ଚନ୍ଦ୍ରଶେଖରପୁର: ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଡ଼କଣ ମୋ ବସ୍ ଡିପୋରେ ୪୦ଟି ଇ-ବସ୍‌ର ଶୁଭାରମ୍ଭ କରିଛନ୍ତି। ୫ଟି ଡବଲ୍ ଡେକର୍ ଏବଂ ୧୦ଟି ହପ୍ ଅନ୍ ହପ୍ ଅଫ୍ ଇ-ବସ୍ ସେବା ସାଧାରଣତଃ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପ୍ରମୁଖ ଦର୍ଶନୀୟ ସ୍ଥାନ ଏବଂ ସାଂସ୍କୃତିକ ଐତିହ୍ୟସ୍ଥଳୀକୁ ସଂଯୋଗ କରିବ। 

Advertisment

ସେହିପରି ପୁରୀ ସହରରେ ବିଭିନ୍ନ ତୀର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବା ପାଇଁ ୨୫ଟି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରଥମ ଯାତ୍ରୀମାନଙ୍କ ମଧ୍ୟରେ ଦୁଇଜଣ ଦିବ୍ୟାଙ୍ଗ ଯାତ୍ରୀ ଥିଲେ। ସେମାନଙ୍କର ହ୍ୱିଲ୍ ଚେୟାର ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପ୍ରଥମ ଦୁଇଟି ବସ୍ ଟିକେଟ୍ ପ୍ରଦାନ କରିଥିଲେ। ଏହି ବସ୍‌ର ବିଶେଷତ୍ବ ହେଉଛି ଦିବ୍ୟାଙ୍ଗ ଯାତ୍ରୀମାନେ ବସ୍‌ରେ ଥିବା ରୢାମ୍ପ ସାହାଯ୍ୟରେ ସେମାନଙ୍କର ହ୍ୱିଲ୍ ଚେୟାର ସହିତ ଯାତ୍ରା କରିପାରିବେ।

ଏସ୍‌ଜେଟିଏ ବସ୍ ଭଡ଼ା ସାଧାରଣ ମୋ ବସ୍ ଭଡ଼ା ଭଳି ଥିବାବେଳେ ଡବଲ୍‌ ଡେକର ବସ୍ ଭଡ଼ା ସର୍ବନିମ୍ନ ୩୦ ଟଙ୍କାରୁ ସର୍ବାଧିକ ୧୭୦ ଟଙ୍କା ସହିତ ଏକ୍ସପ୍ରେସ୍ ସେବା ଭାବରେ ଗତି କରିବ। ସେହିପରି ହପ୍ ଅନ୍ ହପ୍ ଅଫ୍ ଇ-ବସ୍‌ରେ ମାତ୍ର ୨୦୦ ଟଙ୍କା ମୂଲ୍ୟରେ ଦୈନିକ ପାସ୍ କରି ଯାତ୍ରୀମାନେ ଏହାର ନିର୍ଦ୍ଦିଷ୍ଟ ବସ୍ ରୁଟ୍‌ରେ ଅନବରତ ଯାତ୍ରା କରିବାର ସୁଯୋଗ ପାଇପାରିବେ। ପରବର୍ତ୍ତୀ ସମୟରେ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ଡବଲ୍‌ ଡେକର୍‌ ବସ୍‌ରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଜନତା ମୈଦାନ ପର୍ଯ୍ୟନ୍ତ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ବସ୍ ଟିକେଟ୍ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ, ପ୍ରଶାନ୍ତ ଜଗଦେବ, ଉନ୍ନୟନ କମିସନର ଅନୁ ଗର୍ଗ, ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ କମିସନର ଅମିତାଭ ଠାକୁର, କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଏନ. ଥିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।