ଫୁଲବାଣୀ: ୨୦୧୯ରେ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍ ମିଳିଥିଲା। ଇତିମଧ୍ୟରେ ୬ ବର୍ଷ ବିତିଲାଣି। କିନ୍ତୁ ଆଜି ବି ଜିଲ୍ଲାର ଚାଷୀଙ୍କ ଭାଗ୍ୟ ବଦଳିପାରୁନି। କାରଣ ବିକ୍ରିବଟା ପାଇଁ ଉପଯୁକ୍ତ ବଜାରର ସୁବିଧା ନଥିବାରୁ ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅମଳ ସମୟରେ ଶାଗମାଛ ଦରରେ ହଳଦୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ହଳଦୀର ମୂଲ୍ୟଯୁକ୍ତ ଏବଂ ପ୍ରକ୍ରିୟାକରଣ ୟୁନିଟ୍ର ଅଭାବରୁ ସେମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯଦିଓ କସମ୍ (କନ୍ଧମାଳ ଆପେକ୍ସ ସ୍ପାଇସ୍ ଆସୋସିଏସନ୍ ଫର୍ ମାର୍କେଟିଂ) କିଛି ଚାଷୀଙ୍କ ଠାରୁ ହଳଦୀ କିଣିଥାଏ, ତାହା ସମୁଦ୍ରକୁ ଶଙ୍ଖେ ଭଳି। ଅନେକ ସମୟରେ ଆନ୍ଧ୍ର ଓ ଛତିଶଗଡ଼ର ବେପାରୀମାନେ ଚାଷୀଙ୍କଠାରୁ ଅଳ୍ପ ମୂଲ୍ୟରେ ହଳଦୀ କିଣି ନେଉଛନ୍ତି।
ଜିଆଇ ଟ୍ୟାଗ୍ ସତ୍ତ୍ବେ ଚାଷୀ ଅଭାବୀ ବିକ୍ରିର ଶିକାର
ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ସୁବିଧା ନାହିଁ
କନ୍ଧମାଳ ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ, ଚଳିତ କୃଷିବର୍ଷ ୨୦୨୪-୨୫ରେ ଜିଲ୍ଲାରେ ମୋଟ ୧୪,୩୪୭ ହେକ୍ଟର୍ ଜମିରେ ହଳଦୀ ଚାଷ ହୋଇଛି। ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି ଏବଂ ଫିରିଙ୍ଗିଆ ଆଦି ୫ଟି ବ୍ଲକ୍ରେ ଜିଲ୍ଲାର ମୋଟ ହଳଦୀ ଚାଷର ୯୫ ପ୍ରତିଶତ ଚାଷ ହେଉଥିବା ବେଳେ ବାକି ୭ଟି ବ୍ଲକ୍ରେ ମାତ୍ର ୫ ପ୍ରତିଶତ ହଳଦୀ ଚାଷ ହୋଇଥାଏ। ଚଳିତବର୍ଷ ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି ଏବଂ ଫିରିଙ୍ଗିଆରେ ବିପୁଳ ପରିମାଣର ହଳଦୀ ଉତ୍ପାଦିତ ହୋଇଛି। କିନ୍ତୁ ଚାଷୀ ଅଭାବୀ ବିକ୍ରିରୁ ମୁକୁଳି ପାରିନାହାନ୍ତି। ଜିଆଇ ଟ୍ୟାଗ୍ ମିଳିବା ପରେ ଦେଶବିଦେଶରେ କନ୍ଧମାଳ ହଳଦୀର ଚାହିଦା ବୃଦ୍ଧି ପାଇବା ସହ ବିକ୍ରିବଟା ବଢ଼ିବ ବୋଲି ଚାଷୀ ଆଶା ରଖିଥିଲେ। ମାତ୍ର, ସ୍ଥିତି ଯଥା ପୂର୍ବଂ ତଥା ପରଂ। କେବଳ ଘରୋଇ ବଜାରକୁ ଆଖି ଆଗରେ ରଖି କନ୍ଧମାଳର ହଳଦୀ ଚାଷୀ ଯାହା କିଛି ବିକ୍ରିବଟା କରି ନିଜକୁ ପ୍ରତିପୋଷଣ କରୁଛନ୍ତି। ଅନ୍ୟପଟେ, ‘କସମ୍’ ଚଳିତବର୍ଷ କନ୍ଧମାଳ ଜିଲ୍ଲାର ଚାଷୀଙ୍କଠାରୁ ୧୫୦୦ ମେଟ୍ରିକ୍ ଟନ୍ ହଳଦୀ କିଣିଥିଲା ବୋଲି ସମ୍ପାଦକ ସଞ୍ଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଯଦିଓ ସରକାର ହଳଦୀର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିନାହାନ୍ତି, ତଥାପି କନ୍ଧମାଳ ଜିଲ୍ଲା ପ୍ରଶାସନ ଏକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ଏମ୍ଏସ୍ପି ଅନୁଯାୟୀ, କଞ୍ଚା ହଳଦୀ କିଲୋ ପିଛା ୨୦ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ ଶୁଖିଲା ହଳଦୀ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ହଳଦୀଗୁଣ୍ଡ କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଆନ୍ଧ୍ର ଓ ଛତିଶଗଡ଼ର ବେପାରୀମାନେ ବହୁ କମ୍ ଦରରେ ଚାଷୀଙ୍କ ଠାରୁ ହଳଦୀ କିଣି ନେଉଛନ୍ତି।