ନବବର୍ଷର ପ୍ରଥମ ଦୁଇ ଦିନ କୁହୁଡ଼ି

ଭୁବନେଶ୍ବର : କୁହୁଡ଼ି ଆସ୍ତରଣରେ ଆଚ୍ଛାଦିତ ହେବ ନବବର୍ଷର ପ୍ରଥମ ଦୁଇଦିନ। ରାଜ୍ୟରେ ଶୀତ ବି ବଢ଼ିବ। ଆସନ୍ତା ଦୁଇ ଦିନରେ ୨ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିବ। ଫଳରେ ୨୦୨୧ର ପ୍ରଥମ ଦୁଇ ଦିନ ପ୍ରବଳ ଶୀତରେ ରାଜ୍ୟ ଥରିବ। ଏହା ପରର ୩ ଦିନ ପର୍ଯ୍ୟନ୍ତ ବି ଶୀତ ପ୍ରକୋପ ଜାରି ରହିବ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏହି ସମୟରେ ସ୍ବାଭାବିକଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ। ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ପ୍ରାୟ ୧ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୨ ଦିନରେ ବି ତାପମାତ୍ରା ଆହୁରି ୨ ଡିଗ୍ରି ତଳକୁ ଖସିବ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୭.୦ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବାରିପଦାରେ ୧୦.୫ ଡିଗ୍ରି, ସୁନ୍ଦରଗଡ଼ ୧୦.୫ ଡିଗ୍ରି, ଦାରିଙ୍ଗବାଡ଼ି ୯.୫ ଡିଗ୍ରି ଓ ଝାରସୁଗୁଡ଼ା ୧୨.୬ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତାକାଲି ସକାଳୁ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିବବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର