ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ପୁଅର ଭୁଜାଲି ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଭାଇ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ଓଝା (୫୮)। ଗୁରୁତରମାନେ ହେଲେ ରଞ୍ଜନ କୁମାର ଓଝା (୨୫) ଓ ବାସୁଦେବ ଓଝା (୨୨)। ପ୍ରାପ୍ତ ସୂଚନା ଅନୁସାରେ, ପ୍ରମୋଦଙ୍କ ବଡ଼ପୁଅ ରଞ୍ଜନ ସୀମା ସୁରକ୍ଷା ବଳରେ ସିପାହୀ ଭାବେ କାର୍ଯ୍ୟ କରୁଥିଲେ। ସେ ଅରୁଣାଚଳ ପ୍ରଦେଶରେ ରହୁଥିଲେ। ଘରେ ରଞ୍ଜନଙ୍କ ପତ୍ନୀ ରହୁଥିଲେ। ପାରିବାରିକ କଳହ ଯୋଗୁଁ ରଞ୍ଜନ ସପ୍ତାହେ ହେଲା ଛୁଟିରେ ଘରକୁ ଆସିଥିଲେ। ଆଜି ସନ୍ଧ୍ୟା ସାଢ଼େ ୭ଟା ବେଳେ ଘରୋଇ କଳିକୁ ନେଇ ରଞ୍ଜନ ଓ ବାପା ପ୍ରମୋଦଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରଞ୍ଜନ ଉତ୍ତ୍ୟକ୍ତ ହୋଇ ବାପା ପ୍ରମୋଦଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ମାଡ଼ରେ ପ୍ରମୋଦ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ।
ସାନଭାଇ ବାସୁଦେବ (୨୨) ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ରଞ୍ଜନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ବାସୁଦେବଙ୍କ ପିଠିରେ ଭୁଜାଲି ବାଜିଛି। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସାଇଁକୁଳ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ପ୍ରମୋଦଙ୍କୁ ମୃତ ଘୋଷଣା କରିଥିଲେ। ରଞ୍ଜନ ଓ ବାସୁଦେବଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ଓ ସାଇଁକୁଳ ଫାଣ୍ଡି ଅଧିକାରୀ ଅଶୋକ ପହି ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/murder-640x430-1.jpg)