ଅଗ୍ନିଶମ ବିଭାଗ ଆଣିବ ସର୍ବକ୍ଷମା ଯୋଜନା, ନଗର ଉନ୍ନୟନ ବିଭାଗ-ଗୃହ ବିଭାଗ ମଧ୍ୟରେ ଚାଲିଛି ଟଣାଓଟରା

୪୫୦ରୁ ଅଧିକ ହସ୍ପିଟାଲ/କ୍ଲିନିକ, କିଛି ବେସରକାରୀ ଅନୁଷ୍ଠାନ ପାଇଁ ମସୁଧା

ଭୁବନେଶ୍ବର: ନଗର ଉନ୍ନୟନ ବିଭାଗ ପରି ଅଗ୍ନିଶମ ବିଭାଗ ସର୍ବକ୍ଷମା ଯୋଜନା ଆଣିବାକୁ ଯାଉଛି। ଯେପରି ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପାଇଁ ଜରିମାନା ଦେବା ସହ ଆବଶ୍ୟକ ସଂଶୋଧନ କଲେ ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକ ବେଆଇନ ନିର୍ମାଣକୁ ଆଇନ ସମ୍ମତ କରୁଛନ୍ତି; ଠିକ୍‌ ସେହିପରି ଅଗ୍ନିଶମ ବିଭାଗ ବିଭିନ୍ନ ସରକାରୀ ଓ ବେସରକାରୀ କୋଠା, ବହୁତଳ କୋଠା, ସପିଂମଲ୍‌, ଆପାର୍ଟମେଣ୍ଟ, ହୋଟେଲ, ହସ୍ପିଟାଲ, କ୍ଲିନିକ୍ ଆଦି ଠାରୁ ଜରିମାନା ନେଇ ଅଗ୍ନିଶମ ସାର୍ଟିଫିକେଟ୍‌ ଦେବ। ଅଗ୍ନିଶମ ସାର୍ଟିଫିକେଟ୍‌ ପାଇବା ନେଇ ଯେପରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର କୌଣସି ସମସ୍ୟା ରହିବନି ସେନେଇ ଅଗ୍ନିଶମ ବିଭାଗ ସର୍ବକ୍ଷମା ଯୋଜନା ଆରମ୍ଭ କରିବାକୁ ଯାଉଛି। ତେବେ ଏହା ଅନୁମୋଦନ ପାଇବା ପୂର୍ବରୁ କେଁ ଉଠିଲାଣି। ଅଭିଯୋଗ ହୋଇଛି ଯେ ଗୃହ ବିଭାଗ ଅଧୀନରେ ଥିବା ଅଗ୍ନିଶମ ବିଭାଗ ସର୍ବକ୍ଷମା ଯୋଜନା ଆଣିବା ପାଇଁ ଯେଉଁ ନିୟମ କରିବାକୁ ଯାଉଛି ତାହା ନଗର ଉନ୍ନୟନ ବିଭାଗର ଓଡ଼ିଶା କୋଠା ନିୟମକୁ କିଛି ମାତ୍ରାରେ ଉଲ୍ଲଂଘନ କରିପାରେ। ଏପରିକି ଯେଉଁ କୋଠାକୁ ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକ ବେଆଇନ ବୋଲି ଦର୍ଶାଇ ପ୍ଲାନ୍ ଅନୁମୋଦନ କରୁନାହାନ୍ତି ବା ସର୍ବକ୍ଷମା ଯୋଜନାରେ ପ୍ଲାନ୍ ଅନୁମୋଦନ କରୁନାହାନ୍ତି ସେହି କୋଠାଗୁଡ଼ିକ ଏବେ ସହଜରେ ଅଗ୍ନିଶମ ସାର୍ଟିଫିକେଟ୍‌ ପାଇଯିବାଲାଗି ବାଟ ଖୋଲିଯିବ।

କେବଳ ଏତିକି ନୁହେଁ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ଲାନ୍ ନେଇଥିଲେ ବି କେତେକ ସ୍ଥାନରେ ବହୁତଳ କୋଠାଗୁଡ଼ିକ କିଛି ନିୟମ ଉଲ୍ଲଂଘନ କରୁଥିବାରୁ ସେମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ୍ ମିଳୁନଥିଲା। ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏନ୍‌ଓସି ନଥିବାରୁ ବହୁ କୋଠାକୁ ଫାୟାର ଏନ୍‌ଓସି ମିଳୁନଥିଲା। ଫଳରେ ଅକୁପାନ୍ସି ସାର୍ଟିଫିକେଟ୍ ଦେ‌ବାବେଳେ ଅଗ୍ନିଶମ ବିଭ‌ାଗର ଏନ୍‌ଓସି ଆଣିବାକୁ ବାଧ୍ୟ କରାଯାଉଥିଲା। ଏବେ ଯଦି ଅଗ୍ନିଶମ ବିଭାଗ ଏନ୍‌ଓସି ମିଳିବା ସହଜ ହୋଇଯିବ ତେବେ ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକ ଅକୁପାନ୍ସି ଦେବାକୁ ଏକରକମ ବାଧ୍ୟ ହେବେ। ଗୋଟିଏ କୋଠା ପାଇଁ ସରକାରଙ୍କର ଦୁଇଟି ବିଭାଗର ଭିନ୍ନ ଭିନ୍ନ ନିୟମ ହେବାକୁ ଯାଉଥିବାରୁ ଏହାକୁ ନଗର ଉନ୍ନୟନ ବିଭାଗ ବିରୋଧ କରୁଛି। ଏପରିକି ଅଗ୍ନିଶମ ବିଭାଗ ଗୃହ ବିଭାଗକୁ ଏସଂକ୍ରାନ୍ତ ଫାଇଲ୍‌ ପଠାଇଥିଲେ ହେଁ ନଗର ଉନ୍ନୟନ ବିଭାଗ ବିରୋଧ ଯୋଗୁଁ ଏହା ଅନୁମୋଦନ ହୋଇପାରୁନି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିଲେ ହେଁ ସହରାଞ୍ଚଳରେ ଦେଖାଯିବାକୁ ଥିବା ବାସ୍ତବ ସମସ୍ୟାକୁ ନଗର ଉନ୍ନୟନ ବିଭାଗ ଉପସ୍ଥାପନ କରୁଥିବାରୁ ଗୃହ ବିଭାଗ ଅଡ଼ୁଆରେ ପଡ଼ିଛି।

ଗୋଟିଏ କୋଠା ପାଇଁ ଦୁଇ ପ୍ରକାରର ନିୟମ ହୋଇଯିବ

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ପ୍ରାୟ ୪୫୦ଟି ହସ୍ପିଟାଲ ଓ କ୍ଲିନିକ୍, ବହୁ ଛୋଟ ବଡ଼ ସପିଂ କମ୍ପ୍ଲେକ୍ସ, ସୋ’ରୁମ୍‌, ସରକାରୀ ଓ ବେସରକାରୀ ସଂସ୍ଥା, କିଛି ଆପାର୍ଟମେଣ୍ଟ ବିଡିଏ ଓ ସିଡିଏର ନିୟମକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରିଛନ୍ତି। ସେମାନେ ଗତ କିଛି ମାସ ତଳେ ଶେଷ ହୋଇଥିବା ନଗର ଉନ୍ନୟନ ବିଭାଗର ସର୍ବକ୍ଷମା ଯୋଜନାରେ ଆବେଦନ କରିପାରିନାହାନ୍ତି। ସେମାନେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟମ ଅନୁଯାୟୀ ସର୍ବକ୍ଷମା ଯୋଜନାରେ ବି ଆବେଦନ କରିବାକୁ ଯୋଗ୍ୟ ହୋଇନଥିଲେ। ତେଣୁ ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ୍‌ ପାଇନଥିଲେ। ସାର୍ଟିଫିକେଟ୍‌ ନଥିବାରୁ ହସ୍ପିଟାଲ/କ୍ଲିନିକ ଏବଂ ବିଭିନ୍ନ ଅନୁଷ୍ଠାନର ପଞ୍ଜୀକରଣ ନବୀକରଣ ହୋଇପାରୁନି। ଯଦି ଅଗ୍ନିଶମ ବିଭାଗର ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ସେମାନେ ସାର୍ଟିଫିକେଟ ହାସଲ କରିପାରିବେ। କିଛି ଉଦାହରଣରୁ ଜଣାପଡ଼ି ଯାଉଛି କିପରି ଅଗ୍ନିଶମ ବିଭାଗ ଆଣିବାକୁ ଥିବା ନୂଆ ନିୟମ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟମକୁ ଉଲ୍ଲଂଘନ କରୁଛି। ନଗର ଉନ୍ନୟନ ବିଭାଗର ଓଡ଼ିଶା କୋଠା ନିୟମ ଅନୁଯାୟୀ, ୨୧ମିଟର ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ କୋଠାର ଚାରିକଡ଼େ ଅତି କମରେ ୬ମିଟର ଲେଖାଏଁ ଖୋଲା ସ୍ଥାନ (ସେଟ୍‌ ବ୍ୟାକ୍‌) ଛାଡ଼ିବାକୁ ହେବ। ଏପରିକି ସବୁ ଆପାର୍ଟମେଣ୍ଟ ପାଇଁ ଚାରିକଡ଼େ ୬ମିଟର ଲେଖାଏଁ ଜାଗା ଛାଡ଼ିବା ବାଧ୍ୟତାମୂଳକ। ଏତିକି ନଥିଲେ ଏବେ ଅଗ୍ନିଶମ ବିଭାଗ ଏନ୍‌ଓସି ଦେଉନି। କିନ୍ତୁ ଅଗ୍ନିଶମ ବିଭାଗ ସର୍ବକ୍ଷମା ଯୋଜନାରେ ନିୟମ ଆଣିବାକୁ ଯାଉଛି ଯେ, ଯଦି ୨୧ମିଟର ଉଚ୍ଚତା ପର୍ଯ୍ୟନ୍ତ କୋଠା ସମ୍ମୁଖରେ ୬ମିଟରର ସର୍ବସାଧାରଣ ରାସ୍ତା ଥିବ ଏବଂ କୋଠାର ଦୁଇ ପାର୍ଶ୍ବରୁ କୌଣସି ପାର୍ଶ୍ବରେ ଯଦି ୪.୫ମିଟର ଓସାରର ଜାଗା ଛଡ଼ାଯାଇଥିବ ତେବେ ଚାରିକଡ଼େ ୬ମିଟର ଜାଗା ରଖିବା ନିୟମ ବାଧ୍ୟତାମୂଳକ ଲାଗୁ କରାଯିବନି। ଏପରିକି ୧୫ମିଟର ଉଚ୍ଚତା ପର୍ଯ୍ୟନ୍ତ କୋଠା ପାଇଁ ଚାରିକଡ଼େ କେତେ ଜାଗା ଛାଡ଼ିବା ତାହା ବାଧ୍ୟତାମୂଳକ ହେବନି। ଯଦି ସମ୍ମୁଖରେ ୬ମିଟର ଓସାରର ସର୍ବସାଧାରଣ ରାସ୍ତା ଥିବ ତେବେ ଅଗ୍ନିଶମ ସାର୍ଟିଫିକେଟ୍‌ ମିଳିଯିବ।

ଯଦି କୋଠାର କୌଣସି ବିଲଡିଂ ପ୍ଲାନ୍‌ ନାହିଁ ବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ପ୍ଲାନ୍‌ ନନେଇ କୋଠା ନିର୍ମାଣ କରାଯାଇଛି ତେବେ କୋଠାର ମାଲିକ ନିଜ ଦସ୍ତଖତ ବା କୌଣସି ଆର୍କିଟେକ୍ଟଙ୍କ ଦସ୍ତଖତରେ ଏହା ଦାଖଲ କରିବେ। ଏଥିରେ ଅଣ୍ଡରଟେକିଂ ଦିଆଯିବ ଯେ ସଂପୃକ୍ତ ବ୍ୟକ୍ତି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ପ୍ଲାନ୍ ଅନୁମୋଦନ କରିବେ ଓ ସେ କ୍ଷେତ୍ରରେ ବି ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ୍ ଦିଆଯିବ। ଏଥିପାଇଁ କେବଳ ଅଗ୍ନିଶମ ବିଭାଗର ସର୍ବକ୍ଷମା ନିୟମ ଅନୁଯାୟୀ ରାସ୍ତା ଓ ଖୋଲା ସ୍ଥାନ ଥିବା ଦରକାର। ଏହାବାଦ୍ ଯଦି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଜଣେ ୫ମହଲା କୋଠା କରିବାକୁ ଅନୁମତି ନେଇଛି ଏବଂ ୭ମହଲା କରିଦେଇଛି ତେବେବି ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ୍‌ ଦିଆଯାଇପାରିବ। ସିଡ଼ି ନେଇ ବିଶେଷ କଟକଣା ରହିବନି, ଯେତିକି ଅଞ୍ଚଳରେ ଘର ନିର୍ମାଣ କରିବାକୁ ଅନୁମତି ନେଇଥିବ‌େ ତା’ଠାରୁ ଯେତେ ଅଧିକ ଅଞ୍ଚଳରେ ନିର୍ମାଣ କଲେ ବି ଅଗ୍ନିଶମ ବିଭାଗର ସର୍ବକ୍ଷମା ଯୋଜନା ଅନୁଯାୟୀ ନିୟମ ଲାଗୁ କରି ଏନ୍‌ଓସି ଦିଆଯାଇପାରିବ।

ଏନେଇ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ସର୍ବକ୍ଷମା ଯୋଜନା ଆଣି ଅଗ୍ନିଶମ ନିରାପତ୍ତା ସାର୍ଟିଫ‌ିକେଟ୍ ଦେଲେ ଅସୁବିଧା ନାହିଁ। କିନ୍ତୁ ତାହା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟମକୁ ଅତିକ୍ରମ ନକରିବା ଦରକାର। ଏପରିକି ଉନ୍ନୟନ କର୍ତ୍ତୃପକ୍ଷ ଯେତେବେଳେ ଚାହିଁବେ ସେତେବେଳେ ବେଆଇନ କୋଠାର ଉଚ୍ଛେଦ କରିପାରିବାର ନିୟମ ରହିବା ଦରକାର। ଲୋକଙ୍କ ସୁବିଧା ଦୃଷ୍ଟିରୁ ସବୁ ବହୁତଳ କୋଠାକୁ ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ୍ ମିଳୁ। ଏହା ଯେପରି ବେଆଇନ ନିର୍ମାଣକାରୀଙ୍କୁ ନସୁହାଇବ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟମ ସହ କାର୍ଯ୍ୟକାରୀ କରାଯାଇପାରିବ ତାହାକୁ ଗୃହ ବିଭାଗ ନଜର ଦେବା ଦରକାର। ସେହିପରି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟମ ଅନୁଯାୟୀ ଆମେ ଅଗ୍ନିଶମ ଏନ୍‌ଓସି ଦେଉଥିବାରୁ ବହୁ ସ୍ଥାନରେ ସାମାନ୍ୟ ନିୟମ ଉଲ୍ଲଂଘନ କରିଥିବା ଲୋକ ବି ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ୍ ପାଉନଥିଲେ। ଲୋକଙ୍କ ସୁରକ୍ଷା ଏବଂ ବିଭିନ୍ନ ସଂସ୍ଥାଙ୍କ ହିତକୁ ଦେଖି ଅଗ୍ନିଶମ ବିଭାଗ ସର୍ବକ୍ଷମା ଯୋଜନା ଆଣିବାକୁ ଯୋଜନା କରିଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଲକ୍ଷାଧିକ ବେଆଇନ ନିର୍ମାଣ କୋଠା ଥିଲେ ହେଁ ଗତ ସର୍ବକ୍ଷମା ଯୋଜନାରେ ମାତ୍ର ୧୫ହଜାର ଆବେଦନ ହୋଇଥିଲା। ଏପରିକି ନଗର ଉନ୍ନୟନ ବିଭାଗ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବା ଯୋଜନା ଆବେଦନ ଅବଧି ତିନି ଥର ବଢ଼ାଇବା ପରେ ବି ଅଧିକ ଲୋକ ଆବେଦନ କଲେନି। ସାରା ରାଜ୍ୟରେ ପ୍ରାୟ ୧୫ହଜାର ଲୋକ ଆବେଦନ କଲେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବେଦନ ଫି’ କମାଇବା ପରେ ପ୍ରାୟ ୫ହଜାର ଆବେଦନ ଆସିଥିଲା। ହେଲେ ବହୁ ବ୍ୟବସାୟିକ କୋଠା, ଆପାର୍ଟମେଣ୍ଟ, ସପିଂ କମ୍ପ୍ଲେକ୍ସ, ହସ୍ପିଟାଲ/କ୍ଲିନିକ ଆଦି ଆବେଦନ କଲେନି।

ସମ୍ବନ୍ଧିତ ଖବର