ପଶ୍ଟିମ ଓଡ଼ିଶାର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

ରାଉରକେଲାର ଆଇଜିଏଚ୍‌ରେ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଏମକେସିଜି ମେଡିକାଲ ଓ ଭୀମ୍‌ସାରରେ ପ୍ଲାଜମା ଚିକିତ୍ସା କେନ୍ଦ୍ର ଖୁବଶୀଘ୍ର
ରାଜ୍ୟରେ ୭୦ ୟୁନିଟ୍‌ ପ୍ଲାଜ୍‌ମା ସଂଗୃହୀତ, ୮ ସୁସ୍ଥ, ୧୭ ଜଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି

ଭୁବନେଶ୍ବର : ରାଜ୍ୟର ତୃତୀୟ ତଥା ପଶ୍ଚିମ ଓଡିଶାର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ରାଉରକେଲାର ଆଇଜିଏଚ୍‌ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ କଟକ-ଭୁବନେଶ୍ବରରେ ଏହାର ସଫଳ ପ୍ରୟୋଗ ହୋଇସାରିଛି। ଏଣୁ ରାଉରକେଲା ଆଇଜିଏଚ୍‌ର ଦାୟିତ୍ବ ଆଜି ଅନେକ ପରିମାଣରେ ବଢିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, “ସାରା ବିଶ୍ବ ବର୍ତ୍ତମାନ କରୋନା ମହାମାରୀର ସାମ୍ନା କରୁଥିବା ବେଳେ ଅଗଣିତ କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଏକ ଆଶାର କିରଣ ହୋଇପାରିଛି। ଓଡିଶାରେ ପ୍ଲାଜମା ଥେରାପି ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ବାସ ସୃଷ୍ଟି କରିଛି। ଏଥିପାଇଁ ସାରା ରାଜ୍ୟର ଲୋକଙ୍କ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାକୁ କାର୍ଯ୍ୟକାରୀ କରିବାକୁ ଯାଇ ପ୍ଲାଜମା ଥେରାପିକୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସଂପ୍ରସାରିତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଏହି କ୍ରମରେ ପଶ୍ଚିମ ଓଡିଶାର ଗୁରୁତର କୋଭିଡ୍ ରୋଗୀମାନଙ୍କ ରାଉରକେଲାର ଆଇଜିଏଚ୍ ପ୍ଲାଜମା ବ୍ୟାଙ୍କ ଚିକିତ୍ସାରେ ଅଧିକ ସଫଳତା ଆଣିପାରିବ।’’

ନିଜ ଉକ୍ତିକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜଣେ ବି ବ୍ୟକ୍ତି ସବୁଠାରୁ ଉତ୍ତମ ଚିକିତ୍ସା ପାଇବାରୁ କେବେ ବି ବଞ୍ଚିତ ହେବେ ନାହିଁ। ଆମର ଏହି ପ୍ରତିଶ୍ରୁତି ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଉପରେ ଥିବା ଆମର ଆଶା ଓ ଭରସା ଉପରେ ପର୍ଯ୍ୟବେସିତ। ଏଭଳି ଆହ୍ବାନମୂଳକ ସମୟରେ ସେମାନେ ବହୁତ ଭଲ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ।

ପ୍ଲାଜମା ଦାନ ଏକ ଜନଆନ୍ଦୋଳନର ରୂପ ନେଇ ସାରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ପୂରା ସମର୍ଥନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।

ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ୭୦ଟି ପ୍ଲାଜମା ୟୁନିଟ୍‌ ସଂଗୃହୀତ ହୋଇଛି ଏବଂ ୮ ଜଣ ପ୍ଲାଜ୍‌ମା ଚିକିତ୍ସିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ଉଦ୍ୟମକୁ ଆହୁରି ଆଗକୁ ନେବାପାଇଁ ରାଜ୍ୟର ସବୁ ବିଧାୟକଙ୍କୁ ପ୍ଲାଜମା ଦାନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଏବଂ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ଅନୁରୋଧ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଖୁବଶୀଘ୍ର ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଓ ବୁର୍ଲାର ଭୀମ୍‌ସାର ଠାରେ ପ୍ଲାଜ୍‌ମା ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ, କରୋନାକୁ ହରାଇବାରେ ପ୍ଲାଜ୍‌ମା ଥେରାପିର ସଫଳତା ଯୋଗୁଁ ପଶ୍ଚିମ ଓଡିଶାବାସୀ ଆଇଜିଏଚ୍‌ ପ୍ଲାଜମା ବ୍ୟାଙ୍କ ଦ୍ବାରା ବିଶେଷ ଉପକାର ପାଇବେ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ପ୍ଲାଜ୍‌ମା ଦାନକୁ ଉତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଇଜିଏଚ୍‌ରେ ପ୍ଲାଜ୍‌ମା ଥେରାପି ଉପରେ ସୂଚନା ଦେଇଥିଲେ। ଅଧିକରୁ ଅଧିକ ଲୋକ ପ୍ଲାଜ୍‌ମା ଦାନ କଲେ ରାଜ୍ୟ‌ରେ ସୁସ୍ଥତା ହାର ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ।

ଆଇଜିଏଚ୍‌ ରାଉରକେଲାରେ ପ୍ରଥମ ପ୍ଲାଜ୍‌ମା ଦାନ କରିଥିବା ସୀମାଞ୍ଜଳ ଗୌଡ କରୋନା ରୋଗ ସଂପର୍କରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ ସମସ୍ତଙ୍କୁ ପ୍ଲାଜ୍‌ମା ଦାନ କରିବା ପାଇଁ ଅନୁରୋଧ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିସନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର