ଭୁବନେଶ୍ୱର: ବିଦ୍ୟାଳୟ ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ସହଯୋଗ ଓ ସହଭାଗିତାରେ ବିଦ୍ୟାଳୟଗୁଡ଼ିକର ସମୃଦ୍ଧି ହେଉଛି। ଆଗାମୀ ଦିନରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇ ଏହାର ବିକାଶରେ ଯେପରି ନିଜକୁ ସାମିଲ କରିବେ ସେ ଦିଗରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନର ପ୍ରଥମ ପରିଚାଳନା ପରିଷଦ ବୈଠକରେ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମତବ୍ୟକ୍ତ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସଙ୍ଗଠନର ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଦୁଇଟି ବୈଠକରେ ରାଜ୍ୟର ୨୫ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଅନୁଦାନ ରାଶିକୁ ମିଶାଇ ମୋଟ ୨୬ କୋଟି ଟଙ୍କାରେ ୧୫୬୯ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ। ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍ସିଏଫ୍ଇ) ସହ ପିଏସ୍ଏସ୍ର ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଏହି ବୈଠକରେ ଐତିହ୍ୟ ବିଦ୍ୟାଳୟ ଅଧୀନରେ ରାଜ୍ୟର ୫୧ଟି ସବୁଠାରୁ ପୁରାତନ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶକୁ ଅନୁମୋଦନ ମିଳିଛି। ରାଜ୍ୟରେ ଚିହ୍ନଟ ହୋଇଥିବା କିଛି ବିଦ୍ୟାଳୟରେ ସିଏସ୍ଆର୍ ଅର୍ଥରେ ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ଦିଆଯାଇଛି। ଏଥିସହ ପରିଚାଳନା ପରିଷଦ ସଙ୍ଗଠନର ବାର୍ଷିକ ବ୍ୟୟ ଅନୁମୋଦନ ସହ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ଓ ଅଟକଳ ବ୍ୟୟକୁ ମଧ୍ୟ ମଞ୍ଜୁର ଦିଆଯାଇଛି।
ବୈଠକରେ ଉପାଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଯୋଗ ଦେଇ ବିଦ୍ୟାଳୟ ବିକାଶରେ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ପରିଷଦର ସଦସ୍ୟ ସଂଯୋଜକ ତଥା ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ଅନନ୍ୟା ଦାସ, ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଶିବାଶିଷ ଧଳ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କୋରକୋରା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଟୁକୁ ବାରିକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ବିନୀତ୍ ଭରଦ୍ୱାଜ, ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଭାସ୍କର ରାଇତୋ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟର, ସୁନ୍ଦରଗଡ଼ର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନର ମୁଖ୍ୟ ପରିଚାଳନା ଅଧିକାରୀ ରାଜଲକ୍ଷ୍ମୀ ଦାଶ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିକାରୀ ମଣିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।