ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ୍ ବଡ଼ଡୁମ୍ବୁଳା ଗ୍ରାମ ନିକଟ ପାହାଡ଼ରୁ ଚିକିଟି ଅଗ୍ନିଶମବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛି। ବୃଦ୍ଧାଜଣକ ହେଲେ ବଡ଼ଡୁମ୍ବୁଳାର ଚଞ୍ଚଳା ଦଳେଇ(୭୦)। ସେ ଗତକାଲି ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ତେବେ କିଛି ଗ୍ରାମବାସୀ ଗତକାଲି ସନ୍ଧ୍ୟାରେ ତାଙ୍କୁ ସ୍ଥାନୀୟ କେରାଣ୍ଡିମାଳ ସ୍ଥିତ ପାହାଡ଼
ପାଦଦେଶରେ ଦେଖିଥିଲେ। ପରେ ଗ୍ରାମର ୪ ଯୁବକ ଚଞ୍ଚଳାଙ୍କୁ ଉଦ୍ଧାର ପାଇଁ ପାହାଡ଼ ଉପରେ ଚଢ଼ିଥିଲେ।
ହେଲେ ସେମାନେ ବାଟବଣା ହୋଇଯାଇଥିଲେ। ପରେ ଘଟଣା ସଂପର୍କରେ ଚିକିଟି ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମବାହିନୀ ବିଳମ୍ବିତ ରାତି ପ୍ରାୟ ୨ ଟାରେ ପହଞ୍ଚି ପାହାଡ଼ ଚଢ଼ିଥିଲେ। ପ୍ରବଳ ଥଣ୍ଡାରେ ଅଗ୍ନିଶମ କର୍ମଚାରୀମାନେ ବହୁ କଷ୍ଟରେ ପାହାଡ଼ ଚଢ଼ି ସେଠାରେ ଚଞ୍ଚଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ବୃଦ୍ଧାଙ୍କୁ ପିଇବା ପାଇଁ ପାଣି ଦେଇଥିଲେ। ଆଓ ଦୌଡ଼ି ସହାୟତାରେ ସୁରକ୍ଷିତ ଭାବେ ତଳକୁ ଅାଣିଥିଲେ। ତେବେ ବୃଦ୍ଧା ଜଣଙ୍କ କିପରି ପ୍ରାୟ ୨ ହଜାର ଫୁଟ ଉଚ୍ଚ ପାହାଡ଼ ଚଢ଼ିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଗ୍ନିଶମ କର୍ମଚାରୀଙ୍କ ଏହି ଅକ୍ଲାନ୍ତ ପରିଶ୍ରମକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।