ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଫୁଟିଲା ଗୁଳି: ସରପଞ୍ଚ, ସମିତିସଭ୍ୟାଙ୍କ ସ୍ବାମୀଙ୍କ ସମେତ ୫ ଗୁରୁତର

ବନ ବିଭାଗ ପକ୍ଷରୁ ଏତଲା

ଭୁବନ : ସରକାରୀ ଜାଗା ଦଖଲକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମ ଦୁଇଦିନ ହେଲା ଅଶାନ୍ତ ହୋଇପଡ଼ିଛି। ବୁଧବାର ଅପରାହ୍ନ ସାଢ଼େ ୪ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିମାଡ଼ ହୋଇଛି । ଏଥିରେ ସରପଞ୍ଚଙ୍କ ସ୍ବାମୀ ଓ ସମିତି ସଭ୍ୟାଙ୍କ ସ୍ବାମୀଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭୁବନ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ଘଟଣା ଅନୁସାରେ, ଭୁବନ ତହସିଲ ଗଡନୃସିଂହପ୍ରସାଦ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର କୁଣ୍ତିଗୋଡ଼ା ନିକଟରେ ଥିବା ସରକାରୀ ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦଖଲକୁ ନେଉଥିଲେ। ଏନେଇ ଗତ ମେ ମାସ ୧୭ ତାରିଖ ଦିନ ଭୁବନଠାରେ ହୋଇଥିବା ଜନ ଶୁଣାଣିରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା। ତହସିଲଦାର ଏ ସଂପର୍କରେ ପଦକ୍ଷେପ ନେବା ନିମନ୍ତେ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ, ଭୁବନ ତହସିଲ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆ ନଯିବାରୁ ମଙ୍ଗଳବାର ସନ୍ଧ୍ୟାରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ସରକାରୀ ଜାଗାରୁ ଜଙ୍ଗଲ ପଦାକରିବା ଅଭିଯୋଗରେ ଦୁଇଟି ଜେସିବିକୁ ଅଟକ ରଖିଥିଲେ। ଏହାପରେ ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ହୋଇଥିଲା। ଏଥିରେ ଭୟଭୀତ ହୋଇ ବନ ବିଭାଗ କର୍ମଚାରୀମାନେ ସ୍ଥାନ ଛାଡ଼ି ପଳାଇ ଆସିବାପରେ ଗୋଟିଏ ଜେସିବିକୁ ନେଇଯିବାରେ ସକ୍ଷମ ହୋଇଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ଭୁବନ ଥାନାରେ ଏତଲା ଦିଆଯାଇଛି। ଏତଲା ପରେ ପ୍ରାଶାସନିକ ଅଧିକାରୀଙ୍କୁ ସରପଞ୍ଚଙ୍କ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ବୁଧବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିମାଡ଼ ହୋଇଥିଲା।

ଘଟଣା ସମ୍ପର୍କରେ ସରପଞ୍ଚ ସୁନି ସାମଲଙ୍କ ସ୍ବାମୀ ଭଜମନ ସାମଲ କହିଛନ୍ତି, ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଠିଆ ହୋଇଥିବାବେଳେ ସମିତି ସଭ୍ୟା ପୁଷ୍ପାଞ୍ଜଳି ରାଉତଙ୍କ ସ୍ବାମୀ ଜିତେନ୍ଦ୍ର ରାଉତ ଓ ତାଙ୍କ ସମର୍ଥକ ହଠାତ୍ ଗୁଳି ଚାଳନା କରିଥିଲେ। ଯାହାଫଳରେ ତାଙ୍କ ମୁହଁ, ହାତ , କହୁଣି, ଗୋଡରେ ଆଘାତ ଲାଗିଛି। ତାଙ୍କ ସହଯୋଗୀ ଚିତ୍ରସେନ ସାହୁଙ୍କ ମୁଣ୍ତ ଓ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ଅନ୍ୟପକ୍ଷରେ ସମିତି ସଭ୍ୟାଙ୍କ ସ୍ବାମୀ ଶ୍ରୀ ରାଉତ କହିଛନ୍ତି ଯେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍‌ନାରେ ଏକ ବାଉଁଶ ବନ୍ଧା ଯାଇଥିଲା। ସେ ବାଉଁଶକୁ ହଟାଇ ଆଗକୁ ଯିବା ସମୟରେ ବିଭିନ୍ନ ମାରଣାସ୍ତ୍ର ଦ୍ବାରା ସରପଞ୍ଚଙ୍କ ସ୍ବାମୀ ଭଜମନ ସାମଲ ଓ ତାଙ୍କ ସମର୍ଥକ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ଭାଇ ତଥା ପୂର୍ବତନ ସରପଞ୍ଚ ଜୟପ୍ରକାଶ ରାଉତ, ପୁତୁରା ଓ ସେ ନିଜେ ଆହତ ହୋଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲେ ଏଭଳି ହିଂସାକାଣ୍ଡ ହୋଇ ନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଶାନ୍ତି ରକ୍ଷା ପାଇଁ ଭୁବନ ପୁଲିସ ସୁରପ୍ରତାପପୁରରେ ପହଞ୍ଚି ତଦନ୍ତ ଚଳାଇଛି।

ଏ ସଂପର୍କରେ ଭୁବନ ଥାନାଧିକାରୀ ପ୍ରଶାନ୍ତ ପାତ୍ରଙ୍କୁ ପଚାରିବାରୁ ସେ କହିଲେ,ପୁଲିସ ପକ୍ଷରୁ ଜେସିବିକୁ ଜବତ କରାଯାଇଥିଲା। ହେଲେ, କେହି ବ୍ୟକ୍ତି ଜେସିବି ଚକକୁ ପମ୍ପଚର କରିଦେଇଥିବାରୁ ଥାନକୁ ଅଣାଯାଇ ପାରି ନଥିଲା। ବନପାଳ କବିତା ବିଶ୍ବାଳ କହିଛନ୍ତି, ଅଭିଯୋଗ ପାଇ ସେ ସୁରପ୍ରତାପପୁର ଯାଇଥିଲେ। ଗଛ ନଷ୍ଟ ହୋଇଥିବାରୁ ଜେସିବିକୁ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର