ପୁଅର ସମାଧି ଜଗିଛି ବାପା, ମଶାଣିରେ ତାନ୍ତ୍ରିକ ଭୟ

ଚନ୍ଦାହାଣ୍ଡି: ଅନ୍ଧବିଶ୍ବାସ ହେଉ କିମ୍ବା ପୁଅ ପ୍ରତି ରହିଥିବା ଭଲ ପାଇବା। ସପ୍ତାହେ ହେଲା ସମାଧିକୁ ଜଗି ରହିଛି ଜଣେ ବାପା। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଏହି ଘଟଣା ପଛର କାହାଣୀ ଯେତିକି ରୋଚକ, ସେତିକି ଚିନ୍ତାଜନକ। କାରଣ ତାନ୍ତ୍ରିକ ଭୟ ଯୋଗୁ ଏହି ଅଭାଗା ବାପା ଜଣକ ଏମିତି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମର ରାଜେଶ ନାଗଙ୍କ ୪ବର୍ଷର ଶିଶୁପୁତ୍ର ଭୋଳା ନାଗ ଗତ ୧୯ତାରିଖ ଦିନ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଭୋଳାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଭୋଳା ଆଖି ବୁଜିଥିଲେ। ପୁଅର ଏଭଳି ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ରାଜେଶ। କେହି ତାନ୍ତ୍ରିକ ବିଦ୍ୟା ପ୍ରୟୋଗ କରି ପୁଅକୁ ମାରିଦେଇଥିବା ସନ୍ଦେହ କରୁଛନ୍ତି। ତେଣୁ ପୁଅକୁ ପୋତି ସମାଧି ତିଆରି କରିଛନ୍ତି। ସପ୍ତାହେ ହେଲା ସମାଧିକୁ ଦିନରାତି ଜଗି ରହିଛନ୍ତି। ରାଜେଶଙ୍କ ସହ ସଂପର୍କୀୟ ମଧ୍ୟ ସମାଧିକୁ ଜଗୁଥିବା ଦେଖିବାକୁ ମିଳିଛି। ‌ଆହୁରି ୧୪ଦିନ ଧରି ସଂପର୍କୀୟଙ୍କ ସହ ଏମିତି ପାଳି କରି ଜଗିବେ ବୋଲି ରାଜେଶ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ହେଲା, କୁଆଁରୀ କନ୍ୟା କିମ୍ବା ଶିଶୁର ମୃତ୍ୟୁ ହେଲେ ଶବକୁ ତାନ୍ତ୍ରିକ ନିଜ ସାଧନା ପାଇଁ ବ୍ୟବହାର କରିଥାଏ। ଏଥିପାଇଁ ମଶାଣିରୁ ଶବ ନେଇଥାନ୍ତି।

ତନ୍ତ୍ର ବଳରେ ଶବରେ ପ୍ରାଣନ୍ୟାସ କରି କୌଣସି ଅଙ୍ଗ ମାଗିଥାନ୍ତି। ପ୍ରାଣନ୍ୟାସ ପରେ ମୃତକ ଯେଉଁ ଅଙ୍ଗ ଦେଖାଇଥାଏ ତାହାକୁ ତାନ୍ତ୍ରିକ କାଟି ନେଇଥାଏ। ଆଗକୁ ସାବିତ୍ରୀ ଅମାବାସ୍ୟା। ଏଥିପାଇଁ କୌଣସି ତାନ୍ତ୍ରିକ ଯୋଜନା କରି ଭୋଳାକୁ ହତ୍ୟା କରିଛି। ମାଟି ଖୋଳି ଶବ ନେଇଯିବାର ସମ୍ଭାବନା ରହିଛି। ତାନ୍ତ୍ରିକ କବଳରୁ ପୁଅର ଶବକୁ ରକ୍ଷା କରିବାକୁ ରାଜେଶ ମଣାଣିରେ ରହିଛନ୍ତି। ତେବେ ଏଭଳି ଅନ୍ଧବିଶ୍ବାସ ଅନେକ ସମୟ‌ରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିବାର ନଜିର ରହିଛି। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସଚେତନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର