ଚିଲିକାର ବିକାଶ ପାଇଁ ଅର୍ଥ କମିସନ୍ ସହାୟତା ମିଳୁନି, କେନ୍ଦ୍ର ସରକାର ରାଜ୍ୟର ଦାବି ଶୁଣୁ ନାହାନ୍ତି: ସଞ୍ଜୟ

ଭୁବନେଶ୍ବର: ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ହେବା ପରେ କେନ୍ଦ୍ର ସରକାରଙ୍କ ଦଶମ ଅର୍ଥ କମିସନ୍ ୨୭ କୋଟି, ଏକାଦଶ ଅର୍ଥ କମିସନ୍ ୩୦ କୋଟି, ଦ୍ବାଦର୍ଶ ଅର୍ଥ କମିସନ୍ ୩୦ କୋଟି ଓ ତ୍ରୟୋଦଶ ଅର୍ଥ କମିସନ୍ ୫୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ଅର୍ଥରେ ଚିଲିକା ହ୍ରଦର ସୁରକ୍ଷା, ପର୍ଯ୍ୟାବରଣ ସନ୍ତୁଳନ, ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ଜୀବନଜୀବିକା, ବିଶେଷ କରି ଚିଲିକା ଉପରେ ନିର୍ଭର କରୁଥିବା ସମସ୍ତ ଅଧିବାସୀଙ୍କ ପାରିପାର୍ଶ୍ବିକ ଓ ସମନ୍ବିତ ବିକାଶ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ୩୦ ବର୍ଷ ଧରି ବହୁ ପଦକ୍ଷେପ ନିଆଯାଇଛି। କିନ୍ତୁ ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିସନ୍ ଏ ବାବଦରେ ଅର୍ଥ ଦେଉ ନାହାନ୍ତି। ଆଜି ଚିଲିକାର ସୁରକ୍ଷା ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବୈଠକରେ ଅଧ୍ୟକ୍ଷତା କରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏ ନେଇ କ୍ଷୋଭ ପ୍ରକାଶ କରିବା ସହ ଚିଲିକାରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଥିଲେ।

ଶ୍ରୀ ଦାସବର୍ମା କହିଥିଲେ ଯେ ଚତୁର୍ଦ୍ଦଶ ଅର୍ଥ କମିସନ୍‌ଙ୍କ ନିକଟରେ ସମନ୍ବିତ ଉପକୂଳ ପରିଚାଳନା ଓ ଚିଲିକାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୦ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ପଞ୍ଚଦଶ ଅର୍ଥ କମିସନ୍‌ଙ୍କ ପାଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକା ପାଇଁ ୫୨୦ ଟଙ୍କାର ଦାବି ଉପସ୍ଥାପନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ଏ ଦିଗରେ ରାଜ୍ୟର ଦାବିକୁ ଗୁରୁତ୍ବ ଦେଇ ନାହିଁ। ଚିଲିକା ଏସିଆ ମହାଦେଶର ସର୍ବବୃହତ ଖାରିଜଳ ହ୍ରଦ। ଭାରତୀୟ ଉପମହାଦେଶର ଏକ ବିଶାଳ ଆର୍ଦ୍ରଭୂମି ତଥା ପ୍ରାକୃତିକ ସମ୍ପଦ। ଏହାର ସୁରକ୍ଷା ପାଇଁ ୧୯୯୧ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଗଠନ ହେବା ସହ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଲୋଜି ଓ ଆଇଆଇଟି ଖଡ଼ଗପୁର ଏହାର ପର୍ଯ୍ୟାବରଣ ଓ ଇକୋସିଷ୍ଟମର ସୁରକ୍ଷା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟ ଆଧାରରେ ଆଜି ପର୍ଯ୍ୟନ୍ତ ସିଡିଏ ଜରିଆରେ ଚିଲିକାର ସମନ୍ବିତ ବିକାଶ ଓ ଚିଲିକା ଜୈବ ବିବିଧତାର ସୁରକ୍ଷା ଏବଂ ଚିଲିକାକୁ ଆଧାର କରି ବଞ୍ଚୁଥିବା ଅଧିବାସୀଙ୍କର ଜୀବନଜୀବିକାର ସୁରକ୍ଷା ପାଇଁ କାର୍ଯ୍ୟ ହେଉଛି।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚିଲିକାର ସମସ୍ତ ଲିଡ୍ ଚ୍ୟାନେଲର ସୁରକ୍ଷା, ପର୍ଯ୍ୟାବରଣର ସୁରକ୍ଷା ଏବଂ ପାରିପାର୍ଶ୍ବିକ ଉନ୍ନୟନ କାମ ହାତକୁ ନେବା ପାଇଁ ତୁରନ୍ତ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିସନର ପ୍ରଦୀପ ଜେନା ଚିଲିକା ଆଉଟର୍‌ ଫଲ୍‌କୁ କେତେ ପରିମାଣର ପଟୁମାଟି ଚିଲିକା ଭିତରକୁ ପ୍ରବେଶ କରୁଛି, ତାହା ଉପରେ ଏକ ଆକଳନ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ପରାମର୍ଶ ଦେବା ସହ ଚିଲିକାର ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।
୩୦ ବର୍ଷ ଧରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷରେ ଦୈନିକ ମଜୁରୀ, ଠିକା ନିଯୁକ୍ତି ସଂସ୍ଥା ମାଧ୍ୟମରେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ବେତନ ବୃଦ୍ଧି ପାଇଁ ଶ୍ରୀ ଦାସବର୍ମା ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଉପରେ ଏକ ଆକଳନ କରିବା ପାଇଁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ବୈଠକରେ ଅର୍ଥ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ନିଧି କୁମାର ରାଉତରାୟ ଏବଂ ଯୋଜନା ଓ ସଂଯୋଜନ ବିଭାଗର ଉପ ଶାସନ ସଚିବ ଅଭୟ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର