ପୁଅକୁ ବଞ୍ଚାଇବା ପାଇଁ ନାଗାବଳୀକୁ ଡେଇଁଲେ ବାପା

ରାୟଗଡ଼ା : ରାୟଗଡ଼ା ଝୁଲାପୋଲ ନିକଟ ନାଗାବଳୀ ନଦୀରେ ଆଜି ଅଘଟଣ ଘଟିଛି। ଗାଧୋଇବା ସମୟରେ ବାପା ଆଗରେ ଭାସିଯାଇଛି ୬ ବର୍ଷର ପୁଅ। ପୁଅକୁ ବଞ୍ଚାଇବା ପାଇଁ ବାପା ନଦୀକୁ ଡେଇଁଥିଲେ ମଧ୍ୟ ପାଣିର ପ୍ରଖର ସ୍ରୋତ ଉଭୟଙ୍କୁ ଭସାଇ ନେଇଥିଲା। ପ୍ରାୟ ଗୋଟିଏ କିଲୋମିଟର ଭାସିଭାସି ଯିବାପ‌ରେ ବାପା ଗୋଟିଏ ପଥର ଟାପୁରେ ଲାଗିଥିବା ବେଳେ ପୁଅ ନିଖୋଜ ହୋଇଯାଇଛି। ଗୋଟିଏ ଘଣ୍ଟାର କସରତ ପରେ ରାୟଗଡ଼ା ଅଗ୍ନିଶମ ବିଭାଗ ଟାପୁରେ ଫସିଥିବା ବାପାକୁ ଉଦ୍ଧାର କରିଛି।

ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଏ. ଗୋପାଳକ୍ରିଷ୍ଣା ରାଓ ନିଜ ପରିବାର ସହ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ। ମାନସିକ ଥିବାରୁ ୩ ପୁଅଙ୍କୁ ମୁଣ୍ଡନ କରିବା ପରେ ମା’ଙ୍କ ଦର୍ଶନ କରିଥିଲେ ଗୋପାଳକ୍ରିଷ୍ଣା। ମନ୍ଦିର ପରିସରରେ ଭୋଗ ଖାଇବାପରେ ସମସ୍ତେ ଝୁଲାପୋଲ ବୁଲିବାକୁ ଯାଇଥିଲେ। ଝୁଲାପୋଲରେ କିଛି ସମୟ ବିତାଇବା ପରେ ଗାଧୋଇବା ପାଇଁ ଅସୁରକ୍ଷିତ ନାଗାବଳୀ କୂଳକୁ ଯାଇଥିଲେ। ୩ ପୁଅ ନଦୀ ଭିତରକୁ ଯାଇ ସ୍ନାନ କରୁଥିବା ସମୟରେ ଗୋପାଳକ୍ରିଷ୍ଣାଙ୍କ ସାନ ପୁଅ ଏ. ଅମରେଶ ରାଓ ନଦୀ ଭିତରକୁ ଟାଣି ହୋଇଯାଇଥିଲେ। ଅମରେଶକୁ ବଞ୍ଚାଇବା ପାଇଁ ଦୁଇଭାଇ ଚେଷ୍ଟା କରୁଥିବା ସମୟରେ ସମସ୍ତେ ନଦୀ ଭିତରକୁ ଚାଲି ଯାଇଥିଲେ। ପିଲାଙ୍କ ଚତ୍କାର ଶୁଣି ନଦୀକୂଳରେ ଥିବା ବାପା ଗୋପାଳକ୍ରିଷ୍ଣା ନଦୀ ଭିତରକୁ ଡେଇଁ ୨ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ସାନ ପୁଅ ଅମରେଶକୁ ବଞ୍ଚାଇ ପାରିନଥିଲେ।

ନଦୀର ପ୍ରଖର ସ୍ରୋତରେ ପାଖାପାଖି ଗୋଟିଏ କିମି ପର୍ଯ୍ୟନ୍ତ ଭାସି ଯାଇଥିବା ଗୋପାଳକ୍ରିଷ୍ଣା ସାନ ପୁଅ ଅମରେଶକୁ ଉଦ୍ଧାର କରିବାକୁ ବହୁ ସଂଘର୍ଷ କରିଥିଲେ। ପଥୁରିଆ ନଦୀର ଗତିପଥରେ ବିଭିନ୍ନ ସ୍ଥାନରେ ପଥରରେ ପିଟି ହୋଇଥିଲେ। ତଥାପି ସାହସ ନ ହାରି ବହୁ ଖୋଜାଖୋଜି କରିଥିଲେ। ଶେଷରେ, ନଦୀଗର୍ଭରେ ଥିବା ଗୋଟିଏ ପଥର ଟାପୁରେ ଗୋପାଳକ୍ରିଷ୍ଣା ଲାଖି ରହିଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଟିଏ ଘଣ୍ଟାର ଉଦ୍ୟମ ପରେ ଗୋପାଳକ୍ରିଷ୍ଣାଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର