ବୁର୍ଲା/ବୈପାରିଗୁଡ଼ା: ବର୍ଷର ପ୍ରଥମ ଦିନ ହେଲା ଜୀବନର ଶେଷ ଦିନ।  ଦୁଇଟି ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଗଲା। ହୀରାକୁଦ ନଦୀବନ୍ଧ ରାଇଟ୍‌ ଡାଇକ୍‌ଠାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେ‌ଳେ ୨ଜଣ ଗୁରୁତର ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମହୁଲି ଗ୍ରାମ ନିକଟସ୍ଥ ଶିବ ମନ୍ଦିର ଘାଟିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି।  

Advertisment

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଦେହେରିପାଲି ଗାଁର ସମ୍ପଦ ଭୁଏ(୨୫) ତାଙ୍କ ପତ୍ନୀ ଓ ସାନ ଭଉଣୀଙ୍କୁ ନେଇ ବଣଭୋଜି ପାଇଁ ଆସିଥିଲେ। ଭୋଜି ସାରି ଗାଁକୁ ଫେରିବା ସମୟରେ ଡାଇକ୍‌ ରାସ୍ତାରେ ସାମ୍ନାରୁ ଏକ ବାଇକ୍‌ ଦ୍ରୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ବାଇକ୍‌ ବରଗଡ଼ ଜିଲ୍ଲା ଅତାବିରା ଥାନା ସିଂହପାଲିର ଚନ୍ଦନ ମେହେର(୨୦) ଚଳାଉଥିବା ବେଳେ ପଛରେ ବସିଥିଲେ ସେହି ଗ୍ରାମର ବେଣୁଧର ଭୁଏ(୧୮)। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ବେଣୁଧର ଛିଟିକି ଯାଇ ଜଳଭଣ୍ଡାରର ପଥର ପ୍ୟାଚ୍‌ ଉପରେ କଚାଡ଼ି ହୋଇପଡ଼ିଥିଲେ। ଜିରୋ ପଏଣ୍ଟରେ ନି‌ୟୋଜିତ ଥିବା ବୁର୍ଲା ପୁଲିସ କର୍ମଚାରୀମାନେ ସମସ୍ତଙ୍କୁ ତୁରନ୍ତ ଭିମସାରକୁ ନେଇଥିଲେ। ସମ୍ପଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚନ୍ଦନ ଓ ବେଣୁଧରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଭିମସାର ଫାଣ୍ଡି ପୁଲିସ ତିନି ଶବକୁ ଜବତ କରିଛି। ଗୁରୁବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଗୁରୁତର ଥିବା ସମ୍ପଦଙ୍କ ପତ୍ନୀ ଓ  ଭଉଣୀଙ୍କୁ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମହୁଲି ଗ୍ରାମ ନିକଟସ୍ଥ ଶିବ ମନ୍ଦିର ଘାଟିରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି।  ଆଜି ରାତିରେ ଏକ ଟ୍ରକ୍‌(ଏପି ୦୭ ଟିଏଫ୍ ୩୪୩୪) ବୈପାରିଗୁଡ଼ା ଦେଇ ଜୟପୁର ଅଭିମୁଖେ ଯାଉଥିଲା। ମହୁଲି ଗ୍ରାମ ନିକଟସ୍ଥ ଶିବ ମନ୍ଦିର ଘାଟିରେ ଏହି ଟ୍ରକ୍‌ ଏକ ଗଛକୁ ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବା ବେଳେ ଏମାନଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରେ ବୈପାରିଗୁଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।