କଟକ/ସିଡିଏ: ଆର୍ଥିକ ସମସ୍ୟାରେ ଅତିଷ୍ଠ ହୋଇ ଜଣେ ଆଇନଜୀବୀଙ୍କ ପରିବାରର ୩ ସଦସ୍ୟ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁବାର ରାତିରେ କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଘର କବାଟ ଭାଙ୍ଗି ବାପା, ମା’ ଓ ପୁଅଙ୍କୁ ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଛି। ଦମ୍ପତିଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ପୁଅ ସୁସ୍ଥ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସିଡିଏ ସେକ୍ଟର୍-୬ ଅଞ୍ଚଳରେ ଭଡ଼ାଘର ନେଇ ୨୦୨୧ ଡିସେମ୍ବରରୁ ୮୦ ବର୍ଷୀୟ ଉମାଚରଣ ପଣ୍ଡା, ତାଙ୍କ ପତ୍ନୀ ଓ ଅବିବାହିତ ପୁଅ ସୌମ୍ୟରଞ୍ଜନ ପଣ୍ଡା (୪୦) ରହୁଥିଲେ। ସୌମ୍ୟରଞ୍ଜନ ବେଙ୍ଗାଲୁରୁରେ ସଫ୍ଟୱେୟାର୍ କମ୍ପାନିରେ କାମ କରୁଥିଲେ। କିନ୍ତୁ ଏବେ ସେ କାମ ଛାଡ଼ି ଘରେ ରହୁଛନ୍ତି। ଉମାଚରଣ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁଁ ବର୍ତ୍ତମାନ ଘରେ ଅଛନ୍ତି। ପତ୍ନୀ ଗୃହିଣୀ ଅଟନ୍ତି। ପରିବାରରେ ଆର୍ଥିକ ସମସ୍ୟା ଲାଗି ରହିଥିଲା। ଏମିତିକି ଘର ମାଲିକଙ୍କୁ ନିୟମିତ ଘରଭଡ଼ା ମଧ୍ୟ ଦେଇ ପାରୁ ନଥିଲେ। ଘର ମାଲିକ ଉପର ମହଲାରେ ରହୁଥିବା ବେଳେ ଉମାଚରଣ ପରିବାର ସହିତ ତଳ ମହଲାରେ ରହୁଥିଲେ।
ଗୁରୁବାର ଘର ମାଲିକ ଦିନ ୧୦ରୁ ରାତି ୯ଟା ଯାଏ ଏହି ପରିବାରର କୌଣସି ସଦସ୍ୟଙ୍କ ଗତିବିଧି ଦେଖିବାକୁ ପାଇ ନଥିଲେ। ସନ୍ଦେହ ହେବାରୁ ରାତି ପ୍ରାୟ ୯ଟା ୩୦ ବେଳେ ତାଙ୍କ ଘର କବାଟ ବାଡ଼େଇଥିଲେ। କିନ୍ତୁ ଭିତରୁ କେହି କବାଟ ଖୋଲି ନଥିଲେ। ଏ ସମ୍ପର୍କରେ ସେ ତୁରନ୍ତ ମର୍କତନଗର ଥାନାରେ ସୂଚନା ଦେଇଥିଲେ। ରାତି ପ୍ରାୟ ୧୦ଟା ବେଳେ ମର୍କତନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରେ ପଶିଥିଲା। ପରିବାରର ତିନି ସଦସ୍ୟ କୀଟନାଶକ ପିଇ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମସ୍ତଙ୍କ ମୁହଁରୁ ଫେଣ ବାହାରୁଥିବା ବେଳେ ଚଟାଣରେ କୀଟନାଶକ ଔଷଧ ଡବା ପଡ଼ିଥିଲା। ସମସ୍ତଙ୍କୁ କଟକ ବଡ଼ଡାକ୍ତରଖାନାର ଭେଷଜ ବିଭାଗର ଡେଷ୍ଟିଚ୍ୟୁଟ୍ ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର କରିବାରେ ଆଉ କିଛି ସମୟ ବିଳମ୍ବ ହୋଇଥିଲେ ସମସ୍ତଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଯାଇଥାନ୍ତା ବୋଲି ମର୍କତନଗର ଥାନା ପୁଲିସ କହିଛି।
ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଉମାଚରଣଙ୍କର ତାଙ୍କ ଘର ମାଲିକଙ୍କ ସହିତ ଭଲ ସମ୍ପର୍କ ନଥିଲା। ଭଡ଼ା ଟଙ୍କାକୁ ନେଇ ବିବାଦ ଲାଗି ରହିଥିଲା। ସେକ୍ଟର୍ କମିଟିରେ ମଧ୍ୟ ଏ ପ୍ରସଙ୍ଗ ପହଞ୍ଚିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଡିସିପି ଅନୀଲ ମିଶ୍ରଙ୍କ କହିବା ଅନୁଯାୟୀ, ଲୋକଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗିଥିଲା। ତିନି ଜଣଙ୍କୁ ପୁଲିସ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।