ପୁରୀ: ରଥ ନିର୍ମାଣର ଆଜି ଥିଲା ୪୧ତମ ଦିବସ। ଆଜି ତିନିରଥର ପ୍ରଥମ ଭୂଇଁ ଫ୍ରେମ ଖୋଲାଯିବା ପରେ ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ଚାରି ନାହାକାରେ ପ୍ରଥମ ଭୂଇଁର ଛ’ କାଠି ସେଟିଂ କରିଛନ୍ତି। ପ୍ରଥମ ଭୂଇଁର ଛ’ କାଠି ବା ଓରାରେ ୪ ଗୋଟି ଖମ୍ବି ସଂଯୋଗ ହୋଇଛି। ଚାରି ପାର୍ଶ୍ବରେ ୨୪ ଟି ପାଖୁଡ଼ା ଏବଂ ୧୬ ଟି ଛିଆଣ, ପାଖୁଡ଼କୁ ଧରିରଖିବା ପାଇଁ ୨୪ଟି ଭୂଇଁ ଖମ୍ବି ସଂଯୋଗ କରାଯିବ। ସ୍ନାନପୂର୍ଣ୍ଣିମାରେ ତିନିରଥରେ ଚଉଦ ନାହାକା ବୁଲିବା ପରେ ପ୍ରଥମ ଭୂଇଁର ବାକି ଅଂଶ ସଂଯୋଗ ହେବ। ସେଥି ପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି।
ଭୋଇ ସେବକମାନେ ତିନି ରଥର ମହାରଣା ସେବକମାନଙ୍କୁ ଚାରି ଫୁଟ ଲମ୍ବର ନଡ଼ିଆ ଗର ବା ଖଦୀ ଓରା ଯୋଗାଇ ଦେଇଛନ୍ତି। ମହାରଣା ସେବକମାନେ ସେହି ନଡ଼ିଆ ଗରର ଉଭୟ ପାର୍ଶ୍ବକୁ ଚିତା କରି ତିନି ରଥ ଦଣ୍ଡାରେ ପକାଇଥିଲେ। ଏହାର ବିନ୍ଧ କାପ କରାଯାଇ ସେଟିଂ କରାଯାଇଥିଲା। ଆସନ୍ତାକାଲି ତିନି ରଥର ୧୪ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହେବ । ଆଜି ତିନି ରଥର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଫ୍ରେମ ପ୍ରସ୍ତୁତି ଜାରି ରହିଛି। ଏଥିସହ ୪ଟି ଲେଖାଏଁ କତରାରୁ ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି। ରୂପକାର ସେବକମାନେ ତିନିରଥର ଦୁଆର ବେଢ଼ା ପାଇଁ ୨୪ଟି ନାଟ ଗୋଡ଼ରେ ରାହୁ ରୂପ ବା କନ୍ଦର୍ପ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକ ଭୂଇଁ କଣ୍ଟା ସହ ପୋଟଳ ବଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/11/yuASCSDvdcKcgLXZXSXR.jpg)