ବି‌‌ଜେପି ମହିଳା ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ: ପ୍ରତି ବୁଥ୍‌ରେ ମହିଳାଙ୍କୁ ଏକାଠି କରି ରଣନୀତି ପ୍ରସ୍ତୁତ କର: ଧର୍ମେନ୍ଦ୍ର

ମହିଳାଙ୍କ ଶିକ୍ଷା‌, ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବ ‌ମହିଳା ମୋର୍ଚ୍ଚା
୧୨ଟି ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ

ଭୁବନେଶ୍ବର : ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସେମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ଆଲୋଚନା ହେବା ସହ ଆଗାମୀ ଦିନରେ ମହିଳା ସଶକ୍ତୀକରଣ ଓ ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେବା ନେଇ ଆଲୋଚନା ହୋଇଥିଲା।

ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ କହିଥିଲେ ଯେ ରାଜ୍ୟରେ ମହିଳା ଭୋଟରଙ୍କ ବଡ଼ ଯୋଗଦାନ ରହିଥିବା ବେଳେ ଆଗାମୀ ଦିନରେ ମହିଳାଙ୍କ ନେତୃତ୍ବରେ ହିଁ ରାଜନୈତିକ ପରିବର୍ତ୍ତନ ଘଟିବ। ଏଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହ ଢାଞ୍ଚାଗତ ବିକାଶ କରିବା ପାଇଁ ମହିଳା ମୋର୍ଚ୍ଚା ନେତୃତ୍ବ ନେବା ଦରକାର। ୪୦ ହଜାର ବୁଥ୍‌ରେ ମହିଳାଙ୍କୁ ଏକାଠି କରି ଆଗାମୀ ଦିନ ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଯେ ପର୍ଯ୍ୟନ୍ତ ସମସ୍ତ ବୁଥ୍‌ରେ ମହିଳାଙ୍କୁ ଏକାଠି କରାଯାଇ ଟେକ୍ନୋଲୋଜି ମାଧ୍ୟମରେ ମୋଦୀ ସରକାରଙ୍କ ସୁବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥାକୁ ଉପସ୍ଥାପନ କରାଯିବ ନାହିଁ ସେ ପର୍ଯ୍ୟନ୍ତ ଓଡ଼ିଶାର ଅଗ୍ରଗତି ଅସମ୍ଭବ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ, ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ମିସନ ଶକ୍ତି ପ୍ରତିଷ୍ଠା କରି ହୀନ ରାଜନୀତି କରୁଛନ୍ତି। କେନ୍ଦ୍ରୀୟ ଅନୁଦାନକୁ ହଡ଼ପ କରି ସାବାସି ନେଉଛନ୍ତି। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ତଦାରଖ କରିବା ପାଇଁ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ତୃଣମୂଳ ସ୍ତରରେ ପଦକ୍ଷେପ ନେବା ଦରକାର। ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ସବୁ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଯିବ। ମହିଳାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଅଗ୍ରାଧିକାର ଦେଇ ମହିଳା ମୋର୍ଚ୍ଚା କାର୍ଯ୍ୟ କରିବ। ପଞ୍ଚାୟତ ସ୍ତରରୁ ମହିଳାଙ୍କୁ ସବୁ କ୍ଷେତ୍ରରେ ଆଗ ଧାଡ଼ିକୁ ଆଣିବା ପାଇଁ ପଦକ୍ଷେପ ନିଆଯିବ। ଆଜିର ବୈଠକରେ ଓଡ଼ିଶାରେ ମହିଳାଙ୍କ ସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ ପାଇବା ସହ ୧୨ଟି ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। କେନ୍ଦ୍ର ସରକାରଙ୍କ ‘ବେଟି ବଚାଅ ବେଟି ପଢ଼ାଅ’ ଅଭିଯାନକୁ ରାଜ୍ୟ ସରକାର କାର୍ଯ୍ୟାନ୍ବୟନ କରିବାରେ ସମ୍ପୂର୍ଣ୍ଣ ବିଫଳ ହେବା ସହ ଏଥିରେ ଆସୁଥିବା କୋଟି କୋଟି ଟଙ୍କାକୁ ହରିଲୁଟ୍‌ କରାଯାଉଛି ବୋଲି ଦଳ ଅଭିଯୋଗ କରିଛି। ମିସନ୍ ଶକ୍ତିକୁ ଭୋଟ୍‌ ବ୍ୟାଙ୍କ ପରି ନ ଦେଖି ମହିଳାଙ୍କୁ ଆତ୍ମନିର୍ଭର ଭାରତରେ ସ୍ବୟଂସମ୍ପୂର୍ଣ୍ଣା କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ବୋଲି ବୈଠକରେ କୁହାଯାଇଥିଲା। ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନମାନର ଛତୁଆ ଯୋଗାଣ, ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗ ଚିଠା ପ୍ରସ୍ତାବରେ ସ୍ଥାନ ପାଇଛି। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଅନିତା ଶୁଭଦର୍ଶିନୀ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସୁଷମା ରାଣୀ ବିଶ୍ବାଳ, ନିୟତି ଗିରି, କସ୍ତୁରୀ ମିଶ୍ର, ନିରୋଜ ନଳିନୀ ମହାଲ୍ଲିକ, ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର