ସମ୍ବଲପୁର: ପାୱାର ଚାନେଲରେ ଅଧିକ ପାଣି ଛଡ଼ା ଯିବା ଯୋଗୁ ଧନକଉଡ଼ା ବ୍ଲକ ଝାଙ୍କରପାଲି ଓ ରଘୁନାଥପାଲି ଅଂଚଳରେ ଲକ୍ଷ ଲକ୍ଷ ଟଙ୍କାର ଧାନ ନଷ୍ଟ ହୋଇଯାଇଛି। ପରିଶ୍ରମ କରି ସୁନାର ଫସଲ ଫଳେଇଥିଲେ ଚାଷୀ। କିଛି ଦିନ ଭିତରେ କରିଥାନ୍ତେ ଅମଳ। କିନ୍ତୁ, ବିଦ୍ୟୁତ ଉତ୍ପାଦନ ନିମନ୍ତେ ପାୱାର ଚାନେଲରେ ଅଧିକ ପାଣି ଛଡ଼ା ଯୋଗୁ ତାହା ଚାଷ ଜମିକୁ ମାଡ଼ି ଯାଇଛି। ଏଭଳି ସ୍ଥିତିରେ ଚାଷୀମାନଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ବିଦ୍ୟୁତ ଉତ୍ପାଦନ ନିମନ୍ତେ ପାଵାର୍ ଚ୍ୟାନେଲ୍ରେ ଅଧିକ ପାଣି ଛାଡ଼ିଯାଇଛି। ଆଗରୁ ବନ୍ଦ ହୋଇଥିବା ଚିପିଲିମା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର କେତେକ ୟୁନିଟ ଏବେ କାର୍ଯ୍ୟକ୍ଷମ ହୋଇଛି। ଗ୍ରୀଷ୍ମଦିନରେ ବିଦ୍ୟୁତର ଅଧିକ ଆବଶ୍ୟକତା ଥିବାରୁ ଅଧିକ ବିଦ୍ୟୁତ ଉତ୍ପାଦନ ନିମନ୍ତେ ହୀରାକୁଦ ଡ୍ୟାମ୍ରୁ ଅଧିକ ପାଣି ଛଡ଼ାଯାଉଛି। ଫଳରେ ପାୱାର ଚାନେଲରୁ ବାହାରୁଥିବା ପାଣି ରଘୁନାଥପାଲି ଓ ଝାଙ୍କରପାଲି ଗାଁର ଚାଷ ଜମିକୁ ମାଡ଼ି ଯାଇଛି। କେତେକ ଚାଷୀ ନିଜ ଧାନ କାଟି ସାରିଥିଲେ।
ଧାନପେଟା କ୍ଷେତରେ ପଡ଼ି ରହିଥିବା ବେଳେ ତାହା ଭିଜି ନଷ୍ଟ ହୋଇଯାଇଛି। ଅନ୍ୟ ଚାଷୀମାନେ କିଛିଦିନ ମଧ୍ୟରେ ଧାନ ଅମଳ କରିଥାନ୍ତେ। ହେଲେ, କ୍ଷେତରେ ପାଣି ଜମି ରହିଥିବା କାରଣରୁ ଧାନ କାଟିବାରେ ସମସ୍ୟା ହେଉଛି। ଏପଟେ କେତେକ ଚାଷୀ ଧାନଗୁଡ଼ିକ ବୁଡ଼ି ଯାଇଛି। ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଥିବା କାରଣରୁ ଧାନ ଗଜା ହୋଇଯାଇଛି। ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ। ତେଣୁ, ପ୍ରଶାସନ ପକ୍ଷରୁ ଏହାର ଏକ ବନ୍ଦୋବସ୍ତ କରାଯିବା ସହ ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି। ତଦନ୍ତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିବା ସହ ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।