ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ ବୁଧବାରଠାରୁ ଆରମ୍ଭ ହୋଇଛି କ୍ଷେତ୍ର ପରିଦର୍ଶନ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌ ଖାନ୍‌ୱିଲକରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ବୁଧବାର ଦିନ ମହାନଦୀର ଫାରସିଆ ଗ୍ରାମ ନିକଟ ଉତ୍ପତ୍ତିସ୍ଥଳ ଓ ସଦୁର ଡ୍ୟାମ୍‌ ପରିଦର୍ଶନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ୨୨ ତାରିଖ ଯାଏ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ ମେ ୩ ତାରିଖ ଯାଏ ଛତିଶଗଡ଼ରେ ଏହି ଟିମ୍‌ କ୍ଷେତ୍ର ପରିଦର୍ଶନ କରିବେ। ଏହି ସମୟରେ ଟିମ୍‌ର ଅନ୍ୟ ସଦସ୍ୟ ଯଥା ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର, ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମର ସଦସ୍ୟ ଉପସ୍ଥିତ ଥିଲେ। ତେବେ ଓଡ଼ିଶାରେ ଏହି ଟିମ୍‌ କେବେ କ୍ଷେତ୍ର ପରିଦର୍ଶନ କରିବେ ତାହା ଆସନ୍ତା ମେ ମାସରେ ନିଷ୍ପତ୍ତି ହେବ ବୋଲି ଉପର ମହାନଦୀ ବେସିନ୍‌ର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Advertisment

publive-image TheHindu

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବିସ୍ଫୋରକ ବୟାନ୍‌ ‌ଦେଇ ସବୁ ଦୋଷ ଓଡ଼ିଶା ଉପରେ ଲଦି ଦେଇଛନ୍ତି। ମହାନଦୀର ଅଧିକାଂଶ ପାଣି ଓଡ଼ିଶାକୁ ଯାଉଥିବା ସ‌ତ୍ତ୍ବେ ଟ୍ରିବ୍ୟୁନାଲକୁ ଯିବା ଯୋଗୁ ଏକାଧିକ ପ୍ରକଳ୍ପ ଅଟକି ରହିଛି। ଓଡ଼ିଶାର ନୀତି ଯୋଗୁ ଛତିଶଗଡ଼ରେ ବନ୍ଧ, ବ୍ୟାରେଜ୍‌ ନିର୍ମାଣ କାମ ହୋଇପାରୁନି ବୋଲି ମୁଖ୍ୟମନ୍ତ୍ରୀ ବଘେଲ ଅଭିଯୋଗ କରିଛନ୍ତି। ସେପଟେ, ଏହି ପ୍ରସଙ୍ଗରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସରକାର ପୂର୍ବରୁ କାହିଁକି ବ୍ୟାରେଜ୍‌ କରିନଥିଲେ। ନିର୍ବାଚନ ଆସିଲେ ମହାନଦୀ କଥା ରାଜ୍ୟ ସରକାରଙ୍କର ମନେପଡ଼ୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି। କେବଳ ସେତିକି ନୁହେଁ ବରଂ ଦେଢ଼ବର୍ଷ ହେବ ଏହି ବିଭାଗର ମନ୍ତ୍ରୀ ଥିବା ସତ୍ତ୍ବେ ଥରୁଟିଏ ପାଇଁ ହେଲେ ଓଡ଼ିଶା ସରକାର ତାଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରି ନଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି। ସେପଟେ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ମତ ରଖି ରାଜ୍ୟ ସରକାର ସବୁବେଳେ ନ୍ୟାୟିକ ପନ୍ଥା ଉପରେ ବିଶ୍ବାସ ରଖିଥିବା କହିଛନ୍ତି। ମହାନଦୀ ପ୍ରସଙ୍ଗରେ ଓଡ଼ିଶାକୁ ଅନ୍ୟାୟ କରାଯାଇଛି। ଏହା ବିରୋଧରେ ସ୍ବର ଉତ୍ତୋଳନ ମଧ୍ୟ ଜାରି ରହିଛି। ଟ୍ରିବ୍ୟୁନାଲକୁ ଯାହା ତଥ୍ୟ ଆବଶ୍ୟକ ରାଜ୍ୟ ସରକାର ତାହା ଯୋଗାଇଦେବେ। ଆଶା ରଖିଛୁ ମହାନଦୀ ଟ୍ରିବ୍ୟୁନାଲ ଓଡିଶାକୁ ନ୍ୟାୟ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

publive-image

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଲାଗି ରହିବା ପରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ମାତ୍ର ୫ ବର୍ଷ ହେବ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରି ନଥିଲେ। ଇତି ମଧ୍ୟରେ ଛତିଶଗଡ଼ ସରକାର ମହାନଦୀରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ବ୍ୟାରେଜ ନିର୍ମାଣ କରିଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବିଶେଷକରି ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବି କମିବାରେ ଲାଗିଛି। ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୬୨ ଫୁଟ୍‌ ରହିଥିବା ବେଳେ ଜଳଭଣ୍ଡାରକୁ ମାତ୍ର ୧୦୩୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ମହାନଦୀରେ ଓଡ଼ିଶା ଅପେକ୍ଷା ଛତିଶଗଡ଼ର ଜଳଧାରଣ କ୍ଷମତା ୧୦ ପ୍ରତିଶତ ଅଧିକ ରହିଛି। ଛତିଶଗଡ଼ ସରକାର ଗୋଟିଏ ପରେ ଗୋଟିଏ ବ୍ୟାରେଜ୍‌ ନିର୍ମାଣ କରି ଚାଲିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିବା ସତ୍ତ୍ବେ ଗତ ୫ ବର୍ଷରେ ହୀରାକୁଦ ତଳମୁଣ୍ଡରେ ଗୋଟିଏ ବି ବ୍ୟାରେଜ୍‌ ନିର୍ମାଣ କରିପାରିଲେ ନାହିଁ। ଫଳରେ ହୀରାକୁଦ ଡ୍ୟାମ୍‌ ଉପରେ ନିର୍ଭରଶୀଳ ଚାଷୀ, ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ବିପଦରେ ପଡ଼ିଛି।