ବାରିପଦା: ଓଡ଼ିଶାର ୪ଟି ସହର ଉଡ଼ାନ ଯୋଜନାରେ ସାମିଲ ହେବାକୁଯାଉଛି। ଏହି ୪ ସହର ମଧ୍ୟରେ ରହିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା। ଯୋଜନା କାର୍ଯ୍ୟକାରୀ ହେଲେ ବାରିପଦାରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନକୁ ବିମାନ ସେବା ଆରମ୍ଭ ହେବ। ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ, ପ୍ରସିଦ୍ଧ ଧର୍ମାନୁଷ୍ଠାନ ଓ ଶିମିଳିପାଳ ଜୈବମଣ୍ଡଳକୁ ନଜରରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ଘୋଷଣା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ମୟୂରଭଞ୍ଜ ଜିଲ୍ଲାକୁ ରେଳସେବା ସେତେଟା ବିକଶିତ ନୁହେଁ। କଟକ ଓ ଭୁବନେଶ୍ବରକୁ ଟ୍ରେନ୍ ଚଳାଚଳରେ ଅଟକିଯାଇଛି ରେଳସେବା। ଜିଲ୍ଲାକୁ ଯୋଗାଯୋଗର କୌଣସି ଭଲ ମାଧ୍ୟମ ନଥିବାରୁ ରାଜ୍ୟ ତଥା ଦେଶ ବିଦେଶର ପର୍ଯ୍ୟଟକମାନେ ଏଠାକୁ ଆସି ପାରୁନାହାନ୍ତି। ତେବେ ବାରିପଦାରୁ ବିମାନ ସେବା ଆରମ୍ଭ ହେଲେ ଏହି ଚିତ୍ର ବଦଳିଯିବ। ରାଜ୍ୟର ପର୍ଯ୍ୟଟନ ହବ୍ ପାଲଟିବ ମୟୂରଭଞ୍ଜ। ବିମାନ ସେବା ଆରମ୍ଭ ହେଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ତେଣୁ ଅମର୍ଦ୍ଦା ଏୟାର୍ଷ୍ଟ୍ରିପ୍ ପୁନରୁଦ୍ଧାର ଭଳି ବାରିପଦାରେ ବିମାନବନ୍ଦର ପ୍ରତିଷ୍ଠାକୁ କେବଳ ଘୋଷଣାରେ ସୀମିତ ରଖା ନଯାଇ ତ୍ବରିତ କାର୍ଯ୍ୟକାରୀ କରିବାକୁ ମତ ଦେଇଛନ୍ତି ସହରର ବୁଦ୍ଧିଜୀବୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/334.jpg)