ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା: ରୋଷଘରର ୪୩ ଚୁଲି ଭାଙ୍ଗିଦେଲେ, ନୀତିକାନ୍ତି ବିଳମ୍ବ, କଡ଼େଇରେ ରନ୍ଧାହେଲା କୋଠଭୋଗ

ଚୁଲା ମରାମତି ପରେ ରନ୍ଧା, ମହାପ୍ରସାଦ ବି ବିଳମ୍ବ‌ରେ ବାହାରିଲା

ପୁରୀ: ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳରେ ବିଶୃଙ୍ଖଳା ସୀମା ଟପିବାରେ ଲାଗିଛି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ତିନିବର୍ଷ ତଳେ ସେବାୟତ ମହାପ୍ରଭୁଙ୍କୁ ୧୫ ଘଣ୍ଟା ଅଖିଆ ଅପୂଜା ରଖି ବିଶ୍ବ ଦରବାରରେ ନିନ୍ଦିତ ହୋଇଥିଲେ। ଆଜି ପୁଣିଥରେ ମହାପ୍ରଭୁଙ୍କୁ ଅଖିଆଅପିଆ ରଖିବାର ପ୍ରଚେଷ୍ଟା କରାଯାଇଛି। ଗତକାଲି ଶ୍ରୀମନ୍ଦିର ରୋଷଘରେ ପଶି କେହି ଦୁର୍ବୃତ୍ତ ୪୩ଟି ଚୁଲିକୁ ଶାବଳ, ଲୁହା ରଡ୍‌ ଆଦିରେ ତାଡ଼ିଦେଇଛି। ଚୁଲି ଭାଙ୍ଗିଯିବାରୁ ରନ୍ଧା କାର୍ଯ୍ୟ ବିଳମ୍ବ ହୋଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବି ବିଳମ୍ବ ହୋଇଛି। ଯେଉଁଠି ପ୍ରତିଦିନ କୁଡୁଆରେ ରନ୍ଧାହୋଇ ମହାପ୍ରଭୁଙ୍କୁ କୋଠଭୋଗ ଲାଗି ହେଉଥିଲା, ସେଠି ଆଜି କଡ଼େଇରେ କୋଠଭୋଗ ରନ୍ଧା ପରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ରୋଷଘରେ ଏଭଳି ଚୁଲା ଭଙ୍ଗା ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମଥର ଘଟିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସେବାୟତ। ଏତେ ବଡ଼ ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ଠିଆ କରିଛି। ସେପଟେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ରାତି ୧୦ଟା ୪୦ରେ ବଡ଼ସିଂହାର ଭୋଗ ପରେ ୧୧ଟା ୧୦ରେ ରାତ୍ର ପହୁଡ଼ ହୋଇଥିଲା। ଆଜି ସକାଳେ ଦ୍ବାରଫିଟା ନୀତି ପରେ ରୋଷଘର ରନ୍ଧାକାର୍ଯ୍ୟ ପୂର୍ବପ୍ରସ୍ତୁତି ପାଇଁ ନିୟୋଜିତ ସେବକମାନେ ଆସିବାବେଳେ ରୋଷଘର ଚୁଲା ସବୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ଏହିସମୟରେ ପିଠାଆଡ଼ର ୧୦ଟି, ଥାଳିଆଡ଼ର ୬ଟି, ସାତପୁରୀର ୨୫ଟି, ଅହିଆ(ଡାଲି, ତରକାରୀ ରନ୍ଧା ପାଇଁ ବଡ଼ ଚୁଲି) ୨ଟି ଓ କୋଠଭୋଗ ଚୁଲି ୨ଟି ଭାଙ୍ଗି ଦିଆଯାଇଥିବା ଦେଖିବାକୁ ପାଇଥିଲେ। କେହି ଶାବଳରେ ଚୁଲିକୁ ତାଡ଼ି ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ସୁଆର ମହାସୁଆର ସେବକମାନେ ପ୍ରକାଶ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଘଟଣାର ଅନୁଧ୍ୟାନ ପାଇଁ କୁହାଯାଇଥିଲା। କମାଣ୍ଡର ସ୍ଥିତି ଜଣାଇବା ପରେ ଜିଲ୍ଲାପାଳ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଓ ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଇଥିମଧ୍ୟରେ ଘଟଣାର ତଦନ୍ତ ବି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ରୋଷଘର ଦାୟିତ୍ବରେ ଥିବା ରୋଷ ପାଇକ, ରୋଷ ଦୁଆରି, ଧୋପଖାଳୁଆ, ଅଙ୍ଗାରୁଆ, ରବାଡିଆଙ୍କୁ ପଚରାଉଚରା ଆରମ୍ଭ ହୋଇଛି। ସମସ୍ତଙ୍କୁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ ଜେରା କରାଯାଇଛି। ଦୁଇଦିନ ଭିତରେ ତଦନ୍ତର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜେରା ବେଳେ ସମସ୍ତଙ୍କ ଭିଡିଓ ରେକର୍ଡିଂ କରାଯାଉଥିବା ଜଣାପଡ଼ିଛି।

ଏହି ଘଟଣା ପରେ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ଇତିହାସରେ ଏହା ଏକ କଳଙ୍କ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଠିଆ କରିଥିବାବେଳେ ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଶ୍ରୀ ରାଓ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଯେଉଁମାନଙ୍କ ଚୁଲି ଭାଙ୍ଗିଛି ସେମାନେ କୌଣସି ଅଭିଯୋଗ କରିନାହାନ୍ତି। ଆମେ ନିଜ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରିଛୁ। ବର୍ତ୍ତମାନ ସୁଦ୍ଧା କିଏ ଏଭଳି କରିଛନ୍ତି, ତାହା ଜଣାପଡ଼ିନି ବୋଲି ସେ କହିଛନ୍ତି। ସେପଟେ ରୋଷ ଦୁଆରି, ରୋଷ ପାଇକ ଆଦିଙ୍କ ପାଳିଆ ପୁରସ୍କାର ବିବାଦ ପାଇଁ ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି। ଅନ୍ୟପଟେ ଶ୍ରୀମନ୍ଦିର ସୁଆର ମହାସୁଆରଙ୍କ ଭିତରେ ଦୁଇଗୋଷ୍ଠୀ କିଛିଦିନ ଧରି ସକ୍ରିୟ ଥିଲେ। ରୋଷଘର ଚୁଲାକୁ ନେଇ ଦୁଇଗୋଷ୍ଠୀ ଭିତରେ ବିବାଦ ରହିଥିଲା। ଗୋଟିଏ ଗୋଷ୍ଠୀ କାଳିଆ ପଢ଼ିଆରୀଙ୍କ ସପକ୍ଷରେ ଓ ଅନ୍ୟଗୋଷ୍ଠୀ ବିପକ୍ଷରେ ଥିଲେ। କାଳିଆ ପଢ଼ିଆରୀଙ୍କ ମୃତ୍ୟୁ ପରେ ବିପକ୍ଷ ଗୋଷ୍ଠୀ ଏଭଳି କାଣ୍ଡ ଭିଆଇଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଆଜିର ଏହି ଘଟଣା ପାଇଁ ଶ୍ରୀମନ୍ଦିରରେ ଭଅଣ୍ଡ ଉଠିବା ଓ ମହାପ୍ରସାଦ ବାହାରିବା ବିଳମ୍ବ ହୋଇଛି। ଯେଉଁଥିପାଇଁ ଭକ୍ତମାନେ ମହାପ୍ରସାଦ ପାଇବାରେ ଅସୁବିଧା ଭୋଗିଛନ୍ତି।

ସମ୍ବନ୍ଧିତ ଖବର