ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ଆଜି ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା। ଉଭୟ ବିରୋଧୀ ଓ ଶାସକ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ହେଁ ତାହା ସଫଳ ହୋଇନଥିଲା। ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରି ନଥିଲା। ଅପରାହ୍ନରେ ଗୃହ ଚାଲିଥିଲା। ହେଲେ ବିଲ୍ ଆଲୋଚନା ପାଇଁ ସୁଯୋଗ ନ ମିଳିବା ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।
ଆଜି ବିଜେପି ସଭ୍ୟମାନେ କଳାବ୍ୟାଚ୍ ପିନ୍ଧି ଗୃହକୁ ଆସିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସେମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। ସେମାନଙ୍କ ପ୍ରଶ୍ନକୁ କାହିଁକି ଅଗ୍ରାହ୍ୟ କରାଯାଉଛି ବୋଲି ନାରାବାଜି କରି ବାଚସ୍ପତିଙ୍କ ଠାରୁ ଜବାବ ମାଗିଥିଲେ। ଏପଟେ ଶାସକ ଦଳ ସଭ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଥିଲେ। କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେପି ବିରୋଧରେ ନାରାବାଜି କରିଥିଲେ। କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରୁ ନଥିବାରୁ ତାହାର ପ୍ରତିବାଦ କରିଥିଲେ। ଉଭୟ ପକ୍ଷର ହୋହଲ୍ଲା ଭିତରେ ଗୃହ ଚଳାଇବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।
୧୨ଟା ବେଳେ ମଧ୍ୟ ସମାନ ସ୍ଥିତି ଲାଗି ରହିଲା। ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ଶାସକ ଦଳ ସଭ୍ୟମାନେ ବି ନାରାବାଜି କରିଥିଲେ। ଏହାରି ଭିତରେ ବାଚସ୍ପତି କହିଥିଲେ, ବିଧାୟକଙ୍କ ପ୍ରଶ୍ନ ଅଗ୍ରାହ୍ୟ ହେଲେ ପାଞ୍ଚ ଦିନ ପୂର୍ବରୁ ଜଣାଯାଏ। କିନ୍ତୁ କାହିଁକି ଜଣାଯାଇ ନାହିଁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପତ୍ର ମାଧ୍ୟମରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରିବାକୁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ସଦସ୍ୟଙ୍କୁ ଜଣାଇବେ ବୋଲି ବାଚସ୍ପତି କହିଥିଲେ। କିନ୍ତୁ ଗୃହରେ ଅସ୍ବାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଲେ।
ବିଜେପି ବିଧାୟକଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ନେଇ ହୋହଲ୍ଲା
ବିଜେଡି ସଭ୍ୟ ବି ଏମ୍ଏସ୍ପି
ପ୍ରସଙ୍ଗ ଉଠାଇ ନାରାବାଜି କଲେ
ସର୍ବଦଳୀୟ ବୈଠକ କାମ ଦେଲାନି
ବିରୋଧୀ ଦୁଇଫାଳ; ପରସ୍ପରକୁ ଆକ୍ଷେପ କଲେ ବିଜେପି, କଂଗ୍ରେସ
ଆଜି ଗୃହରେ ଅଚଳାବସ୍ଥା ନେଇ ତିନି ଦଳ ପରସ୍ପରକୁ ଆକ୍ଷେପ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଶାସକ ଦଳ ଓ ବିଜେପି ଗୃହକୁ ଚଳାଇଦେବାକୁ ଚାହୁନାହାନ୍ତି। କଂଗ୍ରେସ ଗୃହରେ ଆଲୋଚନା ଚାହୁଛି। ଶିକ୍ଷକଙ୍କ ସମସ୍ୟା ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା। କିନ୍ତୁ ସରକାରୀ ଦଳ ଗୃହ ଚଳାଇ ଦେଲେନି। ସର୍ବଦଳୀୟ ବୈଠକ ହେଲା, କିନ୍ତୁ କିଛି ଫଳ ବାହାରିଲା ନାହିଁ। ଆମେ ନିରାଶ ହେଲୁ। ଗଣତନ୍ତ୍ର ଧ୍ବଂସ ହୋଇଗଲାଣି। କଂଗ୍ରେସର ବରିଷ୍ଠ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ, ବିଧାନସଭା ଲୋକଙ୍କ ଟିକସରେ ଚାଲେ। ଆମେ ଆଲୋଚନା ଚାହୁଛୁ। କିନ୍ତୁ ବିଜେପି ଓ ବିଜେଡି ବିଧାନସଭା ବନ୍ଦ କରିଦେଉଛନ୍ତି। ଉଭୟ ଦଳ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପରି। ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ଏମ୍ଏସ୍ପି ୨୯୩୦ ଟଙ୍କା କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଏହି ପ୍ରସଙ୍ଗରେ ଗୃହ କମିଟିକୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଲେନି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରନ୍ତୁ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକମାନେ ପଚାରିଥା’ନ୍ତି। କିନ୍ତୁ ଆମ ପ୍ରଶ୍ନକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ। ଗତକାଲି ବିଜେପିର ଦୁଇ ବିଧାୟକଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରାଗଲା। ତାହାର କାରଣ କହିଲେନି। ଆଜି ଆହୁରି ତିନି ଜଣଙ୍କ ପ୍ରଶ୍ନ ଅଗ୍ରାହ୍ୟ କରାଗଲା। ପ୍ରଶ୍ନ ଅଗ୍ରାହ୍ୟ କରାଗଲେ ୫ ଦିନ ଭିତରେ ଜଣାଇବା କଥା। କିନ୍ତୁ ତାହା କରାଯାଉ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ଯାହା ବିବୃତି ଦେଇଛନ୍ତି, ତାହା ଦୁର୍ଭାଗ୍ୟଜନକ।
ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏବଂ ସଚିବଙ୍କ ଗସ୍ତ ସମୟରେ ହୋଇଥିବା ଖର୍ଚ୍ଚ ସଂକ୍ରାନ୍ତରେ ଆମର ପ୍ରଶ୍ନ ଥିଲା। ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି। ସରକାର ଭୟଭୀତ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ଗ୍ରହଣ କରୁ ନାହାନ୍ତି। ବାଚସ୍ପତି ମଧ୍ୟ ସରକାରଙ୍କ ଚାପରେ ରହିଛନ୍ତି। ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଗଣତନ୍ତ୍ର ଭୁଶୁଡ଼ିବା ପ୍ରସଙ୍ଗରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିବ। କିନ୍ତୁ ଆଜି ଶାସକ ଦଳ ସହ ମିଶି କଂଗ୍ରେସ ଅନ୍ୟ ଏକ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଲେ, ଆଜି ବି ବିଜେପି ସଭ୍ୟମାନେ ଗୃହ ଚଳାଇ ଦେଲେନି। ବିରୋଧୀ ଦଳ ଭାବେ ସେମାନଙ୍କର ଗୃହ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପ୍ରଶ୍ନକାଳ। ହେଲେ ତାହାକୁ ସେମାନେ କରାଇ ଦେଲେନି। ବିଜେଡି ବିଭିନ୍ନ ସମୟରେ କେନ୍ଦ୍ରୀୟ ଅବହେଳା କଥା ଉଠାଇଛି। ଆଜି ବି ତାହା କହିଛି।