ପୁଅ ଆଗରେ ସମୁଦ୍ରରେ ନିଖୋଜ ହୋଇଗଲେ ବାପା

ପୁରୀ: ବାପପୁଅ ଦୁହେଁ ମିଶି ସମୁଦ୍ରରେ ଗାଧୋଉଥିଲେ। ଜଣେ ସମ୍ପର୍କୀୟ ମଧ୍ୟ ଏହି ଗାଧୋଉଥିବାର ଭିଡିଓ ସୁଟିଂ କରୁଥିଲେ। କିନ୍ତୁ ଘଟିଛି ଅଘଟଣ। ପୁଅ ଆଗରେ ବାପା ସମୁଦ୍ର ଲହଡ଼ିରେ ନିଖୋଜ ହୋଇଯାଇଛନ୍ତି।
ବାଲେଶ୍ବର ଜିଲ୍ଲା ସିଙ୍ଗିଲା ଥାନା ଅନ୍ତର୍ଗତ ସଚିନାର ବଂଶୀଧର ବେହେରା(୩୫) ସମୁଦ୍ର ଲହଡ଼ିରେ ଲମ୍ଫ ମାରୁଥିଲେ। ସାଙ୍ଗରେ ଥିବା ଛୋଟ ପୁଅ ଏହାକୁ ଦେଖୁଥିଲେ। ଜଣେ ସମ୍ପର୍କୀୟ ମୋବାଇଲ୍‌‌ରେ ଭିଡିଓ ମଧ୍ୟ ସୁଟିଂ କରୁଥିଲେ। ଲହଡ଼ିକୁ ଲମ୍ଫ ମାରୁଥିବା ବେଳେ ବଂଶୀଧରଙ୍କ ମୁଣ୍ଡ ଲହଡ଼ି ତଳେ ଥିବା ବାଲିରେ ମାଡ଼ ହୋଇଯାଇଥିଲା। ପରେପରେ ଏକ ଲହଡ଼ି ଆସି ତାଙ୍କୁ ଭସାଇ ନେଇଥିଲା।

ଏ ସମସ୍ତ ଦୃଶ୍ୟ ମଧ୍ୟ ସମ୍ପର୍କୀୟଙ୍କ ମୋବାଇଲ୍‌ରେ ରେକର୍ଡ ହୋଇଥିଲା। କିଛି ସମୟ ପର୍ଯ୍ୟନ୍ତ ପୁଅ ସମୁଦ୍ରକୂଳରେ ବାପାଙ୍କ ଫେରିବାକୁ ଅପେକ୍ଷା କରିଥିଲା। ମାତ୍ର ବାପା ବଂଶୀଧର ଆଉ ଫେରିନଥିଲେ। ସମୁଦ୍ର ଲହଡ଼ି ତାଙ୍କ ଏତେ ଦୂର ଭସାଇ ନେଇଥିଲା ଯେ ଏପର୍ଯ୍ୟନ୍ତ ତାଙ୍କୁ ଠାବ କରାଯାଇପାରିନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ବଂଶୀଧରଙ୍କୁ ସମୁଦ୍ରରେ ଖୋଜା ଚାଲିଥିଲେ ମଧ୍ୟ ତାଙ୍କୁ ଠାବ କରାଯାଇପାରିନାହିଁ। ଏବେ ମଧ୍ୟ ବଂଶୀଧର ସମୁଦ୍ରରେ ନିଖୋଜ ଅଛନ୍ତି। ଏହି ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଲାଇଫ୍‌ଗାର୍ଡମାନଙ୍କୁ ନେଇ ବଂଶୀଧରଙ୍କୁ ଖୋଜାଖୋଜି କରୁଛି। ଏହାକୁ ନେଇ ବଂଶୀଧରଙ୍କ ପରିବାରରେ ଏବେ ଶୋକାକୂଳ ପରିବେଶ ସୃଷ୍ଟିଦେଇଛି।

ଅନ୍ୟପଟେ ଆଜି ବିପଦପୂର୍ଣ୍ଣ ସମୁଦ୍ରସ୍ନାନ ସମୟରେ ଦୁଇ ଜଣ ଯୁବକ ସମୁଦ୍ରରେ ଭାସିଯାଉଥିବା ବେଳେ ସେମାନଙ୍କୁ ଲାଇଫ୍‌ଗାର୍ଡମାନେ ଉଦ୍ଧାର କରିଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ଆଜି ପୂର୍ବାହ୍ନ ୯ଟା ୧୫ ମିନିଟ ସମୟରେ ଝାଡ଼ଖଣ୍ଡ ପୁଲମାଉ ଜିଲ୍ଲା ଦୁଲତିଗଞ୍ଜ ରାଞ୍ଚୋ ଅଞ୍ଚଳର ନିଶାନ୍ତ ଗୋୟଲ(୨୧) ଓ ହିମାଂଶୁ କୁମାର(୨୧) ଦ‌ୁହେଁ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ଏକ ବଡ଼ ଲହଡ଼ି ଆସି ସେମାନଙ୍କୁ ଭସାଇ ନେଇଥିଲା। ମାତ୍ର ଏଠାରେ ଡ୍ୟୁଟିରେ ଥିବା ଅଗ୍ନିଶମ ବିଭାଗର ଲାଇଫ୍‌ଗାର୍ଡମାନେ ସଙ୍ଗେ ସଙ୍ଗେ ସମୁଦ୍ର ଗର୍ଭକୁ ଲମ୍ପ ମାରି ଏହି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର