ବାଲେଶ୍ବର : ଶନିବାର ସକାଳ ସାଢ଼େ ୯ଟାରେ ‘ନାରାୟଣୀ’ ନାମକ ଭୁଟୁଭୁଟି ବାହାବଳପୁର ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଭୁଟୁଭୁଟିରେ ୭ ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିଲେ। ବାହାବଳପୁର ଜେଟିଠାରୁ ପ୍ରାୟ ୭/୮ଶହ ମିଟର ଦୂରତାରେ ସେମାନେ ଥିବା ବେଳେ ପୂର୍ବପଟୁ ହଠାତ୍ ପବନର ବେଗ ଅଧିକ ହୋଇ ଢେଉ ମାଡ଼ରେ ଭୁଟୁଭୁଟିଟି ଓଲଟି ପଡ଼ିଥିଲା। ଫଳରେ ଜୀବନ ବଞ୍ଚାଇବାକୁ ସମସ୍ତ କୂଳଆଡ଼କୁ ପହଁରି ପହଁରି ଆସିଥିଲେ।

Advertisment

ଏତିକିବେଳେ ଆଉ ଏକ ବଡ଼ ଢେଉ ସେମାନଙ୍କୁ ପରସ୍ପରଠାରୁ ଅଲଗା କରିଦେଇଥିଲା। କିଛି ସମୟ ପରେ ମତ୍ସ୍ୟଜୀବୀ ପୂର୍ଣ୍ଣଚନ୍ଦ୍ର ଜେନା, ମନୋରଞ୍ଜନ ବାରିକ, ଶଙ୍କର ମଣ୍ଡଳ, ଜଗା ମଣ୍ଡଳ, ଭୁବନ ଜେନା ଓ ମାଲୁ ମଣ୍ଡଳ ଜୀବନ ବଞ୍ଚାଇ କୂଳରେ ପହଁଚିଥିବା ବେଳେ ଜିତେନ୍ଦ୍ର ପାତ୍ର ନାମକ ମତ୍ସ୍ୟଜୀବୀ ଦୀର୍ଘ ସମୟ ଯାଏ ପହଁଚି ପାରି ନଥିଲେ। ଖବର ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସେ ନିଖୋଜ ଥିବା ଭୁଟୁଭୁଟି ମାଲିକ ବିକାଶ ବାରୋଇ କହିଛନ୍ତି। ସମୁଦ୍ରରେ ମାଛ ମାରିବାକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀ ଲାଇଫ୍ ଜାକେଟ୍ ବ୍ୟବହାର କରିବା ସହିତ ସେମାନେ ଯାଉଥିବା ଟ୍ରଲର, ଭୁଟୁଭୁଟି ଏବଂ ଗିଲେଟିନ୍‌ରେ ସମସ୍ତ ସୁରକ୍ଷା ଉପକରଣ ଉପଲବ୍ଧ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଏଠାରେ ସେହି ନିୟମ ଅନୁପାଳନ କରାଯାଇଥିଲା କି ନାହିଁ, ସେନେଇ ତଦନ୍ତ କରାଯିବାକୁ ଦାବି ହୋଇଛି।