ବ୍ରହ୍ମପୁର: ନ୍ୟାୟ ପାଇଁ ଦୀର୍ଘ ୪୪ଦିନର ସଂଘର୍ଷ ପରେ ଶେଷରେ ବୋହୂ ତପସ୍ବିନୀ ଦାଶଙ୍କ ସପକ୍ଷରେ ରାୟ ଦେଇଛନ୍ତି କୋର୍ଟ। ସେ ଶ୍ବଶୁର ଘରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତପସ୍ବିନୀଙ୍କ ଦ୍ବାରା ରୁଜୁ କରାଯାଇଥିବା ଏକ ଅପିଲ୍ର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆଇନ ଅନୁସାରେ ତପସ୍ବିନୀ ହେଉଛନ୍ତି ଡା.ସୁମିତ ସାହୁଙ୍କ ପତ୍ନୀ। ଏଣୁ ତପସ୍ବିନୀ ଶ୍ବଶୁରଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍ ତାଙ୍କ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି।
ଓକିଲ ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ତପସ୍ବିନୀଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ଡା. ସୁମିତ ୧୦ତାରିଖ ସୁଦ୍ଧା ୧୭ହଜାର ଟଙ୍କା ପ୍ରଦାନ କରିବେ। ଟଙ୍କା ଗ୍ରହଣ ବାବଦରେ ତପସ୍ବିନୀ ଏକ ରସିଦ୍ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଉଭୟ ପକ୍ଷର ପରିବାର ଲୋକେ ପରସ୍ପରଙ୍କୁ କୌଣସି ପ୍ରକାର ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ତପସ୍ବିନୀଙ୍କ ତରଫରୁ ରୁଜୁ ହୋଇଥିବା ମୂଳ ପିଟିସନ୍ର ଶୁଣାଣି ସରିବା ପର୍ଯ୍ୟନ୍ତ ଜିଲ୍ଲାଜଜ୍ଙ୍କ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ରାୟରେ ଦର୍ଶାଯାଇଛି। ଜିଲ୍ଲାଜଜ୍ଙ୍କ ଏହି ନିର୍ଦ୍ଦେଶନାମାର ନକଲ ବ୍ରହ୍ମପୁର ଏସ୍.ପି., ବ୍ରହ୍ମପୁର ଉପଜିଲ୍ଲାପାଳ, ବୈଦ୍ୟନାଥପୁର ଥାନା ଅଧିକାରୀ ଓ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀଙ୍କୁ ପ୍ରେରଣ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିବା ଆଇନଜୀବୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜିଲ୍ଲାଜଜ୍ଙ୍କ ରାୟ ପରେ ତପସ୍ବିନୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ ମୁଁ ଅତ୍ୟନ୍ତ ଖୁସି। ଆଜି ନାରୀ ସମାଜର ଜୟ ହୋଇଛି। ଦୀର୍ଘ ୪୪ ଦିନ ଧରି ଚାଲିଥିବା ମୋର ସଂଘର୍ଷ ସଫଳ ହେଲା ’ ଅନ୍ୟପଟେ ଜିଲ୍ଲାଜଜ୍ଙ୍କ ଆଜିର ରାୟକୁ ଚାଲେଞ୍ଜ୍ କରି ହାଇକୋର୍ଟରେ ଅପିଲ୍ କରାଯିବ ବୋଲି ଡା. ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/tapaswani-3.jpg)