ଜଗତସିଂହପୁର : ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଷଣ୍ଢକୁଦ ଚନକଣଠା‌ରେ ଥିବା ଏକ ମାଛ ଘେରିରେ କେହି ଦୁର୍ବୃତ୍ତ ବିଷ ପକାଇଦେବାରୁ ଚିଙ୍ଗୁଡ଼ି, ଖଇଙ୍ଗା, ରୋହି, ଭାକୁର ସହ ବିପୁଳ ପରିମାଣରେ ‌ଛୋଟ ବଡ଼ ମାଛ ମରି ଭାସୁଥିବା ଦେଖିବାକୁ ମିଳୁଛି। ମାଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ପୂର୍ବ ଶତ୍ରୁତାରେ ଜଣେ ବ୍ୟକ୍ତି ଏମିତି କାଣ୍ଡ କରିଥିବା ଗାଁ କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

Advertisment

ଗାଁ କମିଟି ପକ୍ଷରୁ ବାବୁଲି ରାଉତଙ୍କ ଅଭିଯୋଗ ମୁତାବକ, ଷଣ୍ଢକୁଦ ମୌଜାର ଚନକଣଠା‌ରେ ଏକ ମାଛ ଘେରିରେ ଚାଷ କରି ୫ ଶହରୁ ଅଧିକ କୈବର୍ତ୍ତ ପରିବାର ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଗତ ୨୩ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଘେରିରେ ବିଷ ପକାଇ ଦେବାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ଓ ମାଛ ମରି ଭାସୁଥିବା ଦେଖିବାକୁ ମିଳୁଛି। ଏହି ଘେରିରେ ଯାଆଁଳ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୪ ବର୍ଷ ହେଲା କୁଜଙ୍ଗ ଅଞ୍ଚଳର ଜଣେ ଯୁବକ ଏହି ଘେରିରେ ମାଛ ଚାଷ କରୁଥିଲେ। ମାତ୍ର ସେ ଗାଁ କମିଟିକୁ ଖରାପ ମନ୍ତବ୍ୟ ଦେବାରୁ ତାଙ୍କୁ ଘେରିରୁ ନିବୃତ୍ତ କରାଯାଇଥିଲା। ଏହାପରେ ଗାଁ କମିଟି ଏହି ଘେରିରେ ଚାଷ କରିଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସଂପୃକ୍ତ ଯୁବକ ଏହି ଘେରିରେ କାହାକୁ ମାଛ ଚାଷ କରାଇ ଦେବ ନାହିଁ ବୋଲି ଧମକ ଦେଇଥିଲେ। ଏହି ଘେରି ଅଞ୍ଚଳରେ ସେ କିଛି ଦିନ ହେଲା ସନ୍ଦେହଜନକ ଭାବେ ବୁଲୁଥିଲେ। ସଂପୃକ୍ତ ଯୁବକ ହିଁ ଏମିତି କାମ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗାଁ କମିଟି ପକ୍ଷରୁ ଦାବି କରାଯାଇଛି।