ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ, ୫ଟି ଗେଟ୍‌ରେ ପାଣି ଛାଡ଼ିଲା

ହୀରାକୁଦ : ସୋମବାର ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ‌ ହୋଇଛି। ସୋମବାର ସକାଳ ୧୧ଟାରେ କିଛି ସମୟ ବ୍ୟବଧାନରେ ୫ଟି ସ୍ପିଲୱେ ଖୋଲାଯାଇଛି।

ପରମ୍ପରା ଅନୁସାରେ, ପୂଜାର୍ଚ୍ଚନା ପରେ ଉତ୍ତରାଞ୍ଚଳ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳାଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଇଂ. ଆନନ୍ଦ ଚନ୍ଦ୍ର ସାହୁ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସରୋଜ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ସୁଧୀରରଞନ ସାହୁ, ନିର୍ବାହୀ ଯନ୍ତ୍ରୀ ପ୍ରିୟରଞନ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ବାମ ପାର୍ଶ୍ବରେ ୩ଟି ଓ ଡାହାଣ ପାର୍ଶ୍ବରେ ୨ଟି ସ୍ପିଲ୍‌ୱେ ଖୋଲାଯାଇଥିଲା। ଗେଟ୍ ଖୋଲିବା  ୩ଘଣ୍ଟା ପୂର୍ବରୁ ସାଇରନ୍ ବଜାଯାଇ ଜନସାଧାରଣଙ୍କକୁ ସତର୍କ କରାଯାଇଥିଲା। ସୋମବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୨୭ ରହିଥିବା ‌ବେଳ ୯୯ ହଜାର ୧୩୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଜଳଭଣ୍ଡାରରୁ ୧ ଲକ୍ଷ ୧୫ ହଜାର ୧୮୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ସେଥିରୁ ୫ଟି ସ୍ପିଲ୍‌ୱେ ଦେଇ  ୭୫ ହଜାର ୬୫୦ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ବିଦ୍ୟୁତ ଉତ୍ପାଦନ ନିମନ୍ତେ ପାୱାର ଚାନେଲରେ ୩୫ ହଜାର ୧୪୬ କ୍ୟୁସେକ ଏବଂ ଜଳସଚେନ ନିମନ୍ତେ କେନାଲଗୁଡ଼ିକରେ ୪୧୧୩ କ୍ୟୁସେକ ପାଣି ବିଭିନ୍ନ କେନାଲରେ ଛଡ଼ାଯାଇଥିବା ବେଳେ ୨୭୪ କ୍ୟୁ‌ସେକ ବିଭିନ୍ନ ଶିଳ୍ପାନୁଷ୍ଠାନ ଟାଣୁଛନ୍ତି। ଆଜି ସ୍ପିଲୱେ ନିକଟକୁ ଯିବା ପାଇଁ ସାମ୍ବାଦିକମାନଙ୍କୁ ବାରଣ କରାଯାଇଥିଲା। ତେବେ, ଗେଟ୍‌ ଖୋଲିବା ପରେ ପାଣି ଦେଖିବା ହୀରାକୁଦ ସହର ଫଲସାକଣ୍ଟା ମହାନଦୀ ତଟରେ ଜନସାଧାରଣଙ୍କ ପ୍ରବଳ ଭିଡ଼ ହୋଇଥିଲା।

ସମ୍ବନ୍ଧିତ ଖବର