ପୁରୀ: ‘ସମ୍ବାଦ’ର ଆଶଙ୍କା ସତ ପ୍ରମାଣିତ ହୋଇଛି। ମାସ ମାସ ଧରି ବ୍ୟବହାର ନ ହୋଇ ପଡ଼ିରହିବା ଫଳରେ ମହାପ୍ରଭୁଙ୍କ ନାଁରେ ଆସିଥିବା ପ୍ରାୟ ୧୦ହଜାର କ୍ବିଣ୍ଟାଲ୍‌ ଅର୍ପଣଚାଉଳ ପୋକ ଲାଗି ନଷ୍ଟ ହୋଇଯାଇଛି। ଏହି ଚାଉଳରେ ଆଉ ମହାପ୍ରସାଦ ପ୍ରସ୍ତୁତ ହୋଇପାରିବ ନାହିଁ ବୋଲି ସୁଆର ମହାସୁଆର ନିଯୋଗ ସିଧାସଳଖ କହିଛି। ଏଣୁ ଏହାର ବିକଳ୍ପ କଥା ଚିନ୍ତା କରିବାକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛି ନିଯୋଗ। ନିଯୋଗ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛି। ବିକଳ୍ପ ଭାବେ ଏହି ଚାଉଳକୁ ପ୍ରୋସେସିଂ କରି ଦେବାକୁ ନିଯୋଗ ପ୍ରସ୍ତାବ ଦେଇଛି। ନଚେତ୍‌ ଅର୍ପଣ ଚାଉଳକୁ କୌଣସି ଏନ୍‌ଜିଓ ଅବା ଗରିବଙ୍କୁ ବାଣ୍ଟି ନୂଆ ଚାଉଳ ମହାପ୍ରସାଦ ପାଇଁ ଦେବାକୁ ନିଯୋଗ କହିଛି। ସୂଚନାଯୋଗ୍ୟ ଯେ ଜୁନ୍‌ ମାସ ୧୭ ତାରିଖରେ ‘ସମ୍ବାଦ’ରେ ଏ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ ଅର୍ପଣ ଚାଉଳରେ ପୋକ ଲାଗିବା ଆରମ୍ଭ କରିଥିବା ଦର୍ଶାଯାଇଥିଲା।

Advertisment

ଚଳିତବର୍ଷ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଥିଲା। ଏହା ପୂର୍ବରୁ ତତ୍‌କାଳୀନ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସାରା ରାଜ୍ୟ ବୁଲିଥିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ। ଏହି ରଥ ରାଜ୍ୟର ୩୦ଟି ଜିଲ୍ଲାର ପ୍ରତି ବ୍ଲକ୍‌ ସଦର ମହକୁମାରୁ ବାହାରି ପ୍ରତି ପଞ୍ଚାୟତ, ଗାଁ ପରିକ୍ରମା ଅବସରରେ ଭକ୍ତମାନେ ଚାଉଳ, ନଡ଼ିଆ, ଗୁଆ, ଟଙ୍କା ଆଦି ଅର୍ପଣ କରିଥିଲେ। ଭକ୍ତଙ୍କ ଅର୍ପଣ ଚାଉଳ, ନଡ଼ିଆ, ଗୁଆ, ଟଙ୍କା ଆଦି ବ୍ଲକ୍‌ ଓ ପଞ୍ଚାୟତସ୍ତରରୁ ସଂଗ୍ରହ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲାର ଜିଲ୍ଲାପାଳ, ବିଡିଓମାନେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରି ଏହି ଅର୍ପଣ ସାମଗ୍ରୀ ଗାଡ଼ି କରି ଆଣି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ। ଯୋଗାଣ ବିଭାଗ ଜରିଆରେ ଚାଉଳଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାୟକ୍ରମେ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରିବାକୁ ନିଷ୍ପତ୍ତି ହେଲା। ପରେ ସୁଆର ମହାସୁଆର ନିଯୋଗ ସହାୟତାରେ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ମାଗଣାରେ ବାଣ୍ଟିବାକୁ ନିଷ୍ପତ୍ତି ହେଲା। କିଛିଦିନ ବି ଭକ୍ତଙ୍କୁ ମାଗଣାରେ କାନିକା, ଖେଚୁଡ଼ି କରି ବଣ୍ଟାହେଲା। ନିର୍ବାଚନ ପୂର୍ବରୁ ଯେଉଁ ପ୍ରାଶାସନିକ ଅଧିକାରୀମାନେ ଏହି ନିଷ୍ପତ୍ତି ନେଇଥିଲେ, ସେମାନେ ବଦଳି ସାରିଛନ୍ତି। ନୂଆ ସରକାର ସିଛନ୍ତି। ଏଭଳି ସ୍ଥିତିରେ ନୂଆ ଅଧିକାରୀମାନେ ଅର୍ପଣ ଚାଉଳ ଦାୟିତ୍ବ ମୁଣ୍ଡାଇବାକୁ ପ୍ରସ୍ତୁତ ହୋଇନଥିଲେ। ସେପଟେ ଅବଢ଼ା ପ୍ରସ୍ତୁତି ପାଉଣା ନ ମିଳିବାରୁ ସୁଆର ମହାସୁଆର ନିଯୋଗ ବି ଅବଢ଼ା ପ୍ରସ୍ତୁତ କରିବା ବନ୍ଦ କରି ଦେଇଥିଲା। ପରିଣାମ ସ୍ବରୂପ ଆଜି ସବୁ ଚାଉଳ ନଷ୍ଟ ହୋଇ ଫିଙ୍ଗିହେବା ପରିସ୍ଥିତି ଉପୁଜିଛି।

ଯୋଗାଣ ବିଭାଗ ସୂଚନା ମୁତାବକ, ସାରା ରାଜ୍ୟରୁ ଅର୍ପଣ ରଥ ଜରିଆରେ ସମୁଦାୟ ୧୪୦୧୭.୨୩ କ୍ବିଣ୍ଟାଲ୍‌ ଅର୍ପଣ ଚାଉଳ ଆସିଥିଲା। ଏଥିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୬୧୦.୪୪ କ୍ବିଣ୍ଟାଲ୍‌, ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୬୧୮.୦୭ କ୍ବିଣ୍ଟାଲ୍‌ ଓ ଯୋଗାଣ ବିଭାଗର ପୁରୀ ଗୋଦାମରେ ୬୭୮୮.୭୨ କ୍ବିଣ୍ଟାଲ୍‌ ଚାଉଳ ଗଚ୍ଛିତ ରଖାଯାଇଥିଲା। ସେହିଭଳି ୩୯୪୯ଟି ନଡ଼ିଆ ଓ ୪୨୬ ବସ୍ତା ଗୁଆ ବି ମିଳିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ୧୫୦ ବସ୍ତା ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୭୬ ବସ୍ତା ଗୁଆ ଗଚ୍ଛିତ ରଖାଯାଇଥିଲା। ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକ୍ରମେ ପର୍ଯ୍ୟାୟକ୍ରମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଗଚ୍ଛିତ ଚାଉଳ ସୁଆାର ମହାସୁଆର ନିଯୋଗକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଦାନ କରାଯାଉଥିଲା। କେବଳ ଶ୍ରୀଗୁଣ୍ଡିଚା ମନ୍ଦିରରୁ ୩୮୫୬.୮୪ କ୍ବିଣ୍ଟାଲ୍‌ ଚାଉଳ ସୁଆର ମହାସୁଆର ନିଯୋଗକୁ ମହାପ୍ରସାଦ ପାଇଁ ପ୍ରଦାନ କରାଯାଇଛି। ଏବେ ବି ଶ୍ରୀଗୁଣ୍ଡିଚା ମନ୍ଦିର, ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ଓ ପୁରୀ ଯୋଗାଣ ବିଭାଗ ଗୋଦାମରେ ୧୦୧୬୦.୩୯ କ୍ବିଣ୍ଟାଲ୍‌ ଚାଉଳ ଗଚ୍ଛିତ ରହିଛି। ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ୧୦ହଜାର କ୍ବିଣ୍ଟାଲ୍‌ ଅର୍ପଣ ଚାଉଳରୁ ୭୫ ପ୍ରତିଶତ ନଷ୍ଟ ହୋଇଯାଇଛି। ମାତ୍ର ୨୫ ପ୍ରତିଶତ ଭଲ ଅଛି। ଏହି ଚାଉଳକୁ ପ୍ରୋସେସିଂ କରି ନ ଦେଲେ ମହାପ୍ରସାଦ ପ୍ରସ୍ତୁତ କରିବା ଅସମ୍ଭବ। ଏ ସମ୍ପର୍କରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ହୋଇଛି ବୋଲି ଶ୍ରୀ ମହାସୁଆର କହିଛନ୍ତି। ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଆମେ ପୂର୍ବରୁ ବହୁବାର ଅର୍ପଣ ଚାଉଳ ରକ୍ଷଣାବେକ୍ଷଣ କଥା ଉଠାଇଛୁ। କିନ୍ତୁ କେହି କିଛି ଶୁଣିଲେଣି। ଯେହେତୁ ଏହି ଚାଉଳ ନଷ୍ଟ ହୋଇଗଲାଣି, ଏହାକୁ କୌଣସି ଏନ୍‌ଜିଓ ଅବା ଗରିବମାନଙ୍କୁ ବାଣ୍ଟି ଦିଆଯାଉ।