ହେୟଜ୍ଞାନ କରି ଚାଲିଛନ୍ତି। ଯାହା ସେବାୟତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି ବୋଲି ସେ ଅଭିଯୋଗ କରିଛନ୍ତି।