କୁମ୍ଭୀର ଟାଣି ନେଇଥିବା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ତିହିଡ଼ି: ଗତକାଲି ମାଛ ଧରିବା ବେଳେ ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ବାରଣାକୁଳ ଗ୍ରାମର ବୁଦ୍ଧିରାମ ମଳିକ(୫୭)ଙ୍କୁ କୁମ୍ଭୀର ଟାଣି ନେଇଥିଲା। ଗତକାଲି ବିଳମ୍ବିତ ରାତିରେ ହୀରାଘାଇ ନଦୀରୁ ତାଙ୍କର ମୃତଦେହ ମିଳିଛି।

ଗତକାଲି ଅପରାହ୍‌ଣରେ ବୁଦ୍ଧିରାମଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ହୀରାଘାଇ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ନଦୀକୁ ବୁଦ୍ଧିରାମ ଜାଲ ବସାଇବା ପାଇଁ ପଶିଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ମାଛଧରାଳି ବୁଦ୍ଧିରାମଙ୍କ ସହିତ ନଦୀବନ୍ଧରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପୁଲିସ, ଦମକଳ ବାହିନୀ ଓ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ତିହିଡ଼ି ଥାନା ଆଇଆଇସି ତପନ କୁମାର ପ୍ରଧାନଙ୍କ ନିେର୍ଦ୍ଦଶକ୍ରମେ ଏସଆଇ ଦିବ୍ୟଲୋଚନ ବେହେରା ଓ ଏଏସଆଇ କମଳାକାନ୍ତ ଶତପଥୀ, ଦମକଳ ବାହିନୀ ଅଧିକାରୀ ଆଲୋକ ଦେବ ଗୋସ୍ବାମୀ, କର୍ମଚାରୀ ଚିରଂଜୀବୀ ନାୟକ, ସାଗର ଟୁଡୁ, ଶରତ ସେଠୀ, ଚନ୍ଦନ ମହାଳିକ, ରାକେଶ ମଲିକ, ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେ ପ୍ରମୁଖ ଘଟଣାସ୍ଥଳରେ ପହ‌ଞ୍ଚିଥିଲେ।

ତେବେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଳମ୍ବିତ ରାତିରେ ପ୍ରାୟ ଚାରି କିଲୋମିଟର ପର୍ଯ୍ୟନ୍ତ ଖୋଜିବା ପରେ କୁମ୍ଭୀର ମୁହଁରୁ ବୁଦ୍ଧିରାମକୁ ଛଡ଼ାଇ ଆଣିଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୨୪/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଖବର ପାଇଁ ରବିବାର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସରପ‌ଞ୍ଚ କୁନ୍ତଳା ମଳିକ, ଶରତ ଦାସ, ଅଶୋକ ଦାସ, ପ୍ରଫୁଲ୍ଲ ମଳିକ ପ୍ରମୁଖ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବନ ବିଭାଗକୁ ଜଣାଇବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର