ଝିଅର ଶବକୁ ଜଙ୍ଗଲରେ ଫିଙ୍ଗିଦେଲେ ବାପା

ରୋଗ ପାଇଁ ବାସନ୍ଦ ଶବ, ସଂସ୍କାର କଲେ ସ୍ବେଚ୍ଛାସେବୀ

ବଲାଙ୍ଗୀର: ଯୁଗ ଯେତିକି ଆଗକୁ ଗଲେ ମଧ୍ୟ ଦୂର ହେଉନି ଅନ୍ଧବିଶ୍ୱାସ। ଅଜଣା ରୋଗରେ ମୃତ ଜଣେ ଯୁବତୀଙ୍କ ଶବକୁ ରୋଗ ଡେଇଁବା ଭୟରେ ବାସନ୍ଦ କଲେ ଲୋକେ। ଯାହା ଫଳରେ ଶବ ସତ୍କାର ନକରି ଝିଅର ଶବକୁ ଜଙ୍ଗଲରେ ଫିଙ୍ଗିଦେଲେ ବାପା। କିନ୍ତୁ ଏହା ଜାଣିବା ପରେ ସ୍ବେଚ୍ଛାସେବୀ ଶବକୁ ଉଦ୍ଧାର କରି ସମ୍ମାନର ସହିତ ସତ୍କାର କଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଡ଼ଯୋର ଗାଁରେ।
ବଡ଼ଯୋର ଗାଁର ରାଜେନ୍ଦ୍ର ଦୁଆରୀଙ୍କ ‌ଝିଅ ସଂଯୁକ୍ତା ଦୁଆରୀ (୨୯ବର୍ଷ) ହଠାତ୍‌ ଅସୁସ୍ଥ ଅନୁଭବ କଲେ। ତାଙ୍କ ପାଟିରେ ଘା’ ହୋଇଗଲା। ତରଭା ଡାକ୍ତରଖାନାରେ ଚିକିତ୍ସା ପରେ ମଧ୍ୟ ରୋଗ ଭଲ ହେଲା ନାହିଁ। ତାପରେ ନିଜ ଝିଅକୁ ଅଧିକ ଚିକିତ୍ସା ପାଇଁ ବାପା ବଲାଙ୍ଗୀରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରିଥିଲେ।

କିନ୍ତୁ ରୋଗ ଭଲ ହେଲା ନାହିଁ। ତାପରେ ଝିଅକୁ ଘରକୁ ଆଣି ଗୁଣି ଗାରେଡ଼ିର ସହାୟତା ନେଲେ ବାପା। ତଥାପି ରୋଗ ଭଲ ହେଲା ନାହିଁ। ଗତ ୧୪ ତାରିଖରେ ଝିଅକୁ କଟକ ବଡ଼ଡାକ୍ତରଖାନା ନେବା ପାଇଁ ଯୋଜନା କରୁଥିଲେ ବାପା। କିନ୍ତୁ ଆଖି ବୁଜିଦେଲା ଝିଅ। ତାପରେ ଗାଁରେ ପ୍ରଚାର ହୋଇଗଲା ଯେ ରାଜେନ୍ଦ୍ରଙ୍କ ଝିଅ ବସନ୍ତ ରୋଗରେ ଜୀବନ ହାରିଛି। ଫଳରେ ଶବକୁ ସତ୍କାର କରିବା ପାଇଁ କେହି ଆସିଲେନି। ଜ୍ଞାତି କୁଟୁମ୍ବ ପରିବାର ଲୋକଙ୍କୁ ଯେତେ ହାରିଗୁହାରି କଲେ ମଧ୍ୟ କେହି ଶୁଣିଲେ ନାହିଁ। ଏପରିକି ଝିଅର ଶବକୁ ବାହାରେ ଫିଙ୍ଗି ଦେବାପାଇଁ ଗାଁ ଲୋକେ କହିଥିଲେ। ଯାହା ଫଳରେ ବାଧ୍ୟ ହୋଇ ନିଜ ଝିଅର ଶବକୁ ଗାଁଠାରୁ ୩ କିଲୋମିଟର ଦୂର ଜଙ୍ଗଲକୁ ନେଇ ଫିଙ୍ଗି ଦେଇଥିଲେ ବାପା। ଏହି ଖବର ପାଇଥିଲା ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ।

ସଙ୍ଗେ ସଙ୍ଗେ ଶବବାହକ ଗାଡ଼ି ଧରି ବାହାରି ପଡ଼ିଥିଲେ ସ୍ବେଚ୍ଛାସେବୀ। ପ୍ରଥମେ ଗାଁକୁ ଯାଇ ମୃତ ଝିଅର ବାପା ରାଜେନ୍ଦ୍ରଙ୍କ ସହିତ ଆଲୋଚନା କରିଥିଲେ। ସ୍ବେଚ୍ଛାସେବୀଙ୍କ ଆଗରେ ସେଦିନର ଦୁଃଖ କାହାଣୀ ବଖାଣିଥିଲେ ରାଜେନ୍ଦ୍ର। ତାପରେ ନିଜ ଝିଅର ଶବ ଫିଙ୍ଗିଥିବା ସ୍ଥାନ ଦେଖାଇଲେ। ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ପୁଲିସ ଓ ପ୍ରଶାସନଠୁ ଅନୁମତି ନେଇ ଶବକୁ ଉଦ୍ଧାର କରିଥିଲେ। ଶବବାହାକ ଗାଡ଼ିରେ ଶବକୁ ଆଣି ବଲାଙ୍ଗୀର ବିଭୂତିପଡ଼ା ଶ୍ମଶାନରେ ସତ୍କାର କରିଥିଲେ। ଏହି ଘଟଣା ବିଷୟରେ ଅବଗତ ହେବା ପରେ ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଗଭୀର ଭାବେ ମର୍ମାହତ ହୋଇ ବିଭୂତିପଡ଼ା ଶ୍ମଶାନରେ ଉପସ୍ଥିତ ରହିଥିଲେ। ଅନ୍ତିମ ସଂସ୍କାର କାର୍ଯ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଯୁବ ସଂଗଠକ ବୁଲୁ ବେହେରା ସହଯୋଗ କରିଥିଲେ। ସ୍ବେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ସୁମିତ ମିଶ୍ର, ଲିଙ୍କନ ସେଠ, ରାଜେନ୍ଦ୍ର ସେଠ, ଦେବରାଜ ନାଗ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର