ରଥରେ ଶେଷ ସ୍ପର୍ଶ: ତିନି ରଥର କନାମଣ୍ଡଣି ଆରମ୍ଭ

ରଥରେ ଶେଷ ସ୍ପର୍ଶ: ତିନି ରଥର କନାମଣ୍ଡଣି ଆରମ୍ଭ

ପୁରୀ : ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଦିନ ଜଳଯନ୍ତ୍ରରେ ପାର୍ଶ୍ବ ଦେବଦେବୀ ଓ ଶିଖର ଡମ୍ବରୁ ଲାଗିବା ଶେଷ ହୋଇଛି। କେବଳ ପ୍ରଭା ଲାଗିବା ବାକି ଥିବା ବେଳେ ଏହାର ରଙ୍ଗ କାର୍ଯ୍ୟ ଜାରି ରହିଛି। ସିଂହଦ୍ବାର ଚକଡ଼ାରେ ତିନି ରଥ ପହଞ୍ଚିବା ପରେ ତିନି ସାରଥୀଙ୍କୁ ରଥ ଉପରକୁ ନିଆଯିବ। ଅନ୍ୟପଟେ ଶନିବାର ଦିନ ତିନି ରଥରେ କନାମଣ୍ଡଣି ଆରମ୍ଭ ହୋଇଛି। କୋଠ ସୁଆଁସିଆମାନଙ୍କ ଦ୍ବାରା କନାମଣ୍ଡଣି କାର୍ଯ୍ୟର ଆଜି ଅନୁକୂଳ ହୋଇଛି। ଦରଜି ସେବକମାନେ ତିନି ରଥର କନା ତିଆରି ଶେଷ କରି ଦେବା ପରେ କୋଠ ସୁଆଁସିଆମାନେ ଆଜି ତିନି ରଥର ଦୁଆର ବେଢ଼ାରେ କନା ପକାଇଛନ୍ତି। ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର କହିଛନ୍ତି, ଆଜି ଦୁଆର ବେଢ଼ା, ଚନ୍ଦ୍ରଶାଳୀ, ଅଁଳା ସିଡି କନା ରଥରେ ଲାଗିଛି। ପରେ ମେଣ୍ଢା ମୁଣ୍ଡିଆ, ମଗରବତା କନା ଆଦି ଲାଗିବ। ଏହାସହ ଚାନ୍ଦୁଆ ଓ ଅନ୍ୟାନ୍ୟ କାମ ଜାରି ରହିଛି।

ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ସମସ୍ତ କନା କାମ ‌ଶେଷ ହେବ। ତିନି ଠାକୁରଙ୍କ ପାଇଁ ୨ଟି ଲେଖାଏଁ, ୬ଟି ସିଂହାସନ ଚାନ୍ଦୁଆ ତିଆରି ହେବ। ଦେଉଳକରଣଙ୍କ କହିବା ମୁତାବକ, ଦରଜି ସର୍ଦ୍ଦାର ଏହି ସବୁ କନା କାମ ପ୍ରସ୍ତୁତି କରିଥାନ୍ତି। ୧୮ଜଣ ଦରଜି ସେବକ ଏହି କାମରେ ନିୟୋଜିତ ଅଛନ୍ତି। ମୋଟ୍‌ ୧୨୫୦ ମିଟର ରଥକନା ବ୍ୟବହାର ହୋଇଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ ରଙ୍ଗର ୪୨୫ ମିଟର କନା, ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ନାଲି ଓ କଳାର ୪୦୦ ମିଟର କନା ଓ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ପାଇଁ ୪୨୫ ମିଟରର ନାଲି ଓ ସବୁଜ ରଙ୍ଗର କନା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe