କନ୍ଧମାଳରେ ପହିଲି ଶୀତର ପରଶ, ପାରଦ ୧୬କୁ ଖସିଲା; କୁହୁଡ଼ି ସାଙ୍ଗକୁ କାକର

ଫୁଲବାଣୀ: କନ୍ଧମାଳକୁ ସ୍ପର୍ଶ କରିଛି ପହିଲି ଶୀତ। ସକାଳୁ ସକାଳୁ କୁହୁଡ଼ି ଓ କାକର ପଡ଼ିଛି। ଆଜି ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲାଗି ରହିଥିଲା। ପ୍ରାତଃଭ୍ରମଣ ଓ ବ୍ୟାୟାମ କରି ଲୋକ ପହିଲି ଶୀତରୁ ମଜା ଉଠାଇଥିଲେ। ଏ ବର୍ଷ ହାଡ଼ଭଂଗା ଶୀତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି। ହେଲେ ଚଳିତ ବର୍ଷ ଶୀତ ପର୍ଯ୍ୟଟନରେ ମହାମାରୀ କରୋନା ବାଧକ ସାଜିବାକୁ ଯାଉଛି। ଶୀତରେ କରୋନା ଅଧିକ କାୟା ବିସ୍ତାର କରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଥିବା ବେଳେ ଆଗାମୀ ୩ ମାସ କନ୍ଧମାଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି।

ଗତବର୍ଷ ଆଜିର ଦିନରେ ସର୍ବନିମ୍ନ ତାପମାତ୍ରା ୨୨ ଥିବା ବେଳେ ଆଜି ୧୬ ଡିଗ୍ରି ରହିଛି। ଗତ ୨୫ରେ ସର୍ବନିମ୍ନ ତାପମାତା ୧୮ ଓ ଗତକାଲି ୧୭ ଥିବା ବେଳେ ଆଜି ୧୬ ରହିଥିବାରୁ ଆଗକୁ ଆହୁରି ପାରଦ ଖସିବାର ସମ୍ଭାବନା ରହିଛି। ହେଲେ ଗତ ୨୦୧୭ରେ ୧୦ ବର୍ଷର ରେକର୍ଡ ଭାଙ୍ଗିଥିଲା ଶୀତ। କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରି ରହିଥିଲା। ୨୦୧୮ ଓ ୨୦୧୯ରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୨.୫। ଚଳିତ ବର୍ଷ ଶୀତ ୨୦୧୭ ରେକର୍ଡ ଭା‌ଙ୍ଗିବାର ସଂପ୍ରତି କନ୍ଧମାଳରେ କରୋନା ଗ୍ରାଫ୍‌ ନିମ୍ନସ୍ତରକୁ ଗତି କରିଛି। ଏହାକୁ ନେଇ ଜିଲ୍ଲାବାସୀ କିଛିଟା ଆଶ୍ବସ୍ତ ହୋଇଥିଲେ ବି ଆଗାମୀ ୩ ମାସ କରୋନା କି ରୂପ ନେବ ତା’କୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। କାରଣ ଆସନ୍ତା ୩ ମାସ ନଭେମ୍ବର, ଡିସେମ୍ବର ଓ ଜାନୁଆରିରେ କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେବ। ଏପରିକି ଫେବ୍ରୁଆରି ପର୍ଯ୍ୟନ୍ତ ଶୀତ ଲାଗି ରହିବ। ଶୀତବେଳେ କରୋନା ପୁଣିଥରେ କାୟା ମେଲାଇବାର ଭୟ ଥିବାରୁ ସମ୍ଭାବ୍ୟ ସଂକ୍ରମଣରୁ ଜିଲ୍ଲାବାସୀଙ୍କୁ ରକ୍ଷା କରିବା ସରକାର ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବ। ଜିଲ୍ଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏବେଠୁ ସରକାର ଓ ପ୍ରଶାସନ ମୁକାବିଲା ନିମନ୍ତେ ପ୍ରସ୍ତୁତି କରିବା ଜରୁରୀ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର