ମାଲକାନଗିରି: ଜିଲ୍ଲାରେ ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସନ୍ଦିଗ୍ଧ ଗତିବିଧି ଉପରେ ରହିଛି ପୁଲିସର ତୀକ୍ଷ୍ଣ ନଜର। ତଥାପି ସହିଦ ସପ୍ତାହର ପ୍ରଥମ ଦିବସରେ ନଜରକୁ ଆସିଛି ମାଓବାଦୀ ଗତିବିଧି। କେତେକ ସ୍ଥାନରେ ମାଓବାଦୀ ପୋଷ୍ଟର ମାରିଥିବାବେଳେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ବୃତ୍ତଚିତ୍ରକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି।

Advertisment

ଆଜିଠାରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଥିବା ବେଳେ ସପ୍ତାହେ ବ୍ୟାପୀ ପାଳନ ହେବ। ଏଥିପାଇଁ ପୂର୍ବ ପ୍ରସ୍ତୁତି ରହିଥିବା ବେଳେ ଉତ୍ସବ ଭଳି ଆକାର ‌ଦିଆଯାଇଛି। ପ୍ରଥମ ଦିନ ହିଁ ଆୟୋଜନକୁ କେତେ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାଯାଇଛି ତାହା ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ସମେତ ମାଥିଲି ବ୍ଲକ୍‌ରଆଭ୍ୟନ୍ତରୀଣ ଅଂଚଳ, ପଡ଼ୋଶୀ ଛତିଶଗଡ଼ର ବିଭିନ୍ନ ଅଂଚଳରେ ମାଳ ମାଳ ନକ୍ସଲ ପୋଷ୍ଟର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ କଥିତ ଭାଷାରେ ଏହି ପୋଷ୍ଟରଗୁଡ଼ିକ ଲାଗିଛି। ପ୍ରତି ଗାଁରେ ସହିଦ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇ ଜନଆନ୍ଦୋଳନକୁ ତୀବ୍ରତର କରିବାକୁ କୁହାଯାଇଛି। ଏପରିକି ସଂଗଠନ ପକ୍ଷରୁ ଗୋଟିଏ ବୃତ୍ତଚିତ୍ର ପ୍ରସ୍ତୁତ କରାଯାଇଛି। ଯାହାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି। ମୋବାଇଲରୁ ମୋବାଇଲକୁ ଏହି ବୃତ୍ତଚିତ୍ର ଘୂରି ବୁଲୁଥିବା ବେଳେ ସଂଗଠନ ସଂପର୍କରେ ଅନେକ ତଥ୍ୟ ଦିଆଯାଇଛି। ତେଲୁଗୁ ଭାଷାରେ ପ୍ରସ୍ତୁତ ବୃତ୍ତଚିତ୍ରରେ ସମସ୍ତ କମ୍ରେଡ୍‌ଙ୍କ ଫଟୋ ଦେଖିବାକୁ ମିଳିଛି। ସଂଗଠନ ଲୋକଙ୍କ ପାଇଁ କିଭଳି ଏବଂ କଣ କାମ କରୁଛି। ଲୋକଙ୍କ ଜଳ, ଜମି ଓ ଜଙ୍ଗଲ ହକ୍ ପାଇଁ ଲଢ଼େଇ ସଂଗଠନ ଜାରି ରଖିଛି। ସରକାର କିପରି ଦମନ କରି ଲୋକଙ୍କୁ ଲୁଟ୍ କରୁଛନ୍ତି ତାହାକୁ ଦର୍ଶାଯାଇଛି। ପୁଲିସର ମିଥ୍ୟା ପ୍ରତିଶ୍ରୁତିରେ ଆତ୍ମସମର୍ପଣ କରିଥିବା ନକ୍ସଲ ଏବେ ପଶ୍ଚାତାପ କରୁଛନ୍ତି। ଶତ୍ରୁକୁ ହରାଇବା ଏବଂ ସରକାରଙ୍କ ସମାଧାନ ଯୋଜନାକୁ ପଣ୍ଡ କରିବାକୁ ସଂଗଠନ ଦୃଢ଼ସଂକଳ୍ପ ବୋଲି ପ୍ରକାଶ କରିଛି।

ଅପରପକ୍ଷରେ ସ୍ବାଭିମାନ ଅଂଚଳରେ ପୁଲିସ ଏବଂ ବିଏସ୍‌ଏଫ ସହ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି। ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଥିବା ବେଳେ ଗାଡ଼ି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି। ସୁରକ୍ଷାର ବଳୟ ସତ୍ତ୍ବେ ନକ୍ସଲ ଏହି ସପ୍ତାହ ପାଳନ କରି ନିଜର ତଥା ସମର୍ଥକଙ୍କ ମନୋବଳକୁ ବଢ଼ାଇବାକୁ ପ୍ରୟାସ କରୁଥିବା ସୂଚନା ମିଳିଛି। ଏଥିପାଇଁ ଦୁର୍ଗମ ଅଂଚଳରେ ସହିଦସ୍ତମ୍ଭ ନିର୍ମାଣ କରି ଆନ୍ଧ୍ର-ଓଡ଼ିଶା ବର୍ଡର ଡଭିଜନ ଏବଂ କୋରାପୁଟ-ମାଲକାନଗିରି ବର୍ଡର ଡିଭିଜନ ପକ୍ଷରୁ ସହିଦ ଦିବସ ପାଳନ କରାଯାଉଛି। ମାଥିଲି ବ୍ଲକର ଦୁର୍ଗମ ଅଂଚଳରେ ଦରଭା ଡିଭିଜନ ପକ୍ଷରୁ ସହିଦ ଦିବସ ପାଳନ କରାଯାଉଥିବା ସୂଚନା ମିଳିଛି।

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ସହିଦ ସପ୍ତାହ ନିମନ୍ତେ ବିଭିନ୍ନ ସ୍ଥାନରେ ନିଜ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନକ୍ସଲ ସହିଦ ସ୍ତମ୍ଭ ନିର୍ମାଣ କରି ଚାଲିଛନ୍ତି। ଦୁର୍ଗମ ଅଂଚଳରେ ଏହି ସହିଦ ସ୍ତମ୍ଭ ନିର୍ମାଣ କରି ସେଠାରେ ହିଁ ସହିଦ ସପ୍ତାହ ପାଳନ କରିବାକୁ ନକ୍ସଲ ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ଜାଣିବା ପରେ ସୁରକ୍ଷାରେ ନିୟୋଜିତ ଅର୍ଦ୍ଧସାମରିକ ବଳ ପହଞ୍ଚି ଏହାକୁ ଭାଙ୍ଗି ଦେଇଛନ୍ତି।

ଆଜି ଦନ୍ତେଵାଡ଼ା ଜିଲ୍ଲାର ମୁରିଆପାଲ ଅଂଚଳରେ ନକ୍ସଲ ସହିଦ ସ୍ତମ୍ଭ ନିର୍ମାଣ କରିଥିଲେ। ଆଗକୁ ଏଠାରେ ସହିଦ ସପ୍ତାହ ପାଳନ କରିବାକୁ ଯୋଜନା ରହିଥିଲା। କିନ୍ତୁ ଏ ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ଡିଆରଜି ଯବାନ ମୁରିଆପାଲ ଅଂଚଳକୁ ଅପରେସନରେ ବାହାରିଥିଲେ। ପୂର ଅଞ୍ଚଳକୁ ନିଜ କବ୍‌ଜାକୁ ନେବାପରେ ସହିଦ ସ୍ତମ୍ଭକୁ ଧ୍ବଂସ କରିଥିଲେ। ନକ୍ସଲ କମାଣ୍ଡର ପଡ଼ିଆ ଉଦ୍ଦେଶ୍ୟରେ ଏହି ସ୍ତମ୍ଭ ନିର୍ମାଣ କରାଯାଇଥିଲା। ଏହାକୁ ପୁଲିସର ବଡ଼ ସଫଳତା ବୋଲି କୁହାଯାଉଛି। ଦନ୍ତେୱାଡ଼ା ଏସ୍‌ପି ଅଭିଷେକ ପଲ୍ଲବଙ୍କ କହିବା ଅନୁଯାୟୀ, ପୁଲିସ ଗ୍ରାମବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଗ୍ରାମବାସୀ ନକ୍ସଲଙ୍କୁ ସମର୍ଥନ ନ କରି ପୁଲିସ ଉପରେ ବିଶ୍ବାସ ରଖିଛନ୍ତି। ଅପରପକ୍ଷରେ ସହିଦ ସପ୍ତାହ ପାଳନ ପାଇଁ ନକ୍ସଲ ଛତିଶଗଡ଼, ଆନ୍ଧ୍ର ଏବଂ ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳ ଗୁଡ଼ିକରେ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି। ଗୁଇନ୍ଦା ବିଭାଗ ସଜାଗ ରହିଛି, ଅସ୍ବାଭାବିକ ଗତିବିଧି ଉପରେ ନଜର ରଖିଛି।