ବ୍ରହ୍ମପୁର: ବାପାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ଇଂଜିନିୟର ପୁଅ ଓ କିନ୍ନର ବୋହୂକୁ ଗିରଫ କରିଛି। ହତ୍ୟାର ଶିକାର ହୋଇଥିବା ଗରିବବନ୍ଧୁ ପଣ୍ଡା ଜଣେ ଅବସରପ୍ରାପ୍ତ କିରାଣି ଓ ସେ ସ୍ଥାନୀୟ ଅଯୋଧ୍ୟାନଗର ତୃତୀୟ ଲାଇନ୍ରେ ରହୁଥିଲେ। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଗତ ୧୬ ତାରିଖ ସକାଳୁ ଗରିବବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଏମ୍କେସିଜି ବଡ଼ଡାକ୍ତରଖାନାକୁ ନେଇଥିଲେ। ବଡ଼ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଗରିବବନ୍ଧୁଙ୍କ ଛାତି ହାଡ଼ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ କ୍ଷତ ଚିହ୍ନ ରହିଥିଲା। ଏ ନେଇ ଡାକ୍ତଙ୍କ ପକ୍ଷରୁ ପୁଲିସକୁ ସୂଚନା ଦିଆଯିବା ପରେ ବୈଦ୍ୟନାଥପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପଚରାଉଚରା ବେଳେ ଘର ଚଟାଣରେ ପଡ଼ିଯିବାରୁ ବାପା ଗୁରୁତର ହୋଇଥିବା ନେଇ ପୁଅ ସନ୍ଦୀପ ଡାକ୍ତର ଓ ପୁଲିସକୁ କହିଥିଲେ।
ତେବେ ଶରୀରରେ ଯେଉଁ ଧରଣର କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ତା’କୁ ଦେଖି ପୁଲିସର ସନ୍ଦେହ ଉପୁଜିଥିଲା। ଥାନାର ଏଏସଆଇ ପ୍ରସାଦ କୁମାର ବେହେରା ଅଯୋଧ୍ୟାନଗର ଯାଇ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ ମୃତ ଗରିବବନ୍ଧୁଙ୍କ ପତ୍ନୀଙ୍କ ୨ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ଝିଅ ଆମେରିକାରେ ରୁହନ୍ତି। ପୁଅ ସନ୍ଦୀପ ପୂର୍ବରୁ ମୁମ୍ବାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ପ୍ରବଳ ମଦ୍ୟପାନ କରୁଥିବାରୁ ସନ୍ଦୀପଙ୍କ ପତ୍ନୀ ଓ ଝିଅ ତାଙ୍କୁ ଛାଡ଼ି ବାପ ଘରକୁ ଚାଲିଯାଇଛନ୍ତି। ଘରେ ବାପା ଗରିବବନ୍ଧୁ ଓ ପୁଅ ସନ୍ଦୀପ ରହୁଥିଲେ। ସନ୍ଦୀପ ମୁମ୍ବାଇରେ ରହୁଥିବା ବେଳେ ମହାରାଷ୍ଟ୍ର ଥାନେ ଜିଲ୍ଲା କାଲସ୍ବା ଥାନା ଅନ୍ତର୍ଗତ ଶିବାଜୀନଗରର କିନ୍ନର ଶ୍ରୀୟା ଓରଫ ପ୍ରବୀଣ କୁମାର ଶର୍ମାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା। ପତ୍ନୀ ଛାଡ଼ି ଚାଲିଯାଇଥିବାରୁ ସନ୍ଦୀପ କିନ୍ନର ଶ୍ରୀୟାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ୩ ମାସ ହେଲା ନିଜ ଘରେ ଆଣି ରଖିଥିଲେ। ସନ୍ଦୀପ ଓ ଶ୍ରୀୟା ଏଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ଉଭୟେ ମୃତ ଗରିବବନ୍ଧୁଙ୍କୁ ଅନେକ ସମୟରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ l ୧୫ ତାରିଖ ରାତିରେ ଉଭୟେ ମଦ୍ୟପାନ କରି ବାପା ଗରିବବନ୍ଧୁଙ୍କ ସହ ଝଗଡ଼ା କରିଥିଲେ ଓ ତାଙ୍କ ଉପରେ ଟେବୁଲ ଫ୍ୟାନ୍ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାପରେ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।