ନବରଙ୍ଗପୁର : ଶିଳ୍ପବିହୀନ ନବରଙ୍ଗପୁର ଜିଲ୍ଲାରେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା ହେଉଛି। ଜାଗା ବି ଚିହ୍ନଟ କରାଯାଉଛି। ହେଲେ, ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇପାରୁନାହିଁ। ପୂର୍ବରୁ ଚିନି କାରଖାନା ଓ ପରେ ମକା ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ଯୋଜନା ହୋଇଥିଲା। ଏବେ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ମକାରୁ ପ୍ରସ୍ତୁତ ଇଥାନଲ୍ କାରଖାନା। ଗତବର୍ଷ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ହିନ୍ଦୁସ୍ଥାନ ପ୍ରେଟ୍ରୋଲିୟମ ନିଗମ ପକ୍ଷରୁ ୫୦୦ କୋଟି ଟଙ୍କା ନିବେଶରେ ଇଥାନଲ୍ ପ୍ରକଳ୍ପ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଥିଲା। ଏହି ଶିଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ଵିଣ୍ଡୋ କ୍ଲିୟରାନ୍ସ ଅଥରିଟି ବି ମଞ୍ଜୁରୀ ଦେଇସାରିଛି। ଇତିମଧ୍ୟରେ ୧୦ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶିଳ୍ପ ପାଇଁ ଜାଗା ଚିହ୍ନଟ ହୋଇପାରିନି।
ନବରଙ୍ଗପୁର ଜିଲ୍ଲା ମକା ଉତ୍ପାଦନରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲାରେ କେବଳ ଖରିଫ୍ରେ ସରକାରୀ ହିସାବରେ ୬୦ ହଜାର ହେକ୍ଟର ଓ ବେସରକାରୀ ହିସାବରେ ପ୍ରାୟ ୭୫ ହଜାର ହେକ୍ଟର ଜମିରେ ମକା ଚାଷ ହେଉଛି। ରବିରେ ବି ମକା ଚାଷ କିଛି କମ୍ ନୁହେଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୯ ମସିହା ଜାନୁଆରି ମାସରେ ନବରଙ୍ଗପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏଠାରେ ଏକ ବାୟୋ ଇନ୍ଧନ କାରାଖାନା ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ, ନବରଙ୍ଗପୁର ଜିଲ୍ଲାରେ ପ୍ରଚୁର ପରିମାଣରେ ମକା ଉତ୍ପାଦନ ହେଉଥିବାବେଳେ ଚାଷୀ ମକାର ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ମକାରୁ ବାୟୋ ଇନ୍ଧନ ବାହାରି ପାରିବ। ଏହାପରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ପ୍ରତିଶ୍ରୁତି ରକ୍ଷାକରି ଗତ ଅଗଷ୍ଟ ମାସରେ ଉମରକୋଟ ଠାରେ ୫୦୦ କୋଟି ଟଙ୍କା ବ୍ୟୟରେ ଇଥାନଲ୍ ପ୍ଲାଣ୍ଟକୁ ମଞ୍ଜୁରୀ ଦେଇଥିଲେ।
/sambad/media/post_attachments/wp-content/uploads/2022/06/eeefffftt-300x174.jpg)
ନବରଙ୍ଗପୁର, ବାଲେଶ୍ବର ଓ ଅନୁଗୁଳରେ ଇଥାନଲ୍ ପ୍ଲାଣ୍ଟକୁ ରାଜ୍ୟସ୍ତରୀୟ ସିଙ୍ଗଲ ଵିଣ୍ଡୋ କ୍ଲିୟରାନ୍ସ ଅଥରିଟି ବି ମଞ୍ଜୁରୀ ଦେଇସାରିଛି। ଉମରକୋଟଠାରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ନିଗମ ଦ୍ବାରା ୫୦୦ କୋଟି ଟଙ୍କା ନିବେଶରେ ହେବାକୁଥିବା ଏହି ପ୍ରକଳ୍ପ ଜରିଆରେ ୨୪୦ରୁ ଊର୍ଦ୍ଧ୍ବ ନିଯୁକ୍ତି ସୃଷ୍ଟି ହେବ। ଦିନକରେ ୫୦୦ କିଲୋ ଲିଟର ଇନ୍ଧନ ମିଳିପାରିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ପ୍ଲାଣ୍ଟ ପାଇଁ ପ୍ରାୟ ୬୦ ଏକର ଜାଗା ଆବଶ୍ୟକ ଥିବାବେଳେ ଏଚ୍ପିସିଏଲ୍ ପକ୍ଷରୁ ଜମି ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲା। ତେବେ, ଏବେ ସୁଦ୍ଧା ଜାଗା ଚିହ୍ନଟ ହୋଇନଥିବାରୁ ଶିଳ୍ପ ପ୍ରତିଷ୍ଠାରେ ବାଧକ ସାଜିଥିବା କହିଛନ୍ତି ବିଜେପି ନେତା ରମେଶ ଚନ୍ଦ୍ର ସାହୁ।
ଅନ୍ୟପକ୍ଷରେ, ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ମାତ୍ର କ୍ଷୁଦ୍ର ଶିଳ୍ପ ମଙ୍ଗଳମ୍ ଟିମ୍ବରସ୍ ଥିବାବେଳେ ତାହା ବର୍ତ୍ତମାନ ରୁଗ୍ଣ ଅବସ୍ଥାରେ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଷାଗୁମୁଡ଼ା ବ୍ଲକରେ ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ମଞ୍ଜୁରୀ ଦେବାପରେ ଉକ୍ତ ୟୁନିଟ୍ ପାଇଁ ପାଚେରି ନିର୍ମାଣ ହୋଇଛି ସତ, ହେଲେ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ନିର୍ମାଣ ହୋଇପାରିନି। ତେବେ, ନବରଙ୍ଗପୁର ଭଳି ଶିଳ୍ପ ବିହୀନ ଓ ଦାଦନ ପ୍ରବଳ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେତେ ତତ୍ପର ଏହି ଚିତ୍ରରୁ ସ୍ପଷ୍ପ ବାରି ହୋଇପଡ଼ୁଛି। ଅପରପକ୍ଷେ, ଇଥାନଲ ପ୍ରକଳ୍ପକୁ ମିଶାଇ - ଅନିଶ୍ଚିତତା ମଧ୍ୟରେ ରହିଯାଇଛି ୩ଟି ପ୍ରକଳ୍ପର ନିର୍ମାଣ।