ବରଗଡ଼: ବାପା ବଞ୍ଚିଛି, ହେଲେ ସବା ସାନ ଝିଅ ମୁହଁ ଦେଖିନି। ବାପା କଥା କିଏ ସ୍କୁଲରେ ପଚାରିଲେ ନୁଖୁରା ମୁଣ୍ଡ ଆଉଁସି ହେଉଛି ଝିଅ। କାରଣ ଏଠି ଝିଅ ହେଲା ବୋଲି ବାପା ପରିବାରକୁ ପର କରିଦେଇଛନ୍ତି। ଦାରିଦ୍ର୍ୟ ଭିତରେ ସଢ଼ୁଥିବା ଗୋଟିଏ ପରିବାରର ଅକୁହା ବେଦନାର ଏଭଳି ଏକ ଚିତ୍ର ଭଟଲି ବ୍ଲକ୍ ତଥା ପଞ୍ଚାୟତ ଗୋପାଳପୁର ଗାଁରେ ଦେଖିବାକୁ ମିଳିଛି।
ବରଗଡ଼ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୨ କିମି ଦୂର ଗଲେ ପଡ଼ିଥାଏ ଗୋପାଳପୁର। ଗାଁ ଶେଷ ମୁଣ୍ଡରେ କିଛି ଭୂମିହୀନ ପରିବାରଙ୍କ ସହ ରୁହନ୍ତି ସୁକାନ୍ତି ପାତିକର ଓ ତାଙ୍କ ତିନି ଝିଅ। ସୁକାନ୍ତିଙ୍କ ବୃଦ୍ଧା ମା’ ମୁତୀ ପାତିକର ବି ସେମାନଙ୍କ ସହିତ ଅଛନ୍ତି ଏବଂ ଏକ ଜରାଜୀର୍ଣ୍ଣ ଘରେ ଜୀବନ ବିତାନ୍ତି। କିନ୍ତୁ, ଜରାଜୀର୍ଣ୍ଣ ଘର ଭିତରେ ଛୋଟ ଛୋଟ ତିନି ସ୍କୁଲ ପଢ଼ିବାକୁ ଯାଉଥିବା ଝିଅଙ୍କ ଭବିଷ୍ୟତ ଲୁଚି ରହିଛି। ପ୍ରତ୍ୟହ କୁନି କୁନି ଛୁଆ ସ୍କୁଲକୁ ଯାଆନ୍ତି। ଆଉ ପିଲା ସ୍କୁଲ ଗଲେ ମା’ ପର ଘରେ କିଛି କାମ କରି ଦୁଇ ପଇସା ରୋଜଗାର କରନ୍ତି। କିଏ କିଛି ଖାଇବାକୁ ଦେଲେ ଝିଅମାନଙ୍କ ପାଇଁ ଘରକୁ ଧରି ଆସିଥାନ୍ତି। ବୁଢ଼ୀ ମା’ ଚାଲିବୁଲି ପାରନ୍ତି ନାହିଁ। ତାଙ୍କ କହିବାନୁସାରେ, ସୁକାନ୍ତିଙ୍କ ହସଖୁସିର ସଂସାର ଥିଲା। ସୁଖଦେବଙ୍କୁ ବିବାହ କରିଥିଲେ।
ସୁଖଦେବ ବିବାହ ପରେ ପୁଅଟିଏ ହେଉ ବୋଲି ଆଶା ରଖିଥିଲେ। ପ୍ରଥମ ଝିଅ ହୋଇଥିଲା। ଦ୍ୱିତୀୟ ମଧ୍ୟ ଝିଅଟିଏ ହେଲା। ଆଉ ତୃତୀୟ ଝିଅ ଜନ୍ମ ପରେ ବି ପୁଅ ନପାଇବାରୁ ଘରେ ଗାଳିଗୁଲଜ କରି ଚାଲିଥିଲେ। ସବା ସାନ ଝିଅ ହେଉ ହେଉ ଘର ଛାଡ଼ି ଚାଲିଯାଇଥିଲେ। ବର୍ତ୍ତମାନ ଏକ ମାଟି କୁଡ଼ିଆରେ ତିନି ଝିଅ ବଢୁଛନ୍ତି। ପାଠ ବି ପଢୁଛନ୍ତି। ବାପଛେଉଣ୍ଡ ହୋଇଯାଇଥିବା ତିନି ଝିଅ ଅନେକ ସ୍ୱପ୍ନ ଦେଖିଛନ୍ତି। କିଏ କହୁଛି ଡାକ୍ତର ହେବ, ତ କିଏ କହୁଛି ଇଂଜିନିୟର ହେବ। ବଡ଼ ଝିଅ ଷଷ୍ଠ, ମଝିଆ ଚତୁର୍ଥ ଓ ସବା ସାନ ଝିଅ ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି। କିନ୍ତୁ ଏମାନଙ୍କ ସ୍ୱପ୍ନ ସାକାର ହେବ କେମିତି? ତାହା କେବଳ ଏକ ପ୍ରଶ୍ନ ନୁହେଁ, ଜୀବନ ସହିତ ଯୋଡ଼ି ହୋଇଯାଇଥିବା ଅନିଶ୍ଚିତତା ବି।