ରାଉରକେଲା: ଆସନ୍ତା ନଭେମ୍ବର ୧୩ ଓ ୨୦ ଦୁଇଟି ପର୍ଯ୍ୟାୟରେ ପଡ଼ୋଶୀ ଝାଡ଼ଖଣ୍ଡରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡରେ ଉଭୟ କେନ୍ଦ୍ର ଓ ରାଜ୍ୟ ସୁରକ୍ଷାବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନକ୍ସଲ ହିଂସା ଆଶଙ୍କା ଥିବାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଉଛି। ଝାଡ଼ଖଣ୍ଡର ରେଢ଼ା, ସମଥା, ପଞ୍ଚଭାୟା, ଧନପାଲି, ଜଲଡେଗା, ବାନୋ, ଓଡ଼ଗାଁ, କାତେପୁର, ରାଇଡିହି, ଥାଲ୍‌କୋବାଦ୍‌, ଦିଘା ଆଦି ଅନେକ ଗାଁ ଓଡ଼ିଶା ସୀମାକୁ ଲାଗିଥିବାରୁ ଏସବୁ ଅଞ୍ଚଳରେ ସିଆର୍‌ପିଏଫ୍‌ର କୋବ୍ରା ବାହିନୀ, ଝାଡ଼ଖଣ୍ଡ ରାଜ୍ୟ ପୁଲିସର କମାଣ୍ଡୋ ବାହିନୀ ‘ଜାଗୁଆର’ ଓ ସ୍ଥାନୀୟ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଧରାପଡ଼ିବା ଭୟରେ ମାଓବାଦୀମାନେ ଝାଡ଼ଖଣ୍ଡରୁ ଏବେ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲର ଓଡ଼ିଶା ପାର୍ଶ୍ବକୁ ମୁହାଁଇଛନ୍ତି। ସେମାନେ ସରଣ୍ଡାରେ ମେଳି କରି ବଡ଼ଧରଣ ହିଂସା ଓ ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ମିସିର ବେସ୍‌ରା ଓରଫ ଭାସ୍କର, ଅଜୟ ମାହାତୋ,  ମୋହନ ଗଞ୍ଜୁ ପରି ଅନେକ ମାଓନେତା ସଙ୍ଗଠନର ନେତୃତ୍ବ ନେଉଛନ୍ତି। ନିର୍ବାଚନ ସମୟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ନିଜର ଉପସ୍ଥିତି ଜାହିର କରିବା ଓ ସଙ୍ଗଠନ ଚଳାଇବାକୁ ଆବଶ୍ୟକ ପାଣ୍ଠି ଯୋଗାଡ଼ ପାଇଁ ଯୋଜନା କରୁଛନ୍ତି। 

Advertisment

ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା  ଓଡ଼ିଶା ସୀମାରେ ସୁରକ୍ଷା ଢ଼ିଲା

ଗୁଇନ୍ଦା ସୂଚନା ଆଧାରରେ ଝାଡ଼ଖଣ୍ଡ ପୁଲିସ ସମ୍ପୂର୍ଣ୍ଣ ସତର୍କ ରହିଛି। ସମ୍ଭାବ୍ୟ ହିଂସା ରୋକିବାକୁ ଝାଡ଼ଖଣ୍ଡ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କିନ୍ତୁ ଓଡ଼ିଶା ପଟେ କେବଳ ସୀମାନ୍ତ ଜରେଇକେଲା ଚେକ୍‌ଗେଟ୍‌ରେ ଯାଞ୍ଚ କରାଯାଉଛି। ଝାଡ଼ଖଣ୍ଡ ପଟୁ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରୁଥିବା ସମସ୍ତ ଯାନବାହନ ଯାଞ୍ଚ କରାଯାଉଛି। ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଉପରେ ସୁନ୍ଦରଗଡ଼ ପୁଲିସ ଓ ସିଆର୍‌ପିଏଫ୍‌ ଯବାନ ନଜର ରଖିଛନ୍ତି। ହେଲେ ନୂଆଗାଁ, ବୀରମିତ୍ରପୁର, ଚାନ୍ଦିପୋଷ ସମେତ ସୁନ୍ଦରଗଡ଼ର ଅନ୍ୟକିଛି ସୀମାନ୍ତ ଅଞ୍ଚଳରେ ସୁରକ୍ଷା ଢିଲା ଥିବା ଦେଖିବାକୁ ମିଳୁଛି। ଏସବୁ ସୀମାନ୍ତ ରାସ୍ତାରେ ଯାଞ୍ଚ କରାଯାଉ ନଥିବାରୁ ସନ୍ଦିଗ୍ଧ ଲୋକ ତଥା ଅପରାଧୀତତ୍ତ୍ବ ସହଜରେ ରାଜ୍ୟରେ ପ୍ରବେଶ କରିବାର ସୁଯୋଗ ରହିଛି। ପ୍ରତି ସାଧାରଣ ବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀମାନେ କିଛି ନା କିଛି ହିଂସାକାଣ୍ଡ ଘଟାଇଥାନ୍ତି। ବିଗତ ନିର୍ବାଚନରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ନଜିର ରହିଛି। ନିକଟରେ ପଶ୍ଚିମ ସିଂହଭୂମ ଜିଲ୍ଲା ଟଣ୍ଟୋ ଥାନା ନିକଟସ୍ଥ ଜଙ୍ଗଲରୁ ଝାଡ଼ଖଣ୍ଡ ପୁଲିସ ଦୁଇଟି ଆଇଇଡି ବୋମା ଜବତ କରିଥିଲା। ଏହା ପୂର୍ବରୁ କମ୍ବିଂ ଅପରେସନ୍‌ ସମୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ସ୍ଥାନରୁ ଯବାନମାନେ ଏକେ-୪୭ ବନ୍ଧୁକର ୧୩୭ଟି ଗୁଳି ଜବତ କରିଥିଲେ। କେବଳ ଏତିକି ନୁହେଁ, ସରଣ୍ଡା ଜଙ୍ଗଲ ପାର୍ଶ୍ବ ପାହାଡ଼ରେ ପୁଲିସ-ମାଓବାଦୀ ଗୁଳିବିନିମୟ ମଧ୍ୟ ହୋଇଥିଲା। ମାଓବାଦୀ ସେଠାରୁ ଖସି ପଳାଇବା ପରେ ଘଟଣାସ୍ଥଳରୁ ଯବାନମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲେ।