ଭୁବନେଶ୍ବର : ଶନିବାର ଦିନ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ବାହନଗା ଟ୍ରେନ୍ ଦୁର୍ଘଟଣା ପାଇଁ ରାଜ୍ୟ ସରକାର ଶନିବାର ଦିନ ରାଜ୍ୟରେ ଦିନିକିଆ ଶୋକ ପାଳନ କରୁଥିବାରୁ ଏହି ବିମାନ ସେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଘାଟନ କରାଯାଇନି। କେବଳ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ଫୁଲ ଦେଇ ଶୁଭେଚ୍ଛା ଜଣାଯାଇଛି। ଏପରିକି ବିମାନ ସେବା ଶୁଭାରମ୍ଭ ହେବାବେଳେ ବିମାନକୁ ୱାଟର କ୍ୟାନନ୍ ଦ୍ବାରା ସ୍ବାଗତ କରାଯିବାର ବିଧି ଥିବାବେଳେ ଆଜି ବି ତାହା କରାଯାଇନି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିଙ୍ଗାପୁର-ଭୁବନେଶ୍ବର ବିମାନରେ ଶନିବାର ଦିନ ୧୮୬ଜଣ ଯାତ୍ରୀ ଆସିଥିବାବେଳେ ଏଠାରୁ ୧୮୬ଜଣ ଯାତ୍ରୀ ସିଙ୍ଗାପୁର ଅଭିମୁଖେ ଯାଇଥିଲେ। ବିମାନଟି ସଂଧ୍ୟା ୬ଟା ୨୫ରେ ସିଙ୍ଗାପୁର ଅଭିମୁଖେ ଯାଇଥିଲା। ବିମାନର ସମସ୍ତ ସିଟ୍ ବୁକିଂ ହୋଇଥିଲା। ବିମାନଟି ପ୍ରତି ମଙ୍ଗଳବାର ଓ ଶନିବାର ଯାତାୟତ କରିବ।
ସେହିପରି ଭୁବନେଶ୍ବରରୁ ବ୍ୟାଙ୍କକ୍ ଅଭିମୁଖେ ଇଣ୍ଡିଗୋ ବିମାନ ଅପରାହ୍ନ ୪ଟା ୫୦ରେ ଯାଇଥିବାବେଳେ ଏଥିରେ ୧୬୩ଜଣ ଯାତ୍ରୀ ବ୍ୟାଙ୍କକ୍ ଯାଇଛନ୍ତି। ବିମାନଟି ଭୁବନେଶ୍ବରରୁ ବ୍ୟାଙ୍କକ୍କୁ ମଙ୍ଗଳବାର ଓ ଶନିବାର ଯିବାକୁ ଥିବାବେଳେ ବ୍ୟାଙ୍କକ୍ରୁ ବୁଧବାର ଓ ରବିବାର ଭୁବନେଶ୍ବର ଆସିବ।
ଏହି ଦୁଇଟି ରୁଟ୍ରେ ବିମାନ ଭଡ଼ା ଯିବାଆସିବା ବାବଦକୁ ୧୫ହଜାର ଟଙ୍କା ଲେଖାଏ ରଖାଯାଇଛି।