ପୁରୀ: ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ନିଜେ ଅସୁରକ୍ଷିତ। ପାଣି ଝରି ଖାଲି ଫାଟ ମେଲୁନାହିଁ, ଫାଟ ସଂଖ୍ୟା ମଧ୍ୟ ବଢ଼ିବଢ଼ି ଚାଲିଛି। ମେଘନାଦ ପାଚେରିର ଏଭଳି ଦୁରାବସ୍ଥା ନେଇ ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନର ଚେତା ଫେରିଛି। ପାଚେରି ଫାଟ ଦେଇ ପାଣି ଝରିଝରି  ସୃଷ୍ଟି ହୋଇଥିବା ଶିଉଳି ଛଡ଼ାଯାଇ ଫାଟ ଯୋଡ଼େଇ ପ୍ରକ୍ରିୟା ତଥା ଗ୍ରାଉଟିଂ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଆନନ୍ଦ ବଜାର ନାଳ ସଫେଇ ସହ ମରାମତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପାଚେରି ମରାମତି ହେବ ବୋଲି କହିଛନ୍ତି। ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଅତୀତରେ କିଛି ଭୁଲ ପାଇଁ ଭବିଷ୍ୟତରେ କିଛି ଭୁଲ ହୁଏ। ତେବେ ଏ ସମ୍ପର୍କରେ ମୁଁ କୌଣସି ରାଜନୈତିକ ଟିପ୍ପଣୀ କରିବାକୁ ଚାହୁନାହିଁ। ଯାହା ସମସ୍ୟା ହୋଇଛି, ତା’ର ତ୍ବରିତ ମରାମତି କରାଯିବ। ଏଏସ୍‌ଆଇର ବୈଷୟିକ ଟିମ୍‌ ସ୍ଥିତି ଦେଖିଛନ୍ତି। ତେଣୁ କୌଣସି ପ୍ରକାର ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି। 

Advertisment

ନାଗା ମଠର ସନ୍ଥଙ୍କ କହିବା ଅନୁଯାୟୀ, ୨୦୨୧ ମସିହାରୁ ମେଘନାଦ ପାଚେରିରେ ପାଣି ଝରି ଫାଟ ମେଲିବା ଆରମ୍ଭ ହୋଇଥିଲା। ପରିକ୍ରମା ପ୍ରକଳ୍ପ ବେଳେ ଅନ୍ତତଃ ଏହାକୁ ଗୁରୁତ୍ବ ଦେବାର ଆବଶ୍ୟକତା ଥିଲେ ହେଁ ଏହାକୁ ଅଣଦେଖା କରାଯାଇଥିଲା। ଫଳରେ ଏବେ ଫାଟ ଧୀରେଧୀରେ ପ୍ରସାରିତ ହେବା ସହ ଏହି ସଂଖ୍ୟା ବଢ଼ି ମେଘନାଦ ପାଚେରିକୁ ଦୁର୍ବଳ କରିଛି। ଶ୍ରୀମନ୍ଦିର ଭିତର ଓ ବାହାର ବେଢ଼ାକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର। ଏବେ ପ୍ରଶ୍ନ, ବାରମ୍ବାର ଏନେଇ ଖବର ପ୍ରସାରଣ ପରେ ମଧ୍ୟ ଏଏସ୍‌ଆଇ ପକ୍ଷରୁ ଏହାର ପରୀକ୍ଷାନିରୀକ୍ଷା କରାଯାଇଛି କି? ପାଚେରିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସ୍ତବରେ ଗୁରୁତ୍ବାରୋପ କରାଯାଇଛି କି? 

ଜୋର୍‌ ଧରିଲା ମେଘନାଦ ପାଚେରି ସୁରକ୍ଷା
ଏଏସ୍‌ଆଇ ବୈଷୟିକ ଟିମ୍‌ ସ୍ଥିତି ଦେଖିଛନ୍ତି, ମରାମତି ହେବ: ଆଇନ ମନ୍ତ୍ରୀ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାଚେରିରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବା ଯୋଗୁ ରାମଦୟା ପରିଷଦ ନିକଟରେ ପାଚେରି ବାହାର ପାର୍ଶ୍ବକୁ ପେଟେଇ ରହିଥିବା ଭଳି ଦୃଶ୍ୟମାନ ହେଉଛି। ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପରେ ଭକ୍ତମାନଙ୍କ ହାତ ଧୁଆ ପାଣି ଏବଂ ଶୌଚ ପାଣି ନାଳ ମଧ୍ୟ ଦେଇ ନିଷ୍କାସିତ ହେଉଛି। କିନ୍ତୁ ନାଳର ସ୍ଥିତି ଯାଞ୍ଚ ହୋଇନଥିବାରୁ ଏହା ପାଚେରି ମଧ୍ୟରେ ସୃଷ୍ଟି ହୋଇଥିବା ଫାଙ୍କ ଦେଇ ତଳକୁ ଆସିବା ବେଳେ ଫାଟ ମେଲୁଛି।  ଫାଟ ଦେଇ ପାଣି ବହିବା ଯୋଗୁଁ ଶିଉଳି ଜମି ପାଚେରି ପାଇଁ ବିପଦ ସୃଷ୍ଟି କରିଛି। 

ଆଇନଜୀବୀ ଶରତ କୁମାର ରାୟଗୁରୁ କହିଛନ୍ତି, ପରିକ୍ରମା ପ୍ରକଳ୍ପ ବେଳେ ବହୁ ବଡ଼ବଡ଼ ଗର୍ତ୍ତ କରାଯାଇ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହା ଏନ‌୍ଏମ୍‌ଏର ନିୟମ ବିରୋଧୀ ଥିଲେ ମଧ୍ୟ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇଥିଲା। ବଡ଼ ଗର୍ତ୍ତ କରି ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଏଏସ୍‌ଆଇ ବାରମ୍ବାର ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ଥିଲା। କିନ୍ତୁ ଏଏସ୍‌ଆଇ ଏନେଇ ଗୁରୁତ୍ବ ଦେଇନାହିଁ। ଯଦି ମେଘନାଦ ପାଚେରି ଭୁଶୁଡ଼ିଯାଏ, ତେବେ ଶ୍ରୀମନ୍ଦିର ପ୍ରତି ଯେ ବିପଦ ରହିଛି ଏକଥାକୁ ଅଣଦେଖା କରାଯାଇପାରିବ ନାହିଁ। ସରକାରଙ୍କର ଏଏସ୍‌ଆଇ ଉପରେ ନିୟନ୍ତ୍ରଣ ନଥିବା ଜଳଜଳ ବାରି ହୋଇପଡ଼ୁଛି। ଯଦି ତ୍ବରିତ ପଦକ୍ଷେପ ନିଆନଯାଏ, ତେବେ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି।