ଅନୁଗୁଳ (ପତିତପାବନ ସାହୁ) : ସାରା ରାଜ୍ୟରେ ଏକଦା ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିଲେ ରବି ନାରାୟଣ ପାଣି। ୨୦୦୯ରେ ସେ ପାଳଲହଡ଼ାରୁ ବିଧାୟକ ଭାବେ ଜିତି ଶାସକ ବିଜେଡିର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ। ବିଭିନ୍ନ ଜିଲ୍ଲାରେ ଦଳର ପର୍ଯ୍ୟବେକ୍ଷକ ଭାର ବି ସମ୍ଭାଳିଥିଲେ। କିନ୍ତୁ ଏକ ନାଟକୀୟ ଘଟଣା କ୍ରମରେ ୨୦୧୪ରେ ପାଲଲହଡ଼ାରୁ ମହେଶ ସାହୁଙ୍କୁ ବିଜେଡି ଟିକେଟ ଦିଆଯିବା ଫଳରେ ସେ ଦଳ ପାଇଁ ଅଲୋଡ଼ା ହୋଇଗଲେ। ଆଉ ଗତ ଏକ ଦଶନ୍ଧି ହେଲା ସେମିତି ଅଖୋଜା ହୋଇ ପଡ଼ି ରହିଛନ୍ତି। କେବଳ ରବି ନାରାୟଣ ପାଣି ନୁହନ୍ତି। ଅନୁଗୁଳ ଜିଲ୍ଲାର ପାଖାପାଖି ଅଧ ଡଜନ ପ୍ରଭାବୀ ନେତା ଏବେ ନିଜ ନିଜ ଦଳ ପାଇଁ ଅପାଂକ୍ତେୟ ହୋଇଗଲେଣି। ସେଥିପାଇଁ ଦଳ ସେମାନଙ୍କୁ କୌଣସି ଦାୟିତ୍ବ ଦେଉନି କି ଦଳୀୟ କାର୍ଯ୍ୟକ୍ରମକୁ ଡାକୁନି। ଏହି ତାଲିକାରେ ବିଜେଡିର ଅଧିକ ନେତା ରହିଥିଲାବେଳେ ବିଜେପି ଓ କଂଗ୍ରେସରେ ବି ଅଲୋଡ଼ା ନେତାଙ୍କ ଅଭାବ ନାହିଁ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିଲାବେଳେ ଏଥର ଏହି ଅଲୋଡ଼ା ନେତାମାନଙ୍କର ଭାଗ୍ୟ ଉଦୟ ହେବ ନା ରାଜନୈତିକ କ୍ୟାରିଅର୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏପରିକି କିଛି ନେତାଙ୍କ ପାଇଁ ଏହି ନିର୍ବାଚନ ଶେଷ ସୁଯୋଗ ଭାବେ ଛିଡ଼ା ହୋଇଛି। ୧୯୮୯ରେ ରବିନାରାୟଣ ପାଣି ଜନତା ଦଳ ଟିକେଟରେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ। ୨୦୦୯ରେ ସେ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଲଢ଼ି ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରାଇ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ୨୦୧୪ରେ ବିଜେଡି ଆଉ ଟିକେଟ୍‌ ଦେଲାନି। ଦଳରେ ଧୀରେ ଧୀରେ ଗୁରୁତ୍ବ ହରାଇବା ପରେ ସେ ୨୦୧୯ରେ ବିଜେପିକୁ ଯାଇଥିଲେ। ହେଲେ ଏଠାରେ ମଧ୍ୟ ସେ ଉପେକ୍ଷିତ ହୋଇ ରହି ଯାଇଛନ୍ତି। ନା ଦଳ ତାଙ୍କୁ ଟିକେଟ ଦେଇଛି, ନା କୌଣସି ପଦପଦବି ଥଇଥାନ କରିଛି।

Advertisment

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ଏକଦା ଅନୁଗୁଳ ରାଜନୀତିରେ ପ୍ରଭାବଶାଳୀ ଥିଲେ। ଆଠମଲ୍ଲିକରୁ ସେ ୧୯୯୦, ୨୦୦୦ ଓ ୨୦୦୪ରେ ବିଧାୟକ ଭାବେ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୯ରେ ରାଜନୀତି ପଶାପାଲିରେ ତାଙ୍କୁ ବଳି ପକାଇ ଦିଆଯାଇଥିଲା। ୨୦୧୪‌ରେ ସମ୍ବଲପୁର ଲୋକସଭା ଆସନରୁ ସେ ବିଜେଡି ଟିକେଟରେ ଜିତିଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଅଉେ ଟିକେଟ ଦେଇ ନଥିଲା। ସାପସିଡ଼ି ପରି କ୍ୟାରିଅର୍‌ ଥିବା ନଗେନ୍ଦ୍ର ପ୍ରଧାନଙ୍କ ଭାଗ୍ୟରେ ଏଥର କଣ ରହିଛି ଆଉ କେଇ ମାସ ପରେ ଜଣାପଡ଼ିବ।

ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନ ଦିନେ ରାଜ୍ୟ କଂଗ୍ରେସ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ସେ ରାଜ୍ୟ ଛାତ୍ର କଂଗ୍ରେସର ମୁଖ୍ୟ ଥିଲେ। ୧୯୮୫ ଓ ୧୯୯୫ରେ ଆଠମଲ୍ଲିକ ଆସନରୁ ବିଜୟୀ ହୋଇ ସେ କଂଗ୍ରେସ ସରକାରରେ ମନ୍ତ୍ରୀ ଭାବେ କାମ କରିଥିଲେ। ୨୦୦୯ରେ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ। କିନ୍ତୁ ୨୦୧୪ରେ ସେଠାରୁ ପୁଣି ଲଢ଼ିଥିଲେ ମଧ୍ୟ ତାଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହାପରଠାରୁ ରାଜନୀତିରେ ଏକପ୍ରକାର ନିଷ୍କ୍ରିୟ ହୋଇଯାଇଛନ୍ତି ଶ୍ରୀ ପ୍ରଧାନ। ତେବେ ଏଥର ତାଙ୍କ ଗତିବିଧି ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ମଧ୍ୟ ଏବେ ଅଲୋଡ଼ା ହୋଇ ରହିଛନ୍ତି। ଆଠମଲ୍ଲିକ, ତାଳଚେର ବିଧାନସଭାରୁ ସେ ବିଜୟୀ ହେବା ସହ ଢେଙ୍କାନାଳ ଲୋକସଭା ଆସନରୁ ୧୯୮୯ରେ ଜନତା ଦଳ ଟିକେଟରେ ବିଜୟୀ ‌ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। କିନ୍ତୁ କାଳକ୍ରମେ ସେ ଦଳ ପାଇଁ ଅଲୋଡ଼ା ‌ହୋଇଥିଲେ। ଏବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ସକ୍ରିୟ ରହିଥିଲେ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ ପଛରେ ପଡ଼ି ଯାଇଛନ୍ତି।
ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ବର ବେହେରା ୨୦୧୪ରେ ବିଜେଡି ଟିକେଟ୍‌ରୁ ବଂଚିତ ହୋଇଥିଲେ ମଧ୍ୟ ଦଳ ଛାଡ଼ି ନାହାନ୍ତି। ଏବେ ନିର୍ବାଚନମଣ୍ଡଳୀ ସାରା ବ୍ୟାନର୍‌ ଲଗାଇଲେଣି। ପୁଣି ଟିକେଟ ଆଶାରେ ଥିବା ଏହି ନେତାଙ୍କୁ ଦଳ ଏଥର ଲୋଡ଼ିବ ନା ପୁଣି ଅବହେଳିତ ହୋଇ ରହିଯିବେ ତାକୁ ଅପେକ୍ଷା। ଏପଟେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରେ ଅଲୋଡ଼ା ହେବା ପରେ ବିଜେପିରେ ଯୋଗ ଦେଇଛନ୍ତି। ଏଥର ଦଳ ତାଙ୍କୁ ଆଠମଲ୍ଲିକରେ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଏଥର ଟିକେଟ ନ ମିଳିଲେ ତାଙ୍କ ରାଜନୈତିକ ଗ୍ରାଫ୍‌ ତଳମୁହାଁ ହେବା ନିଶ୍ଚିତ।